ହରିୟାଣା ହଲଚଲ ଶେଷ । ସାଥୀ ହୋଇ ସରକାର ଗଢିବେ ବିଜେପି-ଜେଜେପି । ବିଜେପି ହାତରେ ମୁଖ୍ୟମନ୍ତ୍ରୀ ପଦ, ଜେଜେପି ଖାତାରେ ଉପ-ମୁଖ୍ୟମନ୍ତ୍ରୀ ପଦ ।

659

କନକ ବ୍ୟୁରୋ : ହରିୟାଣାରେ କିଏ ଗଢିବ ସରକାର । ଏହାକୁ ନେଇ ଲାଗି ରହିଥିବା ସସପେନ୍ସରେ ଏବେ ପୂର୍ଣ୍ଣଚ୍ଛେଦ ପଡିଛି । ହରିୟାଣାରେ ସରକାର ଗଠନ ପାଇଁ ହାତ ମିଳାଇଲେ ବିଜେପି-ଜେଜେପି । ଆଉ ଏହାସହ କଂଗ୍ରେସର ସରକାର ଗଢିବା ଆଶା ଧୂଳିସାତ ହୋଇଛି ।

ବିଜେପି ଚାଣକ୍ୟ ଅମିତ ଶାହାଙ୍କ ସହ ଜେଜେପି ମୁଖ୍ୟ ଦୁଷ୍ମ୍ୟନ୍ତଙ୍କ ଆଲୋଚନା ପରେ ସରକାର ଗଠନ ପାଇଁ ବାଟ ଫିଟିଛି । ମୁଖ୍ୟମନ୍ତ୍ରୀ ଆସନ ବିଜେପି ହାତରେ ରହିବାକୁ ଥିବା ବେଳେ ଜେଜେପି ଖାତାକୁ ଆସିବ ଉପ-ମୁଖ୍ୟମନ୍ତ୍ରୀ ପଦ । ତେବେ ଏହି ଆଲୋଚନା ପରେ ଅମିତ୍ ଶାହା କହିଛନ୍ତି ଜନମତକୁ ସମ୍ମାନ ଦେଇ ଜେଜେପି ସହ ସାଥୀ ହୋଇ ସ୍ଥିର ସରକାର ଗଢିବାକୁ ନିଷ୍ପତି ନେଇଛି ବିଜେପି ।

କେବଳ ଜେଜେପି ନୁହେଁ ସ୍ୱାଧୀନ ବିଧାୟକ ମଧ୍ୟ ପୂର୍ବରୁ ବିଜେପି ଶିବିରରେ ଏଣ୍ଟ୍ରି ମାରି ସାରିଛନ୍ତି । ତେଣୁ ଆସନ୍ତାକାଲି ବିଧାୟକ ଦଳ ନେତା ବଛାଯିବା ପରେ କାହାକୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ ସେନେଇ ନିଷ୍ପତି ନିଆଯିବ । ଏସବୁ ଭିତରେ ମେଣ୍ଟ ସରକାରରେ ମନୋହର ଲାଲ ଖଟ୍ଟର ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ବସିପାରନ୍ତି । ସେହିଭଳି ଦୁଷ୍ୟନ୍ତ ଚୌଟାଲାଙ୍କ ଉପ-ମୁଖ୍ୟମନ୍ତ୍ରୀ ଆସନରେ ଦେଖିବାକୁ ମିଳିପାରେ ।ଆସନ୍ତାକାଲି ସରକାର ଗଠନ ନେଇ ପ୍ରକିୟା ଆରମ୍ଭ ହେବ ।