ରାଜନୀତିରେ ନିଆଁ ଲଗାଇଲା ଗ୍ୟାସ୍ ଚୁଲା ! ଉଜ୍ଜଳାକୁ ନେଇ ପୁଣି ବିଜେପିକୁ ଘେରିଲା ବିଜେଡି, ସିଲିଣ୍ଡର ଓ ଗ୍ୟାସ ଚୁଲାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ

51

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ । ରାଜ୍ୟରେ ଏହି ଯୋଜନା ସମ୍ପୂର୍ଣ୍ଣ ଫେଲ ମାରିଥିବା ବିଜେଡି ଅଭିଯୋଗ କରିଥିବା ବେଳେ, ଏହାର ଉତର ଦେବାକୁ ଯାଇ ବିଜେପିର ବୟାନକୁ ନେଇ ଏବେ ପୁଣି ପ୍ରଶ୍ନ କରିଛି ବିଜେଡି । ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ କେନ୍ଦ୍ର ସରକାର ଉଜ୍ଜ୍ୱଳା ଯୋଜନାରେ ରାଜ୍ୟର ପ୍ରାୟ ୩୦ଲକ୍ଷ ହିତାଧିକାରୀଙ୍କୁ ୫ହଜାର ଟଙ୍କା ଲେଖାଏଁ ଗ୍ୟାସଚୁଲା ବାବଦରେ ପ୍ରଦାନ କରିଥିଲେ । ସେଥିପାଇଁ ୧୫ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଆଉ ଏହି ଉତରକୁ ନେଇ ପୁଣି ବିଜେପିକୁ ଘେରିଛି ବିଜେଡି ।
ରାଜ୍ୟରେ ଉଜ୍ଜ୍ୱଳା ଯୋଜନାର କାର୍ଯ୍ୟକାରିତାକୁ ନେଇ ବିଜେଡି ଅଭିଯୋଗ କରିବା ପରେ ବିଜେପି ମୁଖପାତ୍ର କହିଥିଲେ ୩୦ ଲକ୍ଷ ହିତାଧିକାରୀଙ୍କୁ ଗ୍ୟାସଚୂଲା ପ୍ରଦାନ କରାଯାଇଛି । ଆଉ ଏଥିପାଇଁ ୫ ହଜାର ଟଙ୍କା ହିସାବରେ ୧୫ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ବିଜେପି ପ୍ରବକ୍ତାଙ୍କ ଏହି ବୟାନକୁ ନେଇ ଏବେ ପୁଣି ପ୍ରଶ୍ନ ଉଠାଇଛି ବିଜେଡି ।  ବିଜେଡି ଆହୁରି ମଧ୍ୟ ଅଭିଯୋଗ କରିଛି ଗତ ୩ ବର୍ଷରେ ଏହି ଯୋଜନାରେ ୬ହଜାର ୩୯୪ କୋଟି ଟଙ୍କା ଖର୍ଚ୍ଚ କରିଛି କେନ୍ଦ୍ର । ତେବେ ଚୂଲା ବାବଦରେ ୧୫୦୦ କୋଟି ଅର୍ଥାତ କଣ କେବଳ ଓଡିଶା ପାଇଁ ୨୫ପ୍ରତିଶତ ଖର୍ଚ୍ଚ କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ।

କଂଗ୍ରେସ ମଧ୍ୟ ଆଣିଛି ସମାନ ଅଭିଯୋଗ । ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏହା କେବଳ ପ୍ରଚାର ସର୍ବସ୍ୱ ବୋଲି କହିଛନ୍ତି । କିନ୍ତୁ ବିଜେପି କହିଛି ଯାହାର ତଥ୍ୟ ଦରକାର ସେ ସଂପୃକ୍ତ ବିଭାଗକୁ ଚିଠି ଲେଖିଲେ ଉତର ମିଳିଯିବ । ମୋଦି ସରକାରଙ୍କ ଯୋଜନା ଗୁଡିକ ମଧ୍ୟରେ ଉଜ୍ଜ୍ୱଳା ଯୋଜନା ଏକ ପ୍ରମୁଖ ଭୁମିକା ଗ୍ରହଣ କରୁଛି । କେନ୍ଦ୍ର ସରକାର ଏହି ଯୋଜନା ମାଧ୍ୟମରେ ଦେଶର ୫ କୋଟି ଗରୀବଙ୍କୁ ମାଗଣାରେ ରନ୍ଧନ ଗ୍ୟାସ ଯୋଗାଇଦେଇଥିବା ଦାବୀ କରୁଛନ୍ତି । କିନ୍ତୁ ନିର୍ବାଚନୀ ବର୍ଷରେ ଏହାକୁ ନେଇ ରାଜ୍ୟରେ ଏବେ ରାଜନୀତି ତେଜିଆନ ହୋଇଛି ।