ବିଜେଡି ଟାର୍ଗେଟରେ କେନ୍ଦ୍ର । ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଗ୍ୟାସ ଦର ବୃଦ୍ଧି ଭାରି ବାଧୁଛି, ଚୁପ୍ ବସିବନି ବିଜେଡି ।

145

କନକ ବ୍ୟୁରୋ : ଗ୍ୟାସ ଦର ବୃଦ୍ଧିକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲା ବିଜେଡି । ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେଡି ଲଢେଇ କରୁଛି । ୫୦ ଟଙ୍କାର ଗ୍ୟାସ ଦର ବୃଦ୍ଧି ଗରିବଙ୍କୁ ଭାରି ବାଧିଛି । କିନ୍ତୁ ଏହି ପ୍ରସଙ୍ଗରେ ରାଜ୍ୟ ବିଜେପି ପୂରା ଚୁପ୍ । କିନ୍ତୁ ବିଜେଡି ପାଇଁ ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ସର୍ବୋପରି । ଦେଶର ବିକାଶ ପାଇଁ ଯାହା ଆବଶ୍ୟକ ସେଭଳି ପ୍ରସଙ୍ଗରେ ବିଜେଡି ସମର୍ଥନ କରେ କିନ୍ତୁ ଯେଉଁ ପ୍ରସଙ୍ଗରେ ସମର୍ଥନ ଦେଇ ହେବ ନାହିଁ ତାହାକୁ ଅଣଦେଖା କରିପାରିବନି ବିଜେଡି । ରାଜ୍ୟବାସୀ ଯେଉଁ ଭରସା ଓ ବିଶ୍ୱାସରେ ଦାୟିତ୍ୱ ଦେଇଛନ୍ତି ତାହାକୁ ଦୃଷ୍ଟିରେ ରଖି ବିଜେଡି ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ସ୍ୱର ଉତ୍ତୋଳନ କରିବ ।

୨୦୧୪ରେ ବିଜେପି ଶାସନ କ୍ଷମତାକୁ ଆସିବା ପରେ ଉଜ୍ଜଳା ଯୋଜନା ଆଣିଥିଲା । ଏହି ଯୋଜନାରେ ଗରିବ ଲୋକଙ୍କୁ ଗ୍ୟାସ ସିଲିଣ୍ଡର ଦିଆଯିବା ସହ ଆଗକୁ ସହଜ ଓ ସୁଲଭ ମୂଲ୍ୟରେ ଜାରି ରଖିବାକୁ ମୋଦୀ ସରକାର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜିର ଦିନରେ ମୋଦୀଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି । ୨୦୧୪ରେ ଗ୍ୟାସ୍ ସିଲିଣ୍ଡରର ଦାମ ଥିଲା ୪୧୦ ଟଙ୍କା, ଆଉ ଏବେ ୫୦ ଟଙ୍କା ବୃଦ୍ଧି ପରେ ଗ୍ୟାସ ଦର ୧୧୦୦ରୁ ଅଧିକ ଟପିଛି । ମାତ୍ର ୯ ବର୍ଷରେ ୩ ଗୁଣ ବୃଦ୍ଧି ପାଇଛି ଗ୍ୟାସ ଦର । ଏଭଳି ଦରବୃଦ୍ଧି ସାଧାରଣ ଲୋକଙ୍କୁ ଭାରି ବାଧୁଛି ।

ସେହିଭଳି ଚାଉଳ ପ୍ରସଙ୍ଗକୁ ନେଇ ମଧ୍ୟ କେନ୍ଦ୍ର ଉପରେ ବର୍ଷିଛନ୍ତି ସୌମ୍ୟ । କରୋନା ସମୟରେ ମିଳୁଥିବା ଅତିରିକ୍ତ ଚାଉଳକୁ କେନ୍ଦ୍ର ବନ୍ଦ କରିଛି । ଜାନୁଆରୀ ପହିଲାରୁ ୫ କିଲୋ ଚାଉଳ କାଟିଛନ୍ତି କେନ୍ଦ୍ର ସରକାର । ଯାହା ଦର୍ଶାଉଛି ପ୍ରଧାନମନ୍ତ୍ରୀ ଚାହାନ୍ତି ନାହିଁ ଯେ ଗରିବର କଲ୍ୟାଣ ହେଉ । ପୂର୍ବରୁ ୫ କିଲୋ ଚାଉଳ କାଟିଥିଲେ, ଏବେ ବଳକା ୫ କିଲୋ ଚାଉଳକୁ ରୋଷେଇ କରିବାକୁ ଆବଶ୍ୟକ ପଡୁଥିବା ଗ୍ୟାସ ଦର ୫୦ ଟଙ୍କା ବଢାଇଦେଲେ । ପ୍ରଧାନମନ୍ତ୍ରୀ ବୋଧେ ଚାହୁଁଛନ୍ତି ଚାଉଳକୁ ନ ରାନ୍ଧିକି ଲୋକେ କଞ୍ଚା ଖାଆନ୍ତୁ । କେନ୍ଦ୍ରର ଏହି ଗରିବମାରଣ ନୀତିକୁ ବିରୋଧ କରିବାକୁ ବିଜେଡି ଆଦୌ କୁଣ୍ଠାବୋଧ କରିବ ନାହିଁ ବୋଲି କହିଛନ୍ତି ସୌମ୍ୟରଞ୍ଜନ ।

ଗ୍ୟାସ ଦର ବୃଦ୍ଧି ହେବା ଫଳରେ ଏହାର ପ୍ରଭାବ ଘରେ ଘରେ ପଡିବ । ମା’ମାନଙ୍କ ଆଖିରୁ ଲୁହ ପୋଛିବାକୁ ଯେଉଁ ଯୋଜନା ହୋଇଥିଲା ତାହା ଏବେ କନ୍ଦାଉଛି । ଏହି ଦର ବୃଦ୍ଧି କାହିଁକି ଘଟିଲା, ଏହା ପଛର କାରଣ କଣ ସେ ପ୍ରସଙ୍ଗରେ ବିଜେପି ପୂରା ଚୁପ୍ । ସ୍ପର୍ଶକାତର ପ୍ରସଙ୍ଗରେ ଉତ୍ତର ଦେବାକୁ ସାହସ ନଥିଲେ ବିଜେପି ଏମିତି ଚୁପ୍ ରୁହେ । ଯେଉଁ ପ୍ରସଙ୍ଗ ବିଜେପିକୁ ଅଡୁଆରେ ପକାଏ ତାହାକୁ ବାଆଁରେଇ ଦେଇ ଖସିଯିବାକୁ ଚେଷ୍ଟା କରେ ବିଜେପି । ବେରୋଜଗାରୀ ପ୍ରସଙ୍ଗରେ ବିଜେଡି ସବୁବେଳେ ସ୍ୱର ଉଠାଇ ଆସୁଛି । ଆଞ୍ଚଳିକ ଦଳ ଭାବେ ଏହା ଆମର ଦାୟିତ୍ୱ । ବିଜେଡି ଓଡ଼ିଶାବାସୀଙ୍କ ପାଇଁ ସବୁବେଳେ ଆନ୍ଦୋଳନ କରି ଆସିଛି । ବିଜେଡି ଏବେ ଜନ ଆନ୍ଦୋଳନରେ ପରିଣତ ହୋଇଛି । ବିଜେଡି ଯାହା କୁହେ ତାହା ଠାରୁ ଅଧିକ କରେ । କିନ୍ତୁ ବିଜେପି କହିଥିଲା କଣ ଓ କରୁଛି କଣ ସେ ବାବଦରେ ତର୍ଜମା କରିବାର ଆବଶ୍ୟକତା ନାହିଁ ବରଂ ଲୋକେ ଅଙ୍ଗେ ନିଭାଉଛନ୍ତି ।