ନିର୍ବାଚନ ପୂର୍ବରୁ ବିହାରରେ ବିଜେପିକୁ ଶକ୍ତ ଝଟ୍‌କା । ରାଜେନ୍ଦ୍ର ସିଂ, ଓଷା ବିଦ୍ୟାର୍ଥୀ ପରେ ଦଳ ଛାଡିଲେ ରାଜ୍ୟ ମୁଖପାତ୍ର ରାମେଶ୍ୱର ଚୌରାସିଆ । ସେପଟେ ଏନଡିଏ ମେଣ୍ଟରେ ରହି ଗେମ୍ ଖେଳୁଛି ଏଲଜେପି

208

କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲ ଚାଲିଥିବା ବେଳେ ବିଜେପିକୁ ତୃତୀୟ ଝଟ୍‌କା ଲାଗିଛି । ବିହାର ବିଜେପିର ବରିଷ୍ଠ ନେତା ରାମେଶ୍ୱର ଚୌରାସିଆ ଦଳ ଛାଡିଛନ୍ତି । ସେ ଖାଲି ଦଳ ଛାଡି ନାହାନ୍ତି , ଏନଡିଏରେ ଥିବା ଏଲଜେପିରେ ବି ସାମିଲ ହୋଇଛନ୍ତି । ଚୌରାସିଆ କ୍ରମାଗତ ୩ ଥର ବିଜେପି ଟିକେଟରୁ ନିର୍ବାଚନ ଲଢି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହା ପୂର୍ବରୁ ବିହାର ବିଜେପି ଅଧ୍ୟକ୍ଷ ରାଜେନ୍ଦ୍ର ସିଂ ଓ ଓଷା ବିଦ୍ୟାର୍ଥୀ ବି ବିଜେପିର ହାତ ଛାଡିଥିଲେ । ସେମାନେ ବି ଏଲଜେପିରେ ଯୋଗ ଦେଇଛନ୍ତି ।

ବିଜେପି ଛାଡିଥିବା ରାମେଶ୍ୱର ଚୌରାସିଆ ପୂର୍ବରୁ ବିହାର ବିଜେପିର ପ୍ରବକ୍ତା ରହିବା ସହ ଉତ୍ତରପ୍ରଦେଶ ପାଇଁ ପ୍ରଭାରୀ ଭାବେ ବି କାର୍ଯ୍ୟ କରିଛନ୍ତି । ସେ ଦଳରୁ ଇସ୍ତଫା ଦେବା ପରେ ବିଜେପିକୁ ଏକ ଶକ୍ତ ଝଟକ୍‌ା ଲାଗିଛି । ଚୌରାସିଆ ୨୦୦୦,୨୦୦୫ ଓ ୨୦୧୦ ରେ କ୍ରମାଗତ ଭାବେ ବିଧାୟକ ଭାବେ ଜିତିଥିଲେ । ହେଲେ ୨୦୧୫ ମସିହାରେ ଆରଜେଡିର ଅନିତା ଦେବୀଙ୍କ ଠାରୁ ପରାସ୍ତ ହୋଇଥିଲେ । ଏଥର କିନ୍ତୁ ଲଢେଇ ଜେଡିୟୁ ସହିତ ହେବ । କାରଣ ଚୌରାସିଆ ଯେଉଁ ଆସନରୁ ନିର୍ବାଚିତ ହେଉଥିଲେ ଏଥର ସେହି ଆସନ ଏନଡିଏ ମେଣ୍ଟର ବଡଦଳ ଜେଡିୟୁ ଭାଗରେ ରହିଛି । ଜେଡିୟୁ ସେହି ଆସନ ପାଇଁ ନାଗେନ୍ଦ୍ର ଚନ୍ଦ୍ରବଂଶୀଙ୍କୁ ଟିକେଟ୍ ଦେଇଛି । ଚୌରାସିଆ ନିତୀଶ କୁମାରଙ୍କୁ ନିଜର ବିରୋଧୀ ବୋଲି ବାରମ୍ବାର କହିଆସିଛନ୍ତି । ଏଥର କିନ୍ତୁ ସେ ଏଲଜେପିରୁ ପ୍ରାଥୀ ହୋଇ ଜେଡିୟୁକୁ ଟକ୍କର ଦେବେ ।

ଅନ୍ୟପଟେ ବିଜେପି ଛାଡିଥିବା ରାଜେନ୍ଦ୍ର ସିଂ ଆଶା କରିଥିଲେ କି ତାଙ୍କୁ ଦଳ ଦିନାରା ଆସନରୁ ପ୍ରାର୍ଥୀ କରିବ । ହେଲେ ଏହି ଆସନରୁ ନିତୀଶ ସରକାରରେ ମନ୍ତ୍ରୀ ଥିବା ଜୟ କୁମାର ସିଂଙ୍କୁ ପୁଣି ଜେଡିୟୁ ଟିକେଟ୍ ଦେବାରୁ ସେ ବାଧ୍ୟ ହୋଇ ଦଳ ଛାଡିଥିବା ଜଣାପଡିଛି । ସେହି ଭଳି ବିଜେପି ଛାଡି ଏଲଜେପିରେ ସାମିଲ ହୋଇଥିବା ଓଷା ବିଦ୍ୟାର୍ଥୀ ଆଶା କରିଥିଲେ କି ତାଙ୍କୁ ପାଲିଗଞ୍ଜ ଆସନରୁ ଟିକେଟ୍ ମିଳିବ ହେଲେ ସେହି ଆସନ ବି ଜେଡିୟୁ ଭାଗରେ ପଡିଲା । କହିରଖୁ କି ଏଲଜେପିର ରାଜ୍ୟମୁଖ୍ୟ ଚିରାଗ ପଶ୍ୱାନ ଜେଡିୟୁ ବିରୁଦ୍ଧରେ ସବୁ ଆସନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛି ।