ଅନେକ ରାଜ୍ୟରେ ବିଜେପି ବଦଳାଇଲା ରାଜ୍ୟ ସଭାପତି, ଜାଣନ୍ତୁ ବିହାର ଓ ରାଜସ୍ଥାନରେ କାହାକୁ ମିଳିଲା ସଭାପତି ପଦ

327

କନକ ବ୍ୟୁରୋ : ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଆଗାମୀ ନିର୍ବାଚନକୁ ନଜରରେ ରଖି ସମସ୍ତ ରାଜନୈତିକ ଦଳମାନେ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ କେନ୍ଦ୍ର କ୍ଷମତାରେ ଥିବା ବିଜେପି ଆଜି ବିଭିନ୍ନ ରାଜ୍ୟରେ ଥିବା ସଭାପତିଙ୍କୁ ବଦଳାଇ ନୂଆ ସଭାପତିଙ୍କ ନାମ ଘୋଷଣା କରିଛି ।

ବିଜେପି ତରଫରୁ ଆଜି ବିଭିନ୍ନ ରାଜ୍ୟରେ ନୂଆ ସଭାପତି ନିଯୁକ୍ତ କରିଛି । ଦିଲ୍ଲୀରେ ବିରେନ୍ଦ୍ର ସଚଦେବାଙ୍କୁ ଦଳ ଦାୟୀତ୍ୱ ଦେଇଛି । ଦିଲ୍ଲୀ ଏମସିଡି ନିର୍ବାଚନରେ ଦଳ ପରାଜିତ ହେବା ପରେ ରାଜ୍ୟ ସଭାପତି ଥିବା ଆଦେଶ ଗୁପ୍ତା ସଭାପତି ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ବିରେନ୍ଦ୍ର ସଚଦେବା କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ ହୋଇଥିଲେ ।

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ବିହାରରେ ମଧ୍ୟ ନୂଆ ସଭାପତି ନିଯୁକ୍ତ କରିଛନ୍ତି । ସମ୍ରାଟ ଚୌଧୁରୀଙ୍କ ବିହାର ବିଜେପିର ସଭାପତି ଭାବେ ନିଯୁକ୍ତ କରାଯାଇଛି । ଏହାସହ ରାଜସ୍ଥାନରେ ଦଳର ସଭାପତି ଭାବେ ସି.ପି ଯୋଶୀଙ୍କୁ ନିଯୁକ୍ତ କରାଯାଇଛି । ସିପି ଯୋଶୀ ରାଜସ୍ଥାନ ବିଜେପିର ଜଣେ ବ୍ରାହ୍ମଣ ଚେହେରା । ସେ ଏବେ ଚଣ୍ଡିଗଡ ଲୋକସଭା ଆସନରୁ ସାଂସଦ ଅଛନ୍ତି । ଏହା ପୂର୍ବରୁ ରାଜସ୍ଥାନର ବିଜେପିର ସଭାପତି ଭାବେ ସତୀଶ ପୁନିଆ କାର୍ଯ୍ୟ ତୁଲାଉଥିଲେ ।

ସେପଟେ ସମ୍ରାଟ ଚୌଧୁରୀଙ୍କୁ ବିଜେପି ବିହାରର ସଭାପତି ଭାବେ ନିଯୁକ୍ତି ଦେଇ ରାଜନୀତିରେ ଏକ ନୂଆ ସମିକରଣ ପ୍ରସ୍ତୁତ କରିଛି । ବିଜେପି ତରଫରୁ ସମ୍ରାଟ ଚୌଧୁରୀଙ୍କୁ ପ୍ରଥମେ ବିହାର ବିଧାନପରିଷଦର ବିରୋଧୀଦଳ ନେତା ଭାବେ ଚୟନ କରିଥିଲା । ଏବେ ତାଙ୍କୁ ପୁରା ରାଜ୍ୟର ଦାୟୀତ୍ୱ ଦିଆଯାଇଛି । ସମ୍ରାଟ ଚୌଧୁରୀ କୁଶବାହା ସମାଜର ଆସିଥିବାରୁ ଏହା ଏକ ବଡ ଭୋଟ ବ୍ୟାଙ୍କ ଉପରେ ପ୍ରଭାବ ପକାଇବ ବୋଲି ଦଳ ଆଶା କରିଛି ।