ଅମିତ ଶାହାଙ୍କ ପାଇଁ ବଦଳିଯିବ କି ବିଜେପିର ସମ୍ବିଧାନ ?

ପୁଣି ଥରେ ଅମିତ ଶାହା ହିଁ ବିଜେପିର ରାଷ୍ଟ୍ରୀୟ ସଭାପତି ହେବେ !

314

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀର ରାମଳୀଲା ମଇଦାନରେ ବିଜେପିର ୨ ଦିନିଆ ରାଷ୍ଟ୍ରୀୟ ପରିଷଦ ବୈଠକରେ ଆରମ୍ଭ ହୋଇଯାଇଛି । ସେହି କାର୍ଯ୍ୟକ୍ରମରେ ୧୦ ହଜାରରୁ ଅଧିକ କର୍ମୀ ଉପସ୍ଥିତ ଥିଲେ । ବର୍ତମାନ ସାରା ଦେଶରେ ମୋଦିଙ୍କ ପାଇଁ ଲୋକମାନେ ଭୋଟ ଦେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ପୁଣି ଥରେ ଅମିତ ଶାହା ହିଁ ବିଜେପିର ରାଷ୍ଟ୍ରୀୟ ସଭାପତି ହେବେ । ଶ୍ରୀ ଶାହାଙ୍କ କାର୍ଯ୍ୟକାଳ ଚଳିତ ମାସ ଜାନୁଆରୀ ୨୬ରେ ସରିବ । ତେବେ ସେ ଯଦି ସଭାପତି ହେବେ ତେବେ ପାର୍ଟିର ଆଇନ ବଦଳାଇବା ପାଇଁ ପଡିବ । ୨୦୧୪ ନିର୍ବାଚନ ସମୟରେ ବିଜେପିର ପାର୍ଟି ଅଧ୍ୟକ୍ଷ ରାଜନାଥ ସିଂହ ଥିଲେ । ଶ୍ରୀ ସିଂହଙ୍କ ନେତୃତ୍ୱରେ ବିଜେପି ସାରା ଦେଶରେ ବହୁମତରେ ବିଜୟ ହୋଇଥିଲା । ଏହାପରେ ବିଜେପି ସରକାର ଆସିବା ପରେ କେନ୍ଦ୍ର ସରକାର ତାଙ୍କୁ ଦେଶର ଗୃହମନ୍ତ୍ରୀ ଭାବରେ ନିଯୁକ୍ତି ଦେଲେ ।

 

ଏହାପରେ ଅମିତ ଶାହାଙ୍କୁ ସଭାପତି ପଦ ମିଳିଥିଲ । ଯେହେତୁ ରାଜନାଥ ସିଂହଙ୍କ କାର୍ଯ୍ୟକାଳ ପୂରା ହୋଇନଥିଲା ତେଣୁ ତାହାର ଦାୟିତ୍ୱ ଶାହା ନେଇଥିଲେ ଓ ତାହାକୁ ପୂରା ମଧ୍ୟ କରିଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ବିଜେପି ପାର୍ଟି ସମ୍ବିଧାନ ଅନୁସାରେ ଜଣେ ବ୍ୟକ୍ତି ୨ ଥର ପାର୍ଟିର ସଭାପତି ହୋଇପାରିବେ । ତେବେ ୨୦୧୮ ମସିହାରେ ବିଜେପିର ହୋଇଥିବାଜାତୀୟ କାର୍ଯ୍ୟକାରିଣୀରେ କାର୍ଯ୍ୟକର୍ତାଙ୍କୁ ଶପଥ କରାଯାଇଥିଲା ଯେ, ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ଦଳ ପୁଣି ଥରେ ସାରା ଦେଶରେ ଭଲ ପ୍ରଦର୍ଶନ କରିବ ଅର୍ଥାତ ବିଜୟ ହେବ ।

 

ତେଣୁ ଅମିତ ଶାହାଙ୍କୁ ପୁଣି ଥରେ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ସଭାପତି ପଦ ଦିଆଯାଇଛି ବୋଲି ଜଣାପଡିଛି । ନିର୍ବାଚନ ପରେ ଦଳୀୟ ନେତାମାନେ ବୈଠକ କରି କିଏ ଦଳର ସଭାପତି ହେବେ ତାହା ନିଷ୍ପତ୍ତି କରିବେ । ଏହାସହ ଯଦି ଅମିତ ଶାହା ସଭାପତି ହେବେ ତେବେ ବିଜେପିର ସମ୍ବିଧାନ ବଦଳାଇବା ପାଇଁ ପଡିବ ବୋଲି ସୂଚନା ମିଳିଛି । ଏହାସହ ପାର୍ଟିର ନିୟମ ଅନୁସାରେ ଦଳରେ ଯିଏ ୧୫ ବର୍ଷ ଧରି ସଦସ୍ୟ ହୋଇଥିବ ସେ ହିଁ ଏହି ପଦରେ ଅଧିଷ୍ଠିତ ହୋଇପାରିବ । ସଭାପତି ପଦ ଲାଗି ନିର୍ବାଚନ ମଧ୍ୟ ହୋଇଥାଏ । ତେବେ ଆଗାମୀ ଦିନରେ କିଏ ବିଜେପିର ରାଷ୍ଟ୍ରୀୟ ସଭାପତି ତାହା ଉପରେ ରହିଛି ନଜର ।