ଗୃହ ମୁଲତବୀ ପରେ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ବିଧାୟକଙ୍କ ଚିଠି । ଭାୟା ସାଜିଲା ପୋଷ୍ଟଅଫିସ ।

146

କନକ ବ୍ୟୁରୋ : ମମିତା ପ୍ରସଙ୍ଗକୁ ନେଇ ବିଧାନସଭାରେ ବିଜେପିର ହୋହଲ୍ଲା, ନାରାବାଜି ପରେ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି । ତେବେ ବିଧାନସଭା ଭିତରେ ପ୍ରତିବାଦ କରୁଥିବା ବିଜେପି ଏବେ ଗୃହ ବାହାରେ ମଧ୍ୟ ଭିନ୍ନ ଶୈଳୀରେ ପ୍ରତିବାଦ କରିଛନ୍ତି । ଆଉ ଏଥିପାଇଁ ବିଜେପି ବିଧାୟକ ମାନେ ପିଏମଜି ଯାଇଛନ୍ତି । ଯେଉଁଠି ପୋଷ୍ଟ ଅଫିସରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ପଠାଇବେ ବିରୋଧୀ ବିଜେପି ସଦସ୍ୟ । ଆଉ ଚିଠିରେ ମମିତା ଭଳି ଅନେକ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରକୁ ଅପେକ୍ଷା କରିବେ ବୋଲି କହିଛନ୍ତି ବିଜେପି ବିଧାୟକ । ଆଉ ଉତ୍ତର ନମିଳିଲେ ଓଡ଼ିଶାବାସୀଙ୍କ ବିଶ୍ୱାସ ପ୍ରତି ମୁଖ୍ୟମନ୍ତ୍ରୀ କୁଠାରଘାତ କରୁଥିବା ନେଇ ବାର୍ତ୍ତା ମିଳିବ ବୋଲି କହିଛି ବିରୋଧୀ ବିଜେପି ।

ଏହାଛଡା ମୁଖ୍ୟମନ୍ତ୍ରୀ କାହିଁକି ବିଧାନସଭା ଆସୁନାହାନ୍ତି ତାକୁ ନେଇ ପ୍ରଶ୍ନ କରିଛି ବିଜେପି । ବିଭିନ୍ନ କାର୍ଯ୍ୟକ୍ରମରେ ଜିଲ୍ଲାୱାରୀ ଗସ୍ତ କରୁଥିବା ମୁଖ୍ୟମନ୍ତ୍ରୀ ବିଧାନସଭା କାହିଁକି ଆସୁନାହାନ୍ତି ତାହାକୁ ନେଇ ପ୍ରଶ୍ନ ଉଠାଇଛି । ଏହାବାଦ୍ ବିଧାନସଭା ଶୀତ ଅଧିବେଶନ ଆରମ୍ଭରୁ ଗୃହ ଅଚଳ ହେଉଥିଲେ ମଧ୍ୟ ଏହାକୁ ସ୍ୱାଭାବିକ କରିବାକୁ ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କୌଣସି ଉଦ୍ୟମ ହେଉନଥିବା କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଏହାସହ ଗୃହକାର୍ଯ୍ୟକୁ ସ୍ୱାଭାବିକ କରିବାକୁ ଯେଉଁ ସର୍ବଦଳୀୟ ବୈଠକ ଡକାଯିବା କଥା ତାହା ହେଉନାହିଁ ବୋଲି କହିଛି ବିଜେପି । ତେଣୁ ଗୃହ ଅଚଳ ପାଇଁ ଶାସକ ଦଳ ଦାୟୀ ବୋଲି କହିଛନ୍ତି ମୋହନ ।

ଅନ୍ୟପଟେ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ଗୃହରେ ପ୍ରତିବାଦ କରିଛନ୍ତି ବିଜେଡି ବିଧାୟକ । ପାଇକ ବିଦ୍ରୋହକୁ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ନ ମିଳିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ବର୍ଷିଛନ୍ତି । ଗୃହରେ ପ୍ରତିବାଦ ପରେ ବିଧାନସଭାରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେଡି ବିଧାୟକ ।  ଆଉ ବାରମ୍ବାର ହଟ୍ଟଗୋଳ କାରଣରୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି । ବିଧାନସଭା ଆରମ୍ଭରୁ ହିଁ ଗୃହ ସ୍ୱାଭାବିକ ଭାବେ ଚାଲିପାରୁନି । ତେଣୁ ରାଜ୍ୟର ଅନେକ ସମସ୍ୟା ଗୃହରେ ଆଲୋଚନା ହୋଇପାରୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।