ସ୍ମିତାରାଣୀ ମୃତ୍ୟୁ ବିବାଦକୁ ନେଇ ଥମୁନି ରାଜନୀତି : ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ବିଧାନସଭା ଅଚଳ କରିବାକୁ ଧମକ ଦେଲା ବିଜେପି, ନ୍ୟାୟ ନମିଳିଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ନିକଟରେ ଫେରାଦ ହେବାକୁ ଚେତାବନୀ

248

କନକ ବ୍ୟୁରୋ : ସ୍ମିତାରାଣୀ ମୃତ୍ୟୁ ମାମଲାକୁ ନେଇ ରାଜନୀତି ଥମିବାର ନା ନେଉନି । ତୁରନ୍ତ ହତ୍ୟା ମାମଲା ଦାଏର କରି  ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଲେ ବିଧାନସଭାକୁ ଚଳାଇ ନଦେବା ପାଇଁ ଧମକ ଦେଇଛି ବିଜେପି । ମୃତ ମହିଳାଙ୍କ ଚରିତ୍ର ସଂହାର କରିଥିବାରୁ ଏସପିଙ୍କ ବହିଷ୍କାର ଦାବି କରିଛି ଦଳ । ସେହିପରି ମହିଳା କମିଶନ ଅଧ୍ୟକ୍ଷାଙ୍କ ତଦନ୍ତ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି । ସେପଟେ ବିଜେଡି କହିଛି ଏହି ମାମଲାରେ ପ୍ରହେଳିକା ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛି ବିଜେପି । 

 

ଧର୍ମଶାଳା ବ୍ଳକ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାକୁ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଗତକାଲି ଗ୍ରାଉଣ୍ଡ ଜିରୋରେ ତଥ୍ୟ ଅନୁସନ୍ଧାନ କରିବା ପରେ ଆଜି କଡ଼ା ଆଭିମୁଖ୍ୟ ଦେଖାଇଛି ଦଳ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି  ପ୍ରଦୀପ୍ତ ନାୟକ କହିଛନ୍ତି, ସ୍ମିତାରାଣୀ ମୃତ୍ୟୁ ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ  ବିଧାନସଭାକୁ ଅଚଳ କରି ଦିଆଯିବ । ସେପଟେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ବିଜେପି ଏହି ମାମଲାରେ ପ୍ରହେଳିକା ସୃଷ୍ଟି କରୁଛି । ଯଦି ତଥ୍ୟ ଓ ପ୍ରମାଣ ରହିଛି, ତେବେ ପୋଲିସ ଓ କୋର୍ଟକୁ ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି । 

ବିଜେପିର ଦାବି ହେଉଛି –

ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ

ହତ୍ୟା ମାମଲା ଦାୟର ହେଉ

ଏସ୍ପି ଓ ମହିଳା କମିସନରଙ୍କୁ ବହିଷ୍କାର କରାଯାଉ 

() ଏହି ମାମଲାରେ ବିଜେପି ସହ ସ୍ୱର ମିଳାଇଛି କଂଗ୍ରେସ 

() ଏହି ମାମଲାରେ ନ୍ୟାୟ ନମିଳିଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରାଯିବ ବୋଲି କହିଛି ବିଜେପି ।