ରାହୁଲଙ୍କ ‘ସର୍ବନିମ୍ନ ଆୟ’ ପ୍ରତିଶ୍ରୁତିକୁ ବିଜେପି ନେତାଙ୍କ କଟାକ୍ଷ ! କହିଲେ, କଂଗ୍ରେସର ପ୍ରତିଶ୍ରୁତି କେବଳ ଶୁଖିଲା ଘୋଷଣା ।

104

ଗତକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଘୋଷଣା କରିଥିବା ସର୍ବନିମ୍ନ ଆୟ ଯୋଜନା ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ । ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ଦେଶର ଲୋକମାନେ କଂଗ୍ରେସ ବାସ୍ତବିକତା ଜାଣିଛନ୍ତି । ଏବଂ କଂଗ୍ରେସର ଚତୁରତାକୁ ମଧ୍ୟ ଦେଶବାସୀ ଭଲ ଭାବେ ଜାଣିଛନ୍ତି । ସେ କହିଛନ୍ତି ରାହୁଲ ଗାନ୍ଧି ଯାହାବି ଘୋଷଣା କରୁଛନ୍ତି, ଯଦି କଂଗ୍ରେସ ସରକାରକୁ ଆସେ, ତେବେ ତାହା କେବେ ହେଲେ ଲାଗୁ ହେବ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ଆଗରୁ ମଧ୍ୟ ଅନେକ ଘୋଷଣା କରିଥିଲା, କିନ୍ତା ସରକାରରେ ଥିବା ସମୟରେ ସେଗୁଡିକ କିଛି ବି ପୂରଣ ହୋଇନଥିଲା । କଂଗ୍ରେସର ପ୍ରତିଶ୍ରୁତି କେବଳ ନିର୍ବାଚନ ପାଇଁ ତାହା କେବେ ହେଲେ ଲାଗୁ ହେବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ।

ତେବେ ଗତକାଲି ଛତିଶଗଡରେ ରାହଲ ଗାନ୍ଧି କହିଥିଲେ ଯେ, କଂଗ୍ରେସ କ୍ଷମତାକୁ ଆସିଲେ ସମସ୍ତଙ୍କ ପାଇଁ ସର୍ବନିମ୍ନ ଆୟ ସୁନିଶ୍ଚିତ କରିବ । ଏକ ଦଳୀୟ ସଭାରେ ଭାଷଣ ଦେଇ ରାହୁଲ ଗାନ୍ଧୀ କହିଥିଲେ, ଦାରିଦ୍ର‌୍ୟତା ଭିତରେ ନୂଆ ଭାରତର ସ୍ୱପ୍ନ ଦେଖିବା ସଂଭବ ନୁହେଁ । ତେଣୁ ଆମାଗୀ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ, ସମସ୍ତ ଗରିବଙ୍କ ସର୍ବନିମ୍ନ ଆୟ ସୁନିଶ୍ଚିତ କରିବ । ଏହା କେବଳ ପ୍ରତିଶ୍ରୁତି ନୁହେଁ ବରଂ ଦେଶ ପାଇଁ କଂଗ୍ରେସର ଦୁରଦୃଷ୍ଟି ବୋଲି ରାହୁଲ କହିଥିଲେ ।

ଏହି ଯୋଜନାରେ ଗରିବଙ୍କ ଅକାଉଁଟକୁ ସିଧାସଳଖ ଟଙ୍କା ଆସିବ । ମୋଦି ସରକାର ଚାଷୀମାନଙ୍କ ପାଇଁ ଏକ ବଡ ଧରଣର ପ୍ୟାକେଜ ଘୋଷଣା କରିବାକୁ ଯୋଜନା କରୁଥିବାବେଳେ ରାହୁଲ ଏହା ପୂର୍ବରୁ ସର୍ବନିମ୍ନ ଆୟ ଗ୍ୟାରେଂଟି ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ସେ କହିଛନ୍ତି ଯେ ଦେଶରୁ ଦାରିଦ୍ର‌୍ୟ ଏବଂ କ୍ଷୁଧା ହଟାଇବା ପାଇଁ ଏହା ଏକ ଐତିହାସିକ ପଦକ୍ଷେପ ହେବ । ରାୟପୁରରେ ଅନୁଷ୍ଠିତ ଏକ କୃଷକ ସମାବେଶରେ ଉଦବୋଧନ ଦେବା ଅବସରରେ ଏହି ଘୋଷଣା କରିଛନ୍ତି । ଏହା ସହିତ ରାହୁଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରି କହିଛନ୍ତି ଦେଶରେ ଏବେ ଧନୀ ଓ ଗରିବ, ଦୁଇଟି ଭାରତ ପାଇଁ ବିଜେପି ସରକାର ପ୍ରୟାସ କରୁଛନ୍ତି । କିନ୍ତୁ କଂଗ୍ରେସ ଗୋଟିଏ ଭାରତକୁ ହିଁ ଦୃଷ୍ଟିରେ ରଖି କାର୍ଯ୍ୟ କରୁଛି । ତେବେ ପ୍ରଶ୍ନ ଉଠୁଛି କଂଗ୍ରେସର ଏହି ପ୍ଲାନ ଆଗାମି ନିର୍ବାଚନ ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେବ କି?