ବିତର୍କର ନାଁ ବିଜେପି-ବିଜେଡି ! ଶଙ୍ଖର ସର୍ତ୍ତ ବନାମ ପଦ୍ମର ସର୍ତ୍ତ ! ଆହ୍ୱାନ ପରେ ଖୋଲା ଆହ୍ୱାନ

40

କନକ ବ୍ୟୁରୋ : ପ୍ରଥମେ ଆହ୍ୱାନ । ପରେ ଖୋଲା ଆହ୍ୱାନ । ପୁଣି ଆହ୍ୱାନକୁ ଆହ୍ୱାନ । ବୁଝିବାକୁ ଅଡୁଆ ହେଲେ ବି ଓଡିଶା ରାଜନୀତିରେ ଆଜି ଏମିତି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ବିଜେପି ଓ ବିଜେଡି ଗୋଟିଏ ମଂଚରେ ବସି ବିତର୍କ କରିବାକୁ ପରସ୍ପରକୁ ଆହ୍ୱାନ ଦେଇ ଆହ୍ୱାନକୁ ଗ୍ରହଣ ବି କରିଛନ୍ତି । ଯାହା ହଲାଇ ଦେଇଛି ରାଜ୍ୟ ରାଜନୀତିକୁ ।

ମଂଚ ବାନ୍ଧ, କେନ୍ଦ୍ରମନ୍ତ୍ରୀଙ୍କୁ ବସାଅ । ଆମେ ବି ବସିବୁ, ଉତ୍ତର ଦେବୁ । ସବୁ ହିସାବ କିତାବ ଓଡିଶା ଲୋକ ଜାଣିବା ଦରକାର । କେନ୍ଦ୍ର ଓଡିଶାରୁ କେଉଁ ହେଡରୁ କେତେ କର ନେଉଛିି ଏବଂ ଓଡିଶାକୁ ଯାହା ଦେଉଛନ୍ତି ତାହା ଦାନ ନା ପୈତୃକ ସମ୍ପତ୍ତି ତାହା ସ୍ପଷ୍ଟ କର । ଗତ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଜନତା ପାର୍ଟିକୁ ଏମିତି ଭାଷାରେ ଚ୍ୟାଲେଞ୍ଜ ଦେଇଥିଲେ ବିଜେଡି ମୁଖପାତ୍ର ।

ଯାହାକୁ ପୁଣି ଥରେ ଗତକାଲି ବି ଦୋହରାଇଥିଲା ଦଳ । ଆଉ ଆଜି ଏହାକୁ ସିରିୟସ ଭାବେ ଗ୍ରହଣ କରିଛି ବିଜେପି । ସିଧା ସିଧା କହିଛି ବିତର୍କ ପାଇଁ ସ୍ଥାନ ତାରିଖ ସମୟ ଧାର୍ଯ୍ୟ କର । ଆମେ ପ୍ରସ୍ତୁତ । ବିଜେପିର ଉତ୍ତର ଶୁଣି ପୁଣି କହିଛି ବିଜେଡି । ବିତର୍କର ସ୍ଥାନ ଭୁବନେଶ୍ୱର । ଆଉ ତାରିଖ ସମୟ ଖୁବଶୀଘ୍ର କହିବୁ ।

ତେବେ ବିତର୍କରେ ବିଜେପି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ବସାଇବ କହି ଭାଷା ବାଣ ମାରିଛି । ବିଜେପି ନେତା ପୃଥିରାଜ ହରିଚନ୍ଦନ କହିଛନ୍ତି, ଆମର ଧର୍ମେନ୍ଦ୍ର ବସିବେ କିନ୍ତୁ ବିଜେଡିର ନବୀନ ବସି ଓଡିଆରେ ଉତ୍ତର ଦେବେ କି କହି ଓଡିଆ ଭାଷାର ବାଣ ଛାଡିଥିଲା । ଯାହାର ଉତ୍ତର ରଖିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ । ପ୍ରତାପ ବି ସଫା ଶୁଣାଇଛନ୍ତି, ଯଦି ନବୀନ ବସିବେ ବିତର୍କରେ ତେବେ ପ୍ରଧାନମନ୍ତ୍ରୀ ବି ଆସନ୍ତୁ । କହିଛନ୍ତି ମୁହାଁମୁହିଁ ବିତର୍କକୁ ମୋଦି ବି ଆସିବା ଦରକାର । ତେବେ ବିଜେଡି ଓ ବିଜେପିର ଏହି ଚ୍ୟାଲେଞ୍ଜ ଓ ପ୍ରତି ଚ୍ୟାଲେଞ୍ଜ ରାଜ୍ୟ ରାଜନୀତିରେ ନିଆଁ ଲଗାଇଦେଇଛି ।

ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ସମାଲୋଚନା କରିଥିଲେ ବିଜେଡି ନେତା ଅରୁଣ ସାହୁ, ସଂଜୟ ଦାଶବର୍ମା ଓ ପ୍ରତାପ ଦେବ । ବିଜେପି ଉଠାଇଥିବା ମୁଦ୍ଦାର ଉତ୍ତର ରଖିଥିଲେ । ଅମିତ ଶାହା ଉଠାଇଥିବା ପରିବାରବାଦ ପ୍ରସଙ୍ଗରେ ଅରୁଣ ସାହୁ କହିଥିଲେ ବିଜୁ ବାବୁ ନିଜ ଜୀବଦଶାରେ ପରିବାରରୁ କାହାକୁ ରାଜନୀତିକୁ ଆଣିନଥିଲେ । ତେଣୁ ଏହି ଉକ୍ତି ଆଦୌ ଗ୍ରହଣୀୟ ନୁହେଁ ।

ଶାହା ପ୍ରଥମେ ପରିବାର ବାଦର ସଂଜ୍ଞା କଣ ବୁଝନ୍ତୁ ବୋଲି କହିଥିଲେ ଅରୁଣ । ସେ କହିଥିଲେ ରାଜନୀତିରେ ଶାଳୀନତା କେବଳ ନବୀନଙ୍କ ପାଖରୁ ମିଳେ । ନବୀନ ବିରୋଧୀ ଦଳ ପାଇଁ କେବେ ମନ୍ତବ୍ୟ ଦିଅନ୍ତି ନାହିଁ । ଓଡିଶାର ପ୍ରଗତି ଓ ଉନ୍ନତି ତାଙ୍କର ଏକମାତ୍ର ଲକ୍ଷ୍ୟ । ନବୀନଙ୍କ ଚାଲିଚଳଣ , ଶିକ୍ଷାଦିକ୍ଷା, ଶିଷ୍ଟାଚାର ଯୋଗୁଁ ସେ ପରବର୍ତ୍ତୀ ପିଢ଼ି ପାଇଁ ଉଦାହରଣ ।

ଅରୁଣ କହିଥିଲେ ରାଜ୍ୟକୁ ସଂଘୀୟ ବ୍ୟବସ୍ଥା ଭିତରେ ଅନୁଦାନ ଦେଉଛି କେନ୍ଦ୍ର । କେହି ରାଜ୍ୟକୁ ଦୟା କରୁ ନାହାଁନ୍ତିି । ରାଜ୍ୟର ମାନବ ସମ୍ବଳରୁ କେନ୍ଦ୍ର କର ନିଏ, ପରେ ତାହାର ସୁଷମ ବଣ୍ଟନ କରାଯାଏ । ଏହା କେନ୍ଦ୍ରର ଦାୟିତ୍ୱ । କେନ୍ଦ୍ର ପଛୁଆ ରାଜ୍ୟକୁ ବିକାଶରୁ ବଞ୍ଚିତ କରୁଛନ୍ତି ।

ତ୍ରୟୋଦଶ ଅର୍ଥ କମିଶନ ଠାରୁ ଚତୁର୍ଦ୍ଦଶ ଅର୍ଥ କମିଶନରେ ଅଧିକ ଅର୍ଥ ଦେବା କଥା କହୁଛନ୍ତି ତାହାର ପରିମାଣ କେତେ । ସମସ୍ତ କେନ୍ଦ୍ରୀୟ ଯୋଜନା ୬୦-୪୦ ଅନୁପାତରେ ଚାଲିଛି । ତେଣୁ ରାଜ୍ୟଉପରେ ବୋଝ ପଡୁଛି । ଏହାପରେ ଅରୁଣ ସିଧା ଟାର୍ଗେଟ କରିଥିଲେ ବିଜେପିକୁ । ମଂଚ ବାନ୍ଧି, ବିତର୍କ ପାଇଁ ପ୍ରସ୍ୁତ ହେବାକୁ ଆହ୍ୱାନ ଦେଇଥିଲେ ।

ବିଜେଡିର ଚ୍ୟାଲେଞ୍ଜକୁ ଗ୍ରହଣ କରିଥିବା କହିଛନ୍ତି ବିଜେପି ନେତା ପୃଥୀରାଜ ହରିଚନ୍ଦନ । ସାମ୍ବାଦିକଙ୍କୁ ଉତ୍ତର ଦେଇଛନ୍ତି, ଆମେ ବିତର୍କ ପାଇଁ ପ୍ରସ୍ତୁତ । କିନ୍ତୁ ଗୋଟିଏ ସର୍ତ୍ତ । ଆମର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବସିବେ ବିତର୍କରେ ହେଲେ ବିଜେଡିର ନବୀନ ବିତର୍କକୁ ଆସି ଓଡିଆରେ ଉତ୍ତର ରଖିବେ । ବିତର୍କ ହେବା ଦରକାର ଓ ରାଜ୍ୟବାସୀ ସତ ଜାଣିବା ଦରକାର ବୋଲି କହିଛନ୍ତି ପୃଥିରାଜ । ଏହାସହ କହିଛନ୍ତି ବିତର୍କର ବିଷୟ ହେବ ନୂଆ ଓଡିଶା । କେନ୍ଦ୍ର ଦେଉଛି କେତେ , ରାଜ୍ୟ ପାଉଛି କେତେ ।

bjd pressmeet on bjpପୃଥିରାଜଙ୍କ ସାମ୍ବାଦିକ ସମ୍ମିଳନୀର କିଛି ସମୟ ପରେ ବିଜେଡି ତରଫରୁ ଉତ୍ତର ଦେବାକୁ ଆସିଥିଲେ ମୁଖପାତ୍ର ପ୍ରତାପ ଦେବ । ବିତର୍କ ପାଇଁ ବିଜେଡି ସଦା ପ୍ରସ୍ତୁତ କହି ସର୍ତ୍ତ କାହିଁକି ବୋଲି କହିଥିଲେ । ଡରୁଛ କି ବନ୍ଧୁ ବୋଲି କହି କଟାକ୍ଷ କରିଛନ୍ତି ପ୍ରତାପ । ଖାଲି ସେତିକି ନୁହେଁ ବିତର୍କରେ ଆମର ସବୁ ମନ୍ତ୍ରୀ ଯିବେ, ମୁଖପାତ୍ର ହୋଇ ମୁଁ ବି ଯିବି ହେଲେ ଯଦି ପ୍ରଧାନମନ୍ତ୍ରୀ ଆସିବେ ତାହାହେଲେ ଯାଇ ନବୀନ ଯିବେ ବୋଲି ସଫା ଶୁଣେଇଛନ୍ତି ।

ସେହିପରି ଫିଙ୍ଗିଦିଅ ଓ ଉପାଡି ଦିଅ ରାକ୍ଷସର ଭାଷା ବୋଲି ଗତକାଲି କହିଥିଲେ ଅରୁଣ ସାହୁ । ଦୁର୍ଯ୍ୟାଧନ ଓ କଂସ ଏମିତି ଭାଷା ବ୍ୟବହାର କରୁଥିଲେ । ସେହିପରି ଅମିତ ଶାହାଙ୍କୁ ରାଜନୀତି ବ୍ଲ୍ୟୁହ୍ୱେଲ ଭାଇରସ ବୋଲି ବି କହିଥିଲା ବିଜେଡି । ଗୋଟିଏ ଦିନରେ ବିଜେପି-ବିଜେଡି ଆଟାକ ଓ କାଉଣ୍ଟର ଆଟାକ ରାଜ୍ୟରେ ଏକ ନିର୍ବାଚନୀ ହ୍ୱାୱା ଖେଳାଇ ଦେଇଥିିବା ବେଳେ କେବେ ଏହି ମହାବିତର୍କ ହେବ ତାହାକୁ ଚାହିଁ ରହିଛନ୍ତି ସଭିଏଁ ।