ଆଦିବାସୀଙ୍କୁ ନେଇ ମୁହାଁମୁହିଁ ! ବିଜେପି କହିଲା, ସରକାରଙ୍କ ଭୁଲ୍ ନିଷ୍ପତ୍ତିର ଶିକାର ହେବେ ଆଦିବାସୀ । ନେତାଙ୍କ ବୁଦ୍ଧିକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି ।
କନକ ବ୍ୟୁରୋ : ଆଦିବାସୀଙ୍କୁ ନେଇ ମୁହାଁମୁହିଁ । ରାଜ୍ୟ ବିଜେପିକୁ ବିଜେଡିର ଟାର୍ଗେଟ । ବିଜେପି ନେତାଙ୍କ ଉପରେ ବର୍ଷିଲେ ବିଜେଡି ନେତା । ଭାରତୀୟ ଜନତା ପାର୍ଟିର ନେତାମାନେ ବିଶେଷ କରି ପିତାମ୍ବର ଆଚାର୍ଯ୍ୟ ରାଜନୀତିରେ ପ୍ରବେଶ କରିବା ଦିନ ଠାରୁ ଆଇନ୍ ପାଠ ଭୁଲିଯାଇଥିବା ବିଜେଡି କହିଛି । ସେ ଅଭ୍ୟାସଗତ ଭାବେ ଅଶାଳୀନ ଓ ଅଶୋଭନୀୟ ବକ୍ତବ୍ୟ ଦେଉଛନ୍ତି ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଉନ୍ନୟନ ପରିଷଦ ବିଷୟରେ ଯେଉଁ ବକ୍ତବ୍ୟ ରଖାଯାଇଛି, ତାହା ସମ୍ପୂର୍ଣ୍ଣ ବିଭ୍ରାନ୍ତିକର, କପୋଳକଳ୍ପିତ ଓ ଅମୁଳକ । ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାର ବିଜେପି ଦ୍ୱାରା ଇଏ ଆଉ ଏକ ଉଦ୍ୟମ । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଏକ ସାମ୍ବାଧାନିକ ବିଧି ବ୍ୟବସ୍ଥା ନୁହେଁ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପିତାମ୍ବର ଆଚାର୍ଯ୍ୟ କହିଥିଲେ, ନବୀନ ସରକାର ହେଉଛି ଆଦିବାସୀ ବିରୋଧୀ ସରକାର । ଏ ସରକାର କେବଳ ଆଦିବାସୀମାନଙ୍କୁ ନିଜର ଭୋଟ ବ୍ୟାଙ୍କ ପାଇଁ ବ୍ୟବହାର କରିଆସିଛି । ଆଦିବାସୀମାନଙ୍କ ସମସ୍ୟାର ସମାଧାନ ଓ ସେମାନଙ୍କର ଆର୍ଥୀକ ବିକାଶ ପାଇଁ ଏ ସରକାର କିଛି କରିନାହାନ୍ତି ବଂର ଆଦିବାସୀମାନଙ୍କର ସମସ୍ୟାକୁ ଆହୁରି ବଢାଇଛନ୍ତି । ଓଡିଶାରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ନାହିଁ । ସମ୍ବିଧାନ ୨୪୪ ଧାରା ଅନୁଯାୟୀ ତଫସିଲ ଭୃକ୍ତ ଜାତି ଜନଜାତି ବସବାସ କରୁଥିବା ଅଂଚଳରେ ସେମାନଙ୍କ ସମାଜିକ, ଅର୍ଥନୈତିକ ବିକାଶ ସହ କଣ କଣ ଯୋଜନା ଲାଗୁ କରାଯିବ ସେ କଥା ବୁଝିବା ରାଜ୍ୟପାଳଙ୍କ ଦାୟୀତ୍ୱ । ରାଜ୍ୟପାଳଙ୍କ ଏହି କ୍ଷମତାକୁ ମୁଖ୍ୟମନ୍ତ୍ରୀ ଅପବ୍ୟବହାର କରୁଛନ୍ତି ।
ସେପଟେ ପିତାମ୍ବରଙ୍କୁ ଟାର୍ଗେଟ କରି ବିଜେଡି କହିଛି, ଅନୁସୂଚିତ ଜନଜାତି ଭାଇ ଭଉଣୀ ମାନଙ୍କର କୃଷି, ସ୍ୱାସ୍ଥ୍ୟ, ପାନୀୟ ଜଳ ଏବଂ ପୂର୍ଣ୍ଣାଙ୍ଗ ବିକାଶ ପାଇଁ ରାଜ୍ୟ ସରକାର ଚେଷ୍ଟିତ ଥିବାବେଳେ କେନ୍ଦ୍ର ସରକାର କେବିକେ ଯୋଜନା, ବିଆରଜିଏଫ୍ ଯୋଜନା ଓ ଆଇଏପି ଯୋଜନାକୁ ବନ୍ଦ କରି ସେମାନଙ୍କ ପ୍ରତି କୁଠାରଘାତ କରିଛନ୍ତି । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଏକ ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ଏହାକୁ ଗୌଣ ଓ ବିଭ୍ରାନ୍ତ କରିବାପାଇଁ ଯେଉଁ ଅପଚେଷ୍ଟା ବିଜେପି କରୁଛି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ସେ କହିଛନ୍ତି ।
ଜଙ୍ଗଲ ଜମି ଅଧିକାର ଆଇନ୍ ବଳରେ ରାଜ୍ୟ ସରକାର ଲକ୍ଷ ଲକ୍ଷ ଅନୁସୂଚିତ ଜନଜାତିମାନଙ୍କୁ ଜଙ୍ଗଲ ଜମି ଅଧିକାର ପ୍ରଦାନ କରିଛନ୍ତି ଏବଂ ଭାରତବର୍ଷରେ ସୁନାମ ଅର୍ଜନ କରିଛନ୍ତି । ଦୁର୍ଭାଗ୍ୟର ବିଷୟ ହେଉଛି ଏହି ଅଧିକାର ଆଇନ୍ ଉପରେ ଯେତେବେଳେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟରେ ଜଙ୍ଗଲ ଜମି ଅଧିକାରଗୁଡ଼ିକୁ ନେଇ ତର୍ଜମା ଚାଲିଥିଲା ସେତେବେଳେ କେନ୍ଦ୍ର ସରକାର ନିଜର ପକ୍ଷ ରଖିବା ପାଇଁ କୌଣସି ଆଇନଜୀବୀଙ୍କୁ ନ୍ୟାୟାଳୟରେ ପକ୍ଷଭୁକ୍ତ ନ କରାଇବା କେନ୍ଦ୍ର ସରକାରଙ୍କ ଉଦାସୀନ ମନୋଭାବକୁ ସ୍ପଷ୍ଟ କରୁଛି ।