ଗେରୁଆ ଗଡ଼ ହେଲା ସୁନ୍ଦରଗଡ଼ : ବିଜେଡ଼ି ପ୍ରାର୍ଥୀ ଯୋଗେଶଙ୍କୁ ପରାସ୍ତ କରି ଆସନ ଅକ୍ତିଆର କଲେ କୁସୁମ ଟେଟେ

460

କନକ ବ୍ୟୁରୋ : ସୁନ୍ଦରଗଡ଼ରେ ଫୁଟିଲା ପଦ୍ମ । ବିଜେଡ଼ି ପ୍ରାର୍ଥୀ ଯୋଗେଶ ସିଂଙ୍କୁ ହରାଇ ସୁନ୍ଦରଗଡ଼ ରାଜଗାଦିରେ ବସିଲେ ବିଜେପି ପ୍ରାର୍ଥୀ କୁସୁମ ଟେଟେ । ୬୯୭୪ ଭୋଟ୍ ବ୍ୟବଧାନରେ ସୁନ୍ଦରଗଡ଼ ହାତେଇଲେ କୁସୁମ ଟେଟେ  । ପ୍ରଥମ ରାଉଣ୍ଡରୁ ବିଜେଡ଼ି ପ୍ରାର୍ଥୀ ଯୋଗେଶ ସିଂ ଓ ବିଜେପି ପ୍ରାର୍ଥୀ କୁସୁମ ଟେଟେଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଜୋରଦାର ଫାଇଟ୍ । ଉଭୟଙ୍କୁ ଟକ୍କର ଦେଉଥିଲେ କଂଗ୍ରେସ ପ୍ରାର୍ଥୀ ଅମିତା ବିଶ୍ୱାଳ ।

୨ ଥର କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ି ସୁନ୍ଦରଗଡ଼ ଅକ୍ତିଆର କରିଥିଲେ ଯୋଗେଶ ସିଂ । ହେଲେ ଏଥର ନିର୍ବାଚନରେ କିନ୍ତୁ ଯୋଗେଶ ସିଂଙ୍କ ଲୋକପ୍ରିୟତା କାମଦେଲା ନାହିଁ । କଂଗ୍ରେସରୁ ଦୁଇ ଦୁଇଥର ବିଧାୟକ ହୋଇଥିବା ଯୋଗେଶ ସିଂହଙ୍କୁ ଦଳରେ ମିଶାଇ ପ୍ରାର୍ଥୀ କରିଥିଲା ବିଜେଡି । ହେଲେ ଦଳବଦଳ ରାଜନୀତି ବିଜେଡ଼ି ପକ୍ଷରେ ଗଲାନାହିଁ । ବିଜେପି ପ୍ରାର୍ଥୀ କୁସୁମ ଟେଟେଙ୍କୁ ବାଛିଲେ ପ୍ରାର୍ଥୀ । ସୂଚନା ଅନୁସାରେ ଟିକେଟ୍ ନମିଳିବାରୁ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ କୁସୁମ । ଗତ ନିର୍ବାଚନରେ ସେ ବିଜେଡିରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ସୁନ୍ଦରଗଡ଼ କମାଣ ଏବେ ବିଜେପି ପ୍ରାର୍ଥୀ କୁସୁମଙ୍କ ହାତରେ ।

ସୂଚନାଯୋଗ୍ୟ ୨୦୧୪ ନିର୍ବାଚନ ଯୋଗେଶ କୁମାର ସିଂ ଜିତିଥିଲେ । ୬୬ ହଜାର ୧୩୮ ଖଣ୍ଡ ଭୋଟ ପାଇଥିଲେ ଯୋଗେଶ ।  ବିଜେଡ଼ି ପ୍ରାର୍ଥୀ କୁସୁମ ଟେଟେଙ୍କୁ ୧୨ ହଜାର ୫୮୪ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।