କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନରେ ଓଡ଼ିଶାରେ ବାଜିମାତ କରିବ ବିଜେଡି । ଟାଇମ୍ସ ନାଓ ସର୍ଭେ ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ସର୍ଭେ ଅନୁସାରେ, ୨୦୨୪ ଲୋକସଭା ନିର୍ବାଚନରେ ବିଜେଡିକୁ ୧୨ରୁ ୧୪ ଆସନ ମିଳିବାର ସମ୍ଭାବନା ରହିଛି ।
୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ୧୨ଟି ଆସନ ପାଇଥିଲା ବେଳେ ବିଜେପି ୮ଟି ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିଥିଲା । ଅନ୍ୟ ରାଜ୍ୟର ଆଂଚଳିକ ଦଳ ତୁଳନାରେ ଓଡ଼ିଶାରେ ବିଜେଡିର ବେଶ୍ ଦବଦବା ରହିଛି । ୨୦ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶାରେ ବିଜେଡି ଲଗାତର ଭଲ ପ୍ରଦର୍ଶନ କରିଆସୁଛି । ତେଣୁ ଆଗାମୀ ଦିନରେ ମଧ୍ୟ ବିଜେଡି ପୂର୍ବଭଳି ମଜଭୁତ ରହିବ ବୋଲି ସର୍ଭେରୁ ଜଣାପଡ଼ିଛି । ଏନଡିଏ କିମ୍ବା ଇଣ୍ଡିଆ ମେଣ୍ଟରୁ ସମଦୂରତ୍ୱ ଅବଲମ୍ବନ କରୁଥିବା ବିଜେଡି ପାଇଁ ୨୦୨୪ ନିର୍ବାଚନ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ।
ଅନ୍ୟପଟେ ରାଜନୀତିରେ ୩ ମାସ ହିଁ ଯଥେଷ୍ଟ । ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି ଚମକାଇ ଦେଲା ଭଳି ବୟାନ ରଖିଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ୧୫ଟି ଲୋକସଭା ଆସନରୁ କମ୍ ଜିତିବ ନାହିଁ ବୋଲି ସେ ଦମ୍ଭୋକ୍ତି କରିଛନ୍ତି । ଏପରିକି ରାଜ୍ୟ ବିଜେପିର ଭୋଟ୍ ପ୍ରତିଶତ ୪୫ପ୍ରତିଶତରୁ ଅଧିକ ହେବ ବୋଲି ଆକଳନ କରିଛନ୍ତି । ୨୦୧୪ ନିର୍ବାଚନରେ ବିଜେପିକୁ ଗୋଟିଏ ଲୋକସଭା ଓ ୧୦ଟି ବିଧାନସଭା ଆସନ ମିଳିଥିଲା । କିନ୍ତୁ ୨୦୧୯ ବେଳକୁ ବିଜେପିର ଆସନ ଓ ଭୋଟ୍ ଉଭୟ ବଢ଼ିଥିଲା । ୮ଟି ଲୋକସଭା ଆସନ ବିଜୟ ସହ ୩୮ପ୍ରତିଶତ ଭୋଟ୍ ଏବଂ ରାଜ୍ୟ ବିଧାନସଭାରେ ୨୩ଟି ସିଟ୍ ସହ ୩୨ପ୍ରତିଶତ ଭୋଟ୍ ପାଇଥିଲା ବିଜେପି । ସେହି ଅନୁପାତରେ ଆଗାମୀ ୪ରୁ ୫ ମାସ ଭିତରେ ବିଜେପି ତାର ଲକ୍ଷ୍ୟ ହାସଲ ପାଇଁ କାମ କରିବ । ଓଡ଼ିଶାରେ ରାଜନୈତିକ ଚେହେରା ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ରହଣୀୟତା ରହିଥିବା କହିଛନ୍ତି ଧର୍ମେନ୍ଦ୍ର । କେନ୍ଦ୍ରରେ ବିଜେପି କ୍ଷମତାରେ ଆସିବା ପରଠାରୁ ଓଡ଼ିଶା ପ୍ରତି କେବେ ରାଜନୈତିକ ବିଦ୍ୱେଷ ରଖିନାହିଁ । ୨୦୦୪ରୁ ୧୪ ମଧ୍ୟରେ ଓଡ଼ିଶାକୁ ୩ଲକ୍ଷ କୋଟି ଟଙ୍କା ମିଳିଥିିବା ବେଳେ ଆଜି କେନ୍ଦ୍ରୀୟ ଅନୁଦାନ ପରିମାଣ ୧୮ଲକ୍ଷ କୋଟି ଟଙ୍କା ହୋଇଛି । ଏହାରି ଆଧାରରେ ବିଜେପି ଆଗାମୀ ନିର୍ବାଚନରେ ଲୋକଙ୍କ ଭରସା ଜିତି ଲକ୍ଷ୍ୟ ହାସଲରେ ସମର୍ଥ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/1-up.jpg)