ବଳଦେବଜୀଉଙ୍କ ରଥଯାତ୍ରା ଦାବି କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର : କହିଲେ, ପୁରୀ ପରି କେନ୍ଦ୍ରାପଡାରେ ହେଉ ରଥଯାତ୍ରା

157

କନକ ବ୍ୟୁରୋ : କେନ୍ଦ୍ରାପଡାରେ ହେଉ ରଥଯାତ୍ରା । ସରକାର ଏକ ବିକଳ୍ପ ନିଷ୍ପତି ନେବା ପାଇଁ ଦାବି କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସଂସ୍କୃତି ଓ ଇତିହାସକୁ ସମ୍ମାନ ଜଣାଇବା ସହ କୋଭିଡ କଟକଣା ପାଳନ କରି କେମିତି ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥଯାତ୍ରା ଆୟୋଜିତ କରିହେବ ସେ ବ୍ୟବସ୍ଥା କରନ୍ତୁ ରାଜ୍ୟ ସରକାର । ରଥଯାତ୍ରାକୁ ନେଇ ଓଡିଶାବାସୀଙ୍କ ମନରେ ଭାବାବେଗ ରହିଛି । ସୁପ୍ରିମକୋର୍ଟ ଗତବର୍ଷ ବିନା ଭକ୍ତରେ ପୂରୀରେ ରଥଯାତ୍ରା କରିବା ପାଇଁ ଅନୁମତି ଦେଇଥିଲେ । ଚଳିତବର୍ଷ ମଧ୍ୟ ସରକାର ସେହି ଅନୁମତି ଆଧାରରେ ପୁରୀରେ ରଥଯାତ୍ରା କରୁଛନ୍ତି । ଯାହାକି ସ୍ୱାଗତଯୋଗ୍ୟ ପଦକ୍ଷେପ ।

ଓଡିଶାରେ ଅନ୍ୟାନ୍ୟ ସ୍ଥାନରେ ଦାବି ଉଠିବା ସ୍ଵାଭାବିକ । କେନ୍ଦ୍ରପଡା ଓ ପୁରୀ ମନ୍ଦିରର ଇତିହାସ ଅତ୍ୟନ୍ତ ଘନିଷ୍ଠ । ତୁଳସୀ କ୍ଷେତ୍ର ଓ ଶ୍ରୀକ୍ଷେତ୍ରର ସମ୍ପର୍କ ୧୭୦୦ ଖ୍ରୀଷ୍ଟାବ୍ଦ ସମୟର । ଏତେ ବର୍ଷର ସମ୍ପର୍କ ଆଉ କେଉଁଠି ଓଡିଶାରେ ନାହିଁ । କାର୍ତ୍ତିକ ମାସରେ ବଳଦେବଜୀଉ ମନ୍ଦିରକୁ ପୁରୀ ମନ୍ଦିରରୁ ପାଟବସ୍ତ୍ର ଯାଏ । ପୁରୀ ମନ୍ଦିର ଓ ବଳଦେବ ଜୀଉ ମନ୍ଦିର ସମାନ ସମୟରେ ହେଲା ।

ରଥ ଉପରେ ନୀତିକାନ୍ତି କେଵଳ ରଥ ଉପରେ ହୋଇପାରିବ । ମନ୍ଦିର ଭିତରେ ହୋଇପାରିବ ନାହିଁ । ୫ଟି କ୍ଷେତ୍ର ଓଡିଶାରେ ଅଛି । ସରକାର ରଥ ନିର୍ମାଣ ପାଇଁ ଅନୁମତି ଦେବା ସହ ମହାପ୍ରଭୁଙ୍କ ରଥ ଉପରକୁ ଆଣିବା ପାଇଁ ଅନୁମତି ଦିଅନ୍ତୁ । କେଵଳ ସେବାୟତ ମାନେ ରଥ ଉପରେ ନୀତିକାନ୍ତି କରିବେ । କୌଣସି ଭକ୍ତ ଯେମିତି ଯିବେ ନାହିଁ ସରକାର ୧୪୪ ଧାରା ମଧ୍ୟ ଲାଗୁ କରିପାରିବେ । ମୁଖ୍ୟମନ୍ତ୍ରୀ ମଧ୍ୟ ହସ୍ତକ୍ଷେପ କରନ୍ତୁ ।

ଯେତେବେଳେ କଳାପାହାଡ଼ ପୁରୀ ଉପରକୁ ଆକ୍ରମଣ କରିଥିଲା, ସେତେବେଳେ କେନ୍ଦ୍ରାପଡା ବଳଦେବ ଜୀଉଙ୍କ ପାଖରେ ରଥଯାତ୍ରା ହୋଇଥିଲା । ଭକ୍ତ ମାନଙ୍କ ଭାବାବେଗ ଆଘାତ ହେବ ନାହିଁ ଓ କୋଭିଡ୍ କଟକଣା ମଧ୍ୟ ବଜାୟ ରହିବ । ଏଭଳି ଏକ ବିକଳ୍ପ ବ୍ୟବସ୍ଥା କରନ୍ତୁ ସରକାର ବୋଲି କହିଛନ୍ତି ବିଜୟ ମହାପାତ୍ର ।