କନକ ବ୍ୟୁରୋ: ମଧ୍ୟପ୍ରଦେଶ ଉଜ୍ଜୈନିରେ ଗୁଡି ମାଞ୍ଜା ସୂତାରେ କଟିଗଲା ବିଜେପି ନେତାଙ୍କ ନାକ ଓ ଓଠ । ବାଇକରେ ଯାଉଥିବାବେଳେ ଏଭଳି ଅଘଟଣ ଘଟିଛି । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ନେତାଜଣକ ହେଉଛନ୍ତି ବିଜେପି ନେତା ଦୀନଦୟାଲ୍‌ ମଣ୍ଡଳଙ୍କ ଅଫିସ୍‌ ସଚିବ ବିଷ୍ଣୁ ପୋଡ଼ୱାଲ୍‌। ଚୀନା ଗୁଡ଼ି ସୂତା ଯୋଗୁଁ ଆହତ ହେବା ପରେ ତାଙ୍କୁ ପାଖରେ ଥିବା ଗୋଟାଏ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Advertisment

ପ୍ରାପ୍ତ ସୂଚନା ଅନୁସାରେ, ଏକ କାର୍ୟ୍ୟକ୍ରମରେ ଯୋଗ ଦେବା ନିମନ୍ତେ ଅପରାହ୍ଣ ପ୍ରାୟ ୧ଟା ବେଳେ ୪୦ ବର୍ଷିୟ ପୋଡ଼ୱାଲ୍‌ ଯାଉଥିବା ବେରଳେ ତାଙ୍କ ମୁହଁରେ ମାଞ୍ଜାଦିଆ ଚୀନା ଗୁଡ଼ି ସୂତା ଘଷି ହୋଇଯିବାରୁ ତାଙ୍କ ନାକ ଓ ଓଠ କଟି ‌ଯାଇଥିଲା। ଚୀନା ମାଞ୍ଜା ଓ ନାଇଲନ୍‌ ଗୁଡ଼ି ସୂତା ବ୍ୟବହାର ବେଆଇନ ହୋଇଥିବାରୁ ଏହି ଘଟଣାରେ ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ଚୀନା ମାଞ୍ଜା ହେଉଛି ଗୁଡ଼ି ଉଡ଼ାରେ ବ୍ୟବହାର କରାଯାଉଥିବା କାଚଗୁଣ୍ଡ ଦିଆ ସୂତା। ଟାଣ ତଥା ପ୍ଲାଷ୍ଟିକ୍‌ ଭଳି ମଜବୁତ ହୋଇ ଥିଲେ ବି ଏହି ସୂତାର କୁଖ୍ୟାତି ରହିଛି।

ଗୁଡ଼ି ଉଡ଼ାଯାଉଥିବା ବେଷଳେ ଏହି ସୂତା ବାଜି ଅନେକ ପକ୍ଷୀ ଆହତ ହେବା ସହିତି ତଣ୍ଟି କଟିଯାଇ କେତେକ ଲୋକ ମରୁଥିବା ଜଣାପଡ଼ିଛି। ତେଣୁ ୨୦୧୭ରେ ‘ନ୍ୟାସ୍‌ନାଲ୍‌ ଗ୍ରିନ୍‌ ଟ୍ରାଇବୁନାଲ୍‌’ ଏହାକୁ ନିଷିଦ୍ଧ କରିଥିଲା।