ବ୍ରହ୍ମପୁର ଲୋକସଭା ଆସନରେ ବିଜେଡ଼ିର ବାଜିମାତ୍ : ନବୀନଙ୍କ ରଣନୀତି ଆଗରେ କଂଗ୍ରେସ, ବିଜେପି ନିଷ୍ପ୍ରଭ

174

କନକ ବ୍ୟୁରୋ : ସରିଛି ସାଧାରଣ ନିର୍ବାଚନ । ବ୍ରହ୍ମପୁର ସ˚ସଦୀୟ କ୍ଷେତ୍ରରେ ତୃତୀୟ ଥର ଲାଗି ବାଜିମାତ୍ କରିଛି ବିଜେଡି । ଆଉ ବିଜେଡିକୁ କଡ଼ା ଟକ୍କର ଦେଇ ଦ୍ବିତୀୟ ସ୍ଥାନରେ ରହିଛି ବିଜେପି । କଂଗ୍ରେସ ସମେତ ଏହି ଆସନର ଅନ୍ୟ ୬ଜଣ ପ୍ରାର୍ଥୀ ଅମାନତ ହରାଇଛନ୍ତି । ତେବେ ଏହି ଆସନରେ କଂଗ୍ରେସ ଓ ବିଜେପିର ପରାଜୟକୁ ନେଇ ଆରମ୍ଭ ହୋଇଛି ମାନସମନ୍ଥନ । ତୁଳନାତ୍ମକ ଭାବେ ବିଜେପିର ଭୋଟହାର ବୃଦ୍ଧି ସତ୍ତ୍ବେ ଦୁର୍ବଳ ରଣନୀତି ଓ ପ୍ରାର୍ଥୀ ଚୟନ ଯୋଗୁଁ ବିଜେପି ହାରିଥିବା କୁହାଯାଉଛି । ଅନ୍ୟପଟେ ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ଅମାନତ ହରାଇଥିଲେ ହେଁ ଗଜପତି ଜିଲ୍ଲାରୁ ସମ୍ମାନଜନକ ଭୋଟ ପାଇବାରେ ସମର୍ଥ ହୋଇଛନ୍ତି ।

ଗଞ୍ଜାମ ଜିଲ୍ଲାର ୫ଟି ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁର, ଚିକିଟି ଏବ˚ ଦିଗପହଣ୍ତି ବିଧାନସଭା ଆସନ ଏବ˚ ଗଜପତି ଜିଲ୍ଲାର ପାରଳାଖେମୁଣ୍ତି ଏବ˚ ମୋହନା ନିର୍ବାଚନମଣ୍ତଳୀକୁ ନେଇ ବ୍ରହ୍ମପୁର ଲୋକସଭା ଆସନ ଗଠିତ । ୧୯୭୭ ମସିହାରୁ ୧୯୯୯ ପର୍ଯ୍ୟନ୍ତ ଏହି ଲୋକସଭା ଆସନ କ˚ଗ୍ରେସ ଦଖଲରେ ରହିଥିଲା । ୧୯୯୯ ନିର୍ବାଚନରେ ଏହି ଆସନକୁ ପ୍ରଥମ ଥର ପାଇଁ କ˚ଗ୍ରେସ ହାତଛଡା କରିଥିବା ବେଳେ ବିଜେଡି-ବିଜେପି ମେଣ୍ଟରୁ ବିଜେପି ପ୍ରାର୍ଥୀ ଅନାଦି ଚରଣ ସାହୁ ଜିତିଥିଲେ । କିନ୍ତୁ ୨୦୦୪ ଲୋକସଭାରେ ପୁଣି କ˚ଗ୍ରେସ ଏହି ଆସନକୁ କବଜା କରିବାରେ ସକ୍ଷମ ହୋଇଥିଲା । କ˚ଗ୍ରେସରୁ ଲଢି ଚନ୍ଦ୍ରଶେଖର ସାହୁ ବିଜୟୀ ହୋଇ ୟୁପିଏ ନେତୃତ୍ବାଧୀନ ସରକାରରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ହୋଇଥି‌େଲ । ତେବେ ୨୦୦୯ଠାରୁ ଏହି ଆସନକୁ ବିଜେଡି ଦଖଲ କରିଆସୁଛି । ୨୦୦୯ ଓ ୨୦୧୪ ନିର୍ବାଚନରେ ବିଜେଡିରୁ ସିଦ୍ଧାନ୍ତ ମହାପାତ୍ର କ˚ଗ୍ରେସର ଚନ୍ଦ୍ରଶେଖର ସାହୁଙ୍କୁ ହରାଇ ବିଜୟୀ ହୋଇଥିବା ବେଳେ ବିଜେପି ତୃତୀୟ ସ୍ଥାନରେ ରହିଥିଲା ।

ତେବେ ଚଳିତ ନିର୍ବାଚନ ପୂର୍ବରୁ ଚିତ୍ର ବଦଳିଯାଇଥିଲା । କଂଗ୍ରେସ ଛାଡ଼ି ଚନ୍ଦ୍ରଶେଖର ସାହୁ ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ଦଳ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା । ଚନ୍ଦ୍ରଶେଖରଙ୍କ ଭଳି ଜଣେ ହେଭିୱେଟ୍ ନେତାଙ୍କ ବିପକ୍ଷରେ ଲଢିବାକୁ କ˚ଗ୍ରେସ ପ୍ରାର୍ଥୀ ନ ପାଇ ଶେଷରେ ଦିଲ୍ଲୀରେ ରହୁଥିବା ଶିଳ୍ପପତି ଭି.ଚନ୍ଦ୍ରଶେଖର ନାଇଡୁଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ପ୍ରାର୍ଥୀ କରିଥିଲା । ସେହିପରି ବିଜେପି ମଧ୍ୟ ସମାନ ପରିସ୍ଥିତିର ସାମ୍ନା କରିଥିଲା । ଗଞ୍ଜାମ ଜିଲ୍ଲାରୁ ସେଭଳି ଟାଣୁଆ ପ୍ରାର୍ଥୀ ନପାଇ ‌ଶେଷ ମୁହୂର୍ତ୍ତରେ କୋରାପୁଟ ଜିଲ୍ଲା ଜୟପୁରର ବାସିନ୍ଦା ଭୃଗୁ ବକ୍ସିପାତ୍ରଙ୍କୁ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ କରାଇଥିଲା ।

୨୦୧୪ରେ ଏହି ଆସନରେ କଂଗ୍ରେସ ଏବଂ ବିଜେଡି ମଧ୍ୟରେ ଦ୍ବିମୁଖୀ ପ୍ରତିଦ୍ବନ୍ଦିତା ହୋଇଥିବା ବେଳେ ଚଳିତ ନିର୍ବାଚନର ଠିକ୍‌ ଏକ ବର୍ଷ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ କ˚ଗ୍ରେସ ନେତୃତ୍ବ ବିହୀନ ହୋଇଯାଇଥିଲା । ସବୁ ତୁଙ୍ଗ ନେତା କଂଗ୍ରେସ ଛାଡି ବିଜେଡିରେ ‌ଯୋଗ‌ ଦେଇଥିଲେ । ଏପରିକି ଲୋକସଭା ଓ ସମସ୍ତ ବିଧାନସଭା ଆସନ ପାଇଁ ଉପଯୁକ୍ତ ପ୍ରାର୍ଥୀ ନ ପାଇ ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ଦେଇଥିଲା । ବିଜେପି ଏଥର ଛତ୍ରପୁର, ବ୍ରହ୍ମପୁର, ଦିଗପହଣ୍ତି, ଚିକିଟି ବିଧାନସଭା ଆସନରେ ନୂତନ ପ୍ରାର୍ଥୀ ଦେଇଥିବା ବେଳେ ପାରଳାଖେମୁଣ୍ତି ଏବ˚ ମୋହନା ନିର୍ବାଚନ ମଣ୍ତଳୀରେ ବିଜେଡିରୁ ଟିକେଟ ନ ପାଇ ଦଳ ଛାଡିଥିବା ଦୁଇ ନେତାଙ୍କୁ ପ୍ରାର୍ଥୀ କରିଥିଲା ।

କିନ୍ତୁ ଚନ୍ଦ୍ରଶେଖର ସାହୁ ପୂର୍ବତନ ସାଂସଦ ‌ସହ ଗଞ୍ଜାମ ରାଜନୀତି ଉପରେ ଅଭିଜ୍ଞତା ରହିଥିବାରୁ ଏହା ବିଜେଡି ପାଇଁ ଆଶୀର୍ବାଦ ପାଲଟିଥିଲା । ବହୁ ପୂର୍ବରୁ ସେ ଏହି ଆସନରୁ ପ୍ରାର୍ଥୀ ହେବା ଏକରକମ ନିଶ୍ଚିତ ହୋଇ ସାରିଥିବା ବେଳେ ବିଜେଡିର ଆତ୍ମବିଶ୍ବାସ ବି ବଢିଥିଲା । ସେପଟେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଜେପି ଓ କଂଗ୍ରେସ ଲୋକସଭା ପ୍ରାର୍ଥୀ ଚୂଡାନ୍ତ କରିଥିଲେ । ଉକ୍ତ ଦ୍ବୟ ପ୍ରାର୍ଥୀଙ୍କ ବ୍ରହ୍ମପୁର ଲୋକସଭା ଓ ଗଞ୍ଜାମ ରାଜନୀତି ଉପରେ ଦଖଲ ନ ଥିଲା । ଶେଷ ମୂହୁର୍ତ୍ତରେ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିଥିଲେ । ମୋଦୀ ଲହର ଓ ପରିବର୍ତ୍ତନ ହାୱା ବଳରେ ବିଜେପି ପ୍ରାର୍ଥୀ ଭୃଗୁ ପ୍ରତିଦ୍ବନ୍ଦ୍ବିତାରେ ଆଗକୁ ବଢିଥିଲେ ସତ । କିନ୍ତୁ ଗଞ୍ଜାମ ରାଜନୀତି ଉପରେ ବିଶେଷ ଦଖଲ ନଥିବାରୁ ବିଜେଡି ପ୍ରାର୍ଥୀ ଚନ୍ଦ୍ରଶେଖରଙ୍କୁ ଚେକ୍ ଦେଇ ପାରି ନଥିଲେ ।

ଫଳାଫଳ ବି ସେହି ଅନୁଯାୟୀ ହେଲା । ଚନ୍ଦ୍ରଶେଖର ସାହୁ ୪ଲକ୍ଷ ୪ ୩ହଜାର ୮୪୩ ଖଣ୍ଡ ଭୋଟ ପାଇଥିଲା ବେଳେ ବିଜେପି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କୁ ମିଳିଛି ୩ଲକ୍ଷ ୪୮ହଜାର ୯୯୯ଖଣ୍ଡ ଭୋଟ । କଂଗ୍ରେସ ପ୍ରାର୍ଥୀ ଭି.ଚନ୍ଦ୍ରଶେଖର ନାଇଡୁ ୧ଲକ୍ଷ ୪୨ହଜାର ୬୩୨ଖଣ୍ଡ ଭୋଟ ପାଇ ଅମାନତ ହରାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ବ୍ରହ୍ମପୁର ଲୋକସଭା ଅଧୀନ ଗଞ୍ଜାମ ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀରୁ ୪୫ ହଜାର ୧୯ଖଣ୍ଡ ଭୋଟ ପାଇଥିବା ବେଳେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଏବଂ ମୋହନା ନିର୍ବାଚନ ମଣ୍ଡଳୀରୁ ୯୭ ୬୧୩ ଖଣ୍ଡ ଭୋଟ ପାଇଛନ୍ତି। ମୋହନା ନିର୍ବାଚନ ମଣ୍ଡଳୀରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ଠାରୁ କଂଗ୍ରେସ ପ୍ରାର୍ଥୀ ଭି.ଚନ୍ଦ୍ରଶେଖର ଅଧିକ ଭୋଟ ପାଇଛନ୍ତି । ମୋହନାରୁ ତାଙ୍କୁ ମିଳିଛି ୫୭ହଜାର ୨୪୯ଖଣ୍ଡ ଭୋଟ । ସେ ଗଜପତି ଜିଲ୍ଲାରୁ ସମ୍ମାନଜନକ ଭୋଟ ପାଇଛନ୍ତି ।

ତେବେ ବିଜେପି ପ୍ରାର୍ଥୀ ଭୃଗୁ ପାରଳାଖେମୁଣ୍ଡି ଓ ମୋହନା ନିର୍ବାଚନ ମଣ୍ଡଳୀରେ ଚନ୍ଦ୍ରଶେଖରଙ୍କଠାରୁ ଅଧିକ ଭୋଟ ପାଇଛନ୍ତି । ଚନ୍ଦ୍ରଶେଖର ଗଞ୍ଜାମ ଜିଲ୍ଲାର ୫ଟି ଯାକ ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭୃଗୁଙ୍କ ଠାରୁ ଅଧିକ ଭୋଟ ପାଇଛନ୍ତି । ଚନ୍ଦ୍ରଶେଖର ଛତ୍ରପୁରରୁ ୭୭ହଜାର ୭୭୫, ଗୋପାଳପୁରରୁ ୬୨ହଜାର ୬୯୦, ବ୍ରହ୍ମପୁରରୁ ୬୪ହଜାର ୮୫୦, ଦିଗପହଣ୍ଡିରୁ ୮୦ହଜାର ୫୧୯, ଚିକିଟିରୁ ୭୨ହଜାର ୨୭୨,ମୋହନାରୁ ୪୭ହଜାର ୨୩୦ ଏବଂ ପାରଳାଖେମୁଣ୍ଡିରୁ ୩ହଜାର ୭୭୮୯ଖଣ୍ଡ ଭୋଟ ପାଇଛନ୍ତି । ଚନ୍ଦ୍ରଶେଖର ସାହୁ ସମୁଦାୟ ୪୪.୮୪ ପ୍ରତିଶତ ଓ ଭୃଗୁ ବକ୍ସିପାତ୍ର ୩୫.୨୬ ପ୍ରତିଶତ ଭୋଟ ପାଇଛନ୍ତି । କିନ୍ତୁ ୨୦୧୪ ନିର୍ବାଚନରେ ବ୍ରହ୍ମପୁର ସ˚ସଦୀୟ କ୍ଷେତ୍ରରେ ବିଜେଡି ୪୩.୯୭ ପ୍ରତିଶତ, କଂଗ୍ରେସ ୨୯.୮୬ ପ୍ରତିଶତ ଏବଂ ବିଜେପି ୧୭.୫୪ ପ୍ରତିଶତ ଭୋଟ ପାଇଥିଲା ।