ଧାମନଗରରେ ଗାଁ ଗାଁରେ ଉଡୁଛି ଟଙ୍କା: ଭୋଟ ପାଇଁ ନୋଟର ଅଭିଯୋଗ ଆଣି ଶାସକ ଦଳକୁ ଘେରିଲା ବିଜେପି

75

କନକ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଯେତିକି ଉପନିର୍ବାଚନ ହୋଇଛି, ସବୁଠୁ ରୋଚକ ହୋଇଛି ଧାମନଗର ଉପନିର୍ବାଚନ । ଟଙ୍କା ବଂଟାର ଏପରି ଦୃଶ୍ୟ ଅନ୍ୟ କୌଣସି ଉପ-ନିର୍ବାଚନରେ ଦେଖିବାକୁ ମିଳିନଥିଲା । କିମ୍ବା ଏହାକୁ ନେଇ ବିଜେଡି-ବିଜେପି ମଧ୍ୟରେ ତୁ-ତୁ ମେ-ମେ ଏପରି ସ୍ତରରେ ହୋଇନଥିଲା । ଭାଇରାଲ ହେବାରେ ଲାଗିଛି ଭୋଟ ପାଇଁ ନୋଟର ଗୋଟିଏ ପରେ ଗୋଟିଏ ଦୃଶ୍ୟ । ରବିବାର ଦିନ କରଦା ପଂଚାୟତରେ ଟଙ୍କା ବାଂଟୁଥିବା ଅଭିଯୋଗରେ ଜଣଙ୍କୁ ଧରିଥିଲେ ସ୍ଥାନୀୟ ଲୋକେ । ଏଡାକୁ ନେଇ ଉତେଜନାମୂଳକ ସ୍ଥିତି ଉପୁଜିଥିଲା । ଦହିପୁର ପଂଚାୟତରେ ମଧ୍ୟ ଅନୁରୂପ ଅଭିଯୋଗ ହୋଇଛି । ସେହିଭଳି ଦକ୍ଷିଣ କୋରୁଆରୁ ଆସିଛି ସମାନ ଅଭିଯୋଗ ।

ବିଜେପିର ଅଭିଯୋଗ ପ୍ରଶାସନିକ କଳ ଓ ଏସଏଚଜି ମହିଳାଙ୍କ ଜରିଆରେ ଟଙ୍କା ବଂଟାଯାଉଛି । ଶାସକ ଦଳ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରୁଥିବା ବିଜେପି ଅଭିଯୋଗ କରିଛି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଭଦ୍ରକ ଏସପି ଅଫିସ ଆଗରେ ଆଜି ଧାରଣା ଦେଇଥିଲା ବିଜେପି । ଅନ୍ୟପଟେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଧାମନଗର ଉପନିର୍ବାଚନରେ ବିଜେପି ଗୁଣ୍ଡାଗର୍ଦ୍ଦି କରିବା ସହ ଆଚରଣ ବିଧି ଉଲଂଘନ କରୁଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ।

ପ୍ରଚାର ଶେଷ ପର୍ଯ୍ୟାୟରେ ଥିବା ବେଳେ ନିଜ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାଣମୂର୍ଚ୍ଚା ଉଦ୍ୟମ ଆରମ୍ଭ କରି ଦେଇଛନ୍ତି ରାଜନୈତିକ ଦଳ । ଆଉ ଏହାରି ଭିତରେ ବିଜେଡି-ବିଜେପି କଥା କଟାକଟି ତୀବ୍ର ହେବାରେ ଲାଗିଛି । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ପ୍ରଚାର କରୁଥିବା ବେଳେ ବିଜେଡିର ହେଭିୱେଟ୍ ନେତାଙ୍କୁ କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ।

ଗୋଟିଏ ପଟେ ଧାମନଗର ଆସନକୁ ପୁଣିଥରେ ହାତେଇବା ପାଇଁ ବିଜେପି କସରତ କରୁଛି, ଅନ୍ୟପଟେ ବିଜେପି ଠାରୁ ଏହି ଆସନକୁ ଛଡ଼ାଇନେବା ପାଇଁ ଉଦ୍ୟମ କରୁଛି ବିଜେଡି । ପ୍ରଚାର ମଇଦାନରେ ଦୁଇ ଦଳ ମଧ୍ୟରେ ଜୋରଦାର ଟକ୍କର ଚାଲିଥିବା ବେଳେ ଟଙ୍କା ବଂଟାର ଗୋଟିଏ ପରେ ଗୋଟିଏ ଦୃଶ୍ୟ ଆସିବାରେ ଲାଗିଛି । ଏବେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।