ଆସନ୍ତାକାଲି ରାଜଧାନୀରେ ପାୱାର ସୋ । ଶକ୍ତି ପ୍ରଦର୍ଶନ କରିବେ ବିଜେପି-ବିଜେଡି । ଆସୁଛନ୍ତି ବିଜେପି ଅଧ୍ୟକ୍ଷ ଜେ.ପି.ନଡ୍ଡା ।

96

କନକ ବ୍ୟୁରୋ: କାଲି ଭୁବନେଶ୍ୱରରେ ବିଜେପି ଓ ବିଜେଡି ପାୱାର ଶୋ’ କରିବେ । ଜନତା ମଇଦାନରେ ବିଜେପି ପ୍ରତିନିଧି ସମ୍ମିଳନୀ କରିବ ଆଉ ସେପଟେ ବରମୁଣ୍ଡା ପଡିଆରେ ପଦଯାତ୍ରା ପ୍ରସ୍ତୁତି ପାଇଁ ସମ୍ମିଳନୀ କରିବ ବିଜେଡି ।

  • ୨୯ରେ ରାଜଧାନୀରେ ପାୱାର ସୋ
  • ଶକ୍ତି ପ୍ରଦର୍ଶନ କରିବେ ବିଜେପି-ବିଜେଡି

ଗୋଟିଏ ପଟେ ବିଜେପି ପଞ୍ଚାୟତ ସ୍ତରୀୟ ନେତାଙ୍କୁ ନେଇ ସମ୍ମୀଳନୀ କରିବ, ଆଉ ଗୋଟିଏ ପଟେ ବିଜେଡି ପଦଯାତ୍ରା ପ୍ରସ୍ତୁତି ପାଇଁ ପ୍ରତିନିଧି ସମ୍ମିଳନୀ କରିବ । ମାତ୍ର କିଛି କିଲୋମିଟର ବ୍ୟବଧାନରେ ଦୁଇ ରାଜନୈତିକ ଦଳ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବେ ।

  • ଆସୁଛନ୍ତି ଜେ.ପି.ନଡ୍ଡା
  • ‘ପୁଣି ଫେରିବ ବିଜେପିର ମିଶନ ୧୨୦’

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି ଜେପି ନଡ୍ଡା । ନଡ୍ଡାଙ୍କୁ ସ୍ୱାଗତ କରିବା ପାଇଁ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ଏଥିସହ ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ପଞ୍ଚାୟତସ୍ତରୀୟ ନେତାଙ୍କ ସମ୍ମିଳନୀକୁ ସଫଳ କରିବାକୁ ପୂରା ପ୍ରସ୍ତୁତି କରିଛି ବିଜେପି । ଏହି ସମ୍ମିଳନୀରେ ନଡ୍ଡା ପଞ୍ଚାୟତ ସ୍ତରୀୟ ନେତାଙ୍କୁ ଗୁରୁମନ୍ତ୍ର ଦେବେ । ତା ପରେ ବିଧାୟକ, ସାଂସଦ ଓ ଅନ୍ୟ ନେତାମାନଙ୍କ ସହ ୨୦୨୪ ନିର୍ବାଚନ ନେଇ ଆଲୋଚନା କରିବେ । ନଡ୍ଡାଙ୍କ ଗସ୍ତକୁ ନେଇ ବେଶ ଉତ୍ସାହିତ ଅଛି ରାଜ୍ୟ ବିଜେପି । ନଡ୍ଡାଙ୍କ ଗସ୍ତ ରାଜ୍ୟ ବିଜେପିକୁ ଶକ୍ତି ଯୋଗାଇବ ବୋଲି କହିଛନ୍ତି ସଭାପତି ସମୀର ମହାନ୍ତି । ବିଜେପି ଓଡିଶାରେ ପୁଣି ମିଶନ ୧୨୦ ନେଇ ୨୦୨୪ ନିର୍ବାଚନକୁ ଓହ୍ଲାଇବ ବୋଲି କହିଛନ୍ତିି ପ୍ରଦୀପ ପୂରୋହିତ ।

  • ବିଜେଡି କରିବ ପଦଯାତ୍ରା ପ୍ରସ୍ତୁତି
  • ୨୯ ଓ ୩୦ରେ ଦୁଇ ଦିନ ପ୍ରତିନିଧି ସମ୍ମିଳନୀ

ଅକ୍ଟୋବର ୨ରୁ ଆରମ୍ଭ ହେବାକୁ ଥିବା ପଦଯାତ୍ରାର ପ୍ରସ୍ତୁତି ପାଇଁ ବରମୁଣ୍ଡା ପଡିଆରେ ୨୯ ଓ ୩୦ ତାରିଖରେ ଦୁଇ ଦିନିଆ ପ୍ରତିନିଧି ସମ୍ମିଳନୀର ଆୟୋଜନ କରିଛି ବିଜେଡି । ଦୁଇ ଦିନରେ ପଦଯାତ୍ରାର ପ୍ରସ୍ତୁତି ଓ ପଦଯାତ୍ରା ସମୟରେ କେଉଁ ପ୍ରସଙ୍ଗ ଲୋକଙ୍କ ନିକଟରେ ପହଁଚାଯିବ, ସେ ନେଇ ଛାମୁଆ ସଂଗଠନର ନେତାଙ୍କୁ ମନ୍ତ୍ର ଦିଆଯିବ । ତେବେ ଗୋଟିଏ ଦିନରେ ବଜେଡି ଓ ବିଜେପି ସମ୍ମିଳନୀ କରିବା ପଛର କାରଣ କଣ, ତାର ଉତ୍ତର ମିଳିନାହିଁ । ହେଲେ, ଚର୍ଚ୍ଚା ହେଉଛି ଦଳୀୟ କର୍ମୀଙ୍କ ମନୋବଳକୁ ଉତ୍ସାହିତ କରିବା ପାଇଁ ଓ ଶକ୍ତି ପ୍ରଦର୍ଶନ କରିବାକୁ ଗୋଟିଏ ଦିନକୁ ବାଛିଛନ୍ତି ଦୁଇ ଦଳ ।