୪ଟି ରାଜ୍ୟ ପାଇଁ ପ୍ରଭାରୀ ନିଯୁକ୍ତ କଲା ବିଜେପି । ନରେନ୍ଦ୍ର ସିଂହ ତୋମାରଙ୍କୁ ଆସାମ, ପ୍ରହଲ୍ଲାଦ ଯୋଶୀଙ୍କୁ କେରଳର ଦାୟିତ୍ୱ

300

କନକ ବ୍ୟୁରୋ: ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ମଙ୍ଗଳବାର ଚାରୋଟି ରାଜ୍ୟ ପାଇଁ ପ୍ରଭାରୀ ଓ ସହ ପ୍ରଭାରୀ ନିଯୁକ୍ତି କରିଛି । ଆସାମ ସହିତ ତାମିଲନାଡୁ, କେରଳ ଓ ପୁଡୁଚେରୀ ପାଇଁ ଏହି ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ଏହି ସବୁ ରାଜ୍ୟରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ବିଜେପି ଏମାନଙ୍କୁ ନିଯୁକ୍ତ କରିଛି ।

ଏହିକ୍ରମରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଆସାମର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ତାଙ୍କ ସହ ଡକ୍ଟର ଜିତେନ୍ଦ୍ର ସିଂହଙ୍କୁ ସହ-ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ତାମିଲନାଡୁରେ କିଷାନ ରେଡ୍ଡୀଙ୍କୁ ପ୍ରଭାରୀ ଓ ବିକେ ସିଂହଙ୍କୁ ସହ ପ୍ରଭାରୀ ନିଯୁକ୍ତ କରାଯାଇଛି । ଏହାସହ କେରଳ ପାଇଁ ପ୍ରହଲ୍ଲାଦ ଯୋଶୀ ଓ ପୁଡୁଚେରୀ ପାଇଁ ଅର୍ଜୁନ ରାମ ମେଘବାଲଙ୍କୁ ପ୍ରଭାରୀ ନିଯୁକ୍ତ କରାଯାଇଛି ।

ଏହି ସବୁ ରାଜ୍ୟରେ ଚଳିତ ବର୍ଷ ଏପ୍ରିଲ୍ କିମ୍ବା ମେ ମାସରେ ନିର୍ବାଚନ ହେବାକୁ ଅଛି । ତା ସହ ପଶ୍ଚିମବଙ୍ଗରେ ମଧ୍ୟ ବିଧାନସଭା ଇଲେକ୍ସନ ହେବ । ଏଥିପାଇଁ ଦଳ ପୂର୍ବରୁ କୈଳାସ ବିଜୟ ବର୍ଗୀୟଙ୍କୁ ପ୍ରଭାରୀ ଦାୟିତ୍ୱ ଦେଇସାରିଛି ।