ହାତରେ ପିସ୍ତଲ ଧରି ନାଚିଲେ ବିଜେପି ବିଧାୟକ: କହିଲେ ଭାରତରେ ସେ ହିଁ ଏକମାତ୍ର କରିପାରନ୍ତି ଏଭଳି କାର୍ଯ୍ୟ

567

କନକ ବ୍ୟୁରୋ: ବିଧାୟକଙ୍କ ଗୋଟିଏ ହାତରେ ମଦ ଗ୍ଲାସ ଓ ଅନ୍ୟ ହାତରେ ପିସ୍ତଲ । ମଦ ଗ୍ଲାସ ଓ ପିସ୍ତଲ ହାତରେ ଧରି ଲମ୍ବା ଲମ୍ବା ଘୁଂଘଟ କାହେକୋ ଡାଲା ଗୀତର ତାଳେ ତାଳେ ଠୁମକା ଲଗାଉଛନ୍ତି ଉତ୍ତରାଖଣ୍ଡର ବିଧାୟକ ପ୍ରଣବ ସିଂହ । ତେବେ ସବୁଠୁ ବଡ କଥା ହେଉଛି ଏହି ବିଧାୟକ ଜଣକ ହାତରେ ଗୋଟିଏ କି ଦୁଇଟି ନୁହେଁ ଏକକାଳୀନ ଚାରି ଚାରିଟି ପିସ୍ତଲ ଧରି ନାଚରେ ମସଗୁଲ ଅଛନ୍ତି । ନେତାଙ୍କ ଏହି କାରନାମା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଏପରିକି ଯେଉଁ ଉତ୍ତରାଖଣ୍ଡର ଜନସାଧାରଣ ତାଙ୍କୁ ବିଧାୟକଭାବେ ନିର୍ବାଚିତ କରିଛନ୍ତି ସେମାନଙ୍କୁ ମନ ଇଚ୍ଛା ଗାଳି କରୁଛନ୍ତି । ଭାଇରାଲ ହୋଇଥିବା ଭିଜୁଆଲରୁ ଜଣାପଡୁଛି ବିଧାୟକଙ୍କ ନିକଟରେ ତାଙ୍କର କିଛି ସମର୍ଥକ ରହିଛନ୍ତି । ଜଣେ ସମର୍ଥକ ପ୍ରଣବଙ୍କୁ ପ୍ରଶଂସା କରିବାକୁ ଯାଇ କହିଛନ୍ତି ଉତ୍ତରାଖଣ୍ଡରେ ସେ ହିଁ ଜଣେ ନେତା ଯିଏକି ଏଭଳି କରିପାରନ୍ତି । ସମର୍ଥକଙ୍କ ପ୍ରଶଂସା ପରେ ପ୍ରଣବ କହୁଛନ୍ତି କେବଳ ଉତ୍ତରାଖଣ୍ଡରେ ନୁହେଁ ସମଗ୍ର ଭାରତରେ କେବଳ ସେ ହିଁ ଏପରି କରିପାରିବେ । ତେବେ ଏହି ଭିଡିଓ କେବେକାର ସ୍ପଷ୍ଟ ଜଣାପଡି ନଥିଲେ ମଧ୍ୟ ଦୁଇ ତିନି ଦିନ ତଳର ବୋଲି କୁହାଯାଉଛି । ପୂର୍ବରୁ ମାରପିଟ ସହ ବିବାଦୀୟ କାର୍ଯ୍ୟ ପାଇଁ ବିଜେପିରୁ ପ୍ରଣବଙ୍କୁ ନିଲମ୍ବିତ କରାଯାଇଛି ।