ଥମୁନି ମମତା ଓ ବିଜେପି କଳି । ଶାହାଙ୍କ ସଭାସ୍ଥଳରେ ପହଞ୍ଚିଲା ପୋଲିସ, ଷ୍ଟେଜ ଭାଙ୍ଗିବାକୁ ଦେଲା ନିର୍ଦ୍ଦେଶ । ରାସ୍ତାରୁ ହଟାଇଲା ମୋଦିଙ୍କ ପୋଷ୍ଟର ।

616

ପଶ୍ଚିମବଙ୍ଗରେ ବିଜେପି ଓ ମମତା କଳି ଥମିବାର ନାଁ ନେଉନାହିଁ । ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିର୍ବାଚନ ସଭା ଓ ହେଲିକପ୍ଟର ଅବତରଣ କରିବାକୁ ଅନୁମତି ନ ମିଳିବା ପରେ ଏହି କଳି ଉଗ୍ର ରୂପ ଧରିଛି । ଏସବୁ ଭିତରେ ଆଜି ଅମିତ ଶାହାଙ୍କ ରାଲି ପୂର୍ବରୁ କୋଲକାତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଜେପି ନେତାଙ୍କୁ ରାଲି ପାଇଁ ଅନୁମତି ପତ୍ର ମାଗିଥିଲେ ।

ମିଳିଥିବା ସୂଚନା ମୁତାବକ, କୋଲକାତା ପୋଲିସ ଷ୍ଟେଜ ସହ ଜଡିତ ଅନୁମତି ପତ୍ର ମାଗିଥିଲେ ଓ ଏହା ନ ମିଳିବାରୁ ଷ୍ଟେଜ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି । ବିଜେପି କର୍ମୀ ମାନେ ସଭାସ୍ଥଳରେ ଧାରଣାରେ ବସିଥିବା ବେଳେ ଉତ୍ତର କୋଲକାତାରେ ରୋଡ ସୋ କରିବାକୁ ଟ୍ୱିଟ୍ କରି ଜଣାଇଛନ୍ତି ଅମିତ ଶାହା ।

ସଭାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖା ଦେଇଥିବା ବେଳେ ବିଜେପି କର୍ମୀମାନେ ପୋଲିସକୁ ଘେରାଉ କରିବା ସହ ନାରାବାଜି କରୁଛନ୍ତି । ଏହି ବିବାଦ ମଧ୍ୟରେ କୋଲକାତା ପୋଲିସ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କର୍ମଚାରୀ ମାନେ କୋଲକାତା ସଡକରେ ଲାଗିଥିବା ମୋଦି ଓ ଶାହାଙ୍କ ପୋଷ୍ଟର ହଟାଇ ଦେଇଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି । ବିଜେପି ନେତା ମୁକୁଲ ରାୟ ଅଭିଯୋଗ ଆଣିବା ସହ କହିଛନ୍ତି, ରାଜ୍ୟ ନିର୍ବାଚନ ଅଧିକାରୀ ମମତା ସରକାରଙ୍କ ସମର୍ଥକ ଭାବେ କାର୍ଯ୍ୟ କରୁଛନ୍ତି ।

ଏହାପୂର୍ବରୁ ପଶ୍ଚିମବଙ୍ଗରେ ଅମିତ ଶାହା ଓ ଯୋଗୀ ଆଦିତ୍ୟନାଥଙ୍କ ହେବାକୁ ଥିବା କିଛି ରାଲିକୁ ରଦ୍ଦ କରି ଦିଆଯାଇଥିଲା । ଗତକାଲି ଯାଦବପୁରରେ ଶାହାଙ୍କୁ ରାଲି କରିବାକୁ ଅନୁମତି ମିଳିନଥିବା ବେଳେ ୧୫ ତାରିଖରେ ଯୋଗୀ ଆଦିତ୍ୟନାଥଙ୍କ ରାଲିକୁ ମଧ୍ୟ ରଦ୍ଦ କରି ଦିଆଯାଇଛି । ସପ୍ତମ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୯ଟି ଲୋକସଭା ଆସନ ପାଇଁ ଭୋଟଗ୍ରହଣ କରାଯିବ । ଆଉ ଏହି ଆସନ ଗୁଡିକ ଏବେ ଟିଏମସି ଦଖଲରେ ରହିଛି ।

Comments are closed.