ଅବାଧ ନିର୍ବାଚନ ପାଇଁ ୨ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ବଦଳି ଦାବି କଲା ବିଜେପି ! ଉଭୟ ଅଫିସର୍ ରାଜ୍ୟ ସରକାରଙ୍କ ହାତବାରିସି ସାଜିଥିବା ଅଭିଯୋଗ

297

କନକ ବ୍ୟୁରୋ : ଲୋକସଭା ନିର୍ବାଚନକୁ ଆଉ କିଛି ମାସ ବାକି । ଆଉ ଏଥିପାଇଁ ରାଜନୈତିକ ଦଳଗୁଡ଼ିକ ରଣନୀତି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ଦେଶବ୍ୟାପୀ ଏକ ନିର୍ବାଚନୀ ପରିବେଶ ସୃଷ୍ଟି ହୋଇଛି । ବିଜେପି ନେତୃତ୍ୱାଧୀନ ଏନଡ଼ିଏ ସରକାର ନିଜ ଗାଦି ବଞ୍ଚାଇବାକୁ ଚେଷ୍ଟା ଚଳାଇଥିବାବେଳେ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ଶାସକକୁ ଗାଦିଚ୍ୟୁତ କରିବା ପାଇଁ ଚେଷ୍ଟା ଚଳାଇଲେଣି ।

 

 

ଲୋକସଭା ନିର୍ବାଚନ ସମୟରେ ହେବ ଓଡ଼ିଶାର ବିଧାସଭା ନିର୍ବାଚନ । ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଏବେ ଠାରୁ ଓଡ଼ିଶାର ରାଜନୀତି ପାଣିପାଗ ସରଗରମ । ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ଏବେଠାର କାଦୁଅ ଫୋପଡ଼ା ଫୋପଡ ହେଲେଣି । ଏପରିସ୍ଥଳେ ବିଜେପି ୨ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ବଦଳି ଦାବି କରିଛି ।

ସୂଚନା ଅନୁସାରେ ଉନ୍ନୟନ କମିସନ୍ ତଥା ଗୃହ ସଚିବଙ୍କୁ ଭେଟି ଭାରତୀୟ ଜନତା ପାର୍ଟି ୨ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ବଦଳି ଦାବି କରିଛି । ଆଇଜି ଅମିତାଭ ଠାକୁର ଏବଂ ଡିଆଇଜି ଆଶିଷ ସିଂହଙ୍କ ବଦଳି ଦାବି କରିଛି ବିଜେପି । ବିଜେପିର ଅଭିଯୋଗ ଅନୁସାରେ ଏହି ୨ ବରିଷ୍ଠ ଆଇପିଏସ୍ ଅଧିକାରୀ ରାଜ୍ୟ ସରକାରଙ୍କ ହାତବାରିସି ସାଜିଛନ୍ତି । ଅବାଧ ନିର୍ବାଚନ ପାଇଁ ଉଭୟ ଅଫିସରଙ୍କ ବଦଳି ଜରୁରୀ ଅଛି ବୋଲି ବିଜେପି କହିଛି ।