ଅପରାଜିତାଙ୍କ ଟାର୍ଗେଟରେ ବିଜେଡି ଶାସନ ! ଜନ ପରାମର୍ଶ ପଦଯାତ୍ରାରେ ଲୋକଙ୍କୁ କଲେ ସାକ୍ଷାତ, ବେରୋଜଗାରୀ ବଢୁଥିବା ନେଇ ଉଠାଇଲେ ପ୍ରଶ୍ନ । 

ବିଜେପି ଆସିବା ପରେ ବିଜେଡିକୁ ଟାର୍ଗେଟ କରିଛନ୍ତି ଅପରାଜିତା ଷଡଙ୍ଗୀ ।

218

କନକ ବ୍ୟୁରୋ: ବିଜେପି ଆସିବା ପରେ ବିଜେଡିକୁ ଟାର୍ଗେଟ କରିଛନ୍ତି ଅପରାଜିତା ଷଡଙ୍ଗୀ । ଜନ ପରାମର୍ଶ ପଦଯାତ୍ରା କରି ଅପରାଜିତା ଷଡ଼ଙ୍ଗୀ ଆରମ୍ଭ କରିଛନ୍ତି ତାଙ୍କର ରାଜନୈତିକ ଅଭିଯାନ । ୧୮ ବର୍ଷର ଶାସନ କାଳରେ ରାଜ୍ୟରେ ବେରୋଜଗାର ବଢିଥିବା ଅପରାଜିତା ଅଭିଯୋଗ କରିବା ସହ କହିଛନ୍ତି, ରାଜ୍ୟରେ ଯେଉଁ ବିକାଶର କାମ ଚାରି ବର୍ଷରେ ହେବା ଦରକାର, ତାହା ୧୮ ବର୍ଷରେ ହୋଇପାରିନାହିଁ  ।

ଗତ ନଭେମ୍ବର ୨୭ ତାରିଖରେ ଅପରାଜିତା ବିଜେପିରେ ଯୋଗ ଦେଇଥିଲେ । ଯୋଗଦେବା ପରେ ସେ ଓଡିଶା ଫେରି ସିଧା ନରେନ୍ଦ୍ର ପୋଖରିର ସ୍ଥିତି ପରଖିବାକୁ ସେଠାରେ ପହଞ୍ଚିଥିଲେ । ସେଠାରୁ ଆରମ୍ଭ ହୋଇଥିଲା ତାଙ୍କର ରାଜିନୈତିକ ଅଭିଯାନ । ଏଥିମଧ୍ୟରେ ଅପରାଜିତା ବିଭିନ୍ନ ଅଞ୍ଚଳରେ ଜନ ପରାମର୍ଶ ପଦଯାତ୍ରା ଆରମ୍ଭ କରିଛନ୍ତି । ଆଜି ମଧ୍ୟ ଭୁବନେଶ୍ୱର ବରମୁଣ୍ଡାରେ ବିଜେପି ଜନ ପରାମର୍ଶ ପଦଯାତ୍ରାରେ ଯୋଗ ଦେଇ ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି ବିଜେପି ନେତ୍ରୀ  । ଲୋକଙ୍କ ସହ ସାକ୍ଷାତ କରିବା ପରେ ସେ କହିଛନ୍ତି, ଅନେକ ଲୋକ ଏବେ ବି ଅସୁବିଧାରେ ଚଳୁଛନ୍ତି । ଘରେ ରୋଷେଇ ଘର ନାହିଁ । ଘରେ ଅନେକ ଛୋଟ ଛୋଟ ପିଲା ରହୁଥିବାରୁ ଯଦି ଘରେ ନିଆଁ ଲାଗିଯାଏ ତେବେ ବଡ ଧରଣର ଦୁର୍ଘଟଣା ଘଟିପାରେ ବୋଲି ଅପରାଜିତା କହିଛିନ୍ତି । କେବଳ ସେତିକି ନୁହେଁ ଓଡିଶାର ଯୁବକ ସୁରଟ ଯାଇ କାମ କରିବେ, କାହିଁକି ଓଡିଶାରେ ରୋଜଗାର ମିଳିବନାହିଁ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଅପରାଜିତା ।