ଉଷୁନା ଚାଉଳକୁ ନେଇ ରାଜନୀତି । କେନ୍ଦ୍ର ସରକାରକୁ ଟାର୍ଗେଟ କଲା ବିଜେଡି । କହିଲା, ୨୧ ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ ନେବାକୁ ରାଜି ହେଉନାହିଁ କେନ୍ଦ୍ର

156

କନକ ବ୍ୟୁରୋ : ରାଜ୍ୟ ଯୋଗାଣ ବିଭାଗକୁ ଏଫସିଆଇ ବା ଭାରତୀୟ ଖାଦ୍ୟ ନିଗମ ଲେଖିଛି ଚିଠି । ଏହି ଚିଠିରେ ଉଷୁନା ଚାଉଳ କ୍ରୟ ଉପରେ କଟକଣା ଲଗାଇଛି ଏଫସିଆଇ । ଏଥିରେ ଲେଖାଯାଇଛି, ରାଜ୍ୟ ସଂଗ୍ରହ କରିଥିବା ଖରିଫ ଋତୁର ୫୦ ପ୍ରତିଶତ ଉଷୁନା ଚାଉଳ ସଂଗ୍ରହ କରିବ ଏଫସିଆଇ । ରବି ଋତୁରେ ସଂଗ୍ରହ ହୋଇଥିବା ଉଷୁନା ଚାଉଳ ଆଦୌ ନେବ ନାହିଁ ଖାଦ୍ୟ ନିଗମ । ଆଉ ଏହି ଚିଠିକୁ ନେଇ କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛି ବିଜେଡି ।

ନଜର ପକାନ୍ତୁ କ’ଣ ରହିଛି ବିଜେଡିର ଅଭିଯୋଗ?
୨୦୨୦-୨୧ରେ ୮୨ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ରହିଥିବା ବେଳେ ସେଥିରୁ ୫୫ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ବାହାରିବ । ରାଜ୍ୟର ଚାହିଦା ପାଇଁ ଆବଶ୍ୟକ ୨୪ ଲକ୍ଷ ମେଟ୍ରିକ୍ ଟନ୍ । ମାତ୍ର ୧୦ ଲକ୍ଷ ମେଟ୍ରିକ୍ ଟନ୍ ନେବ ଭାରତୀୟ ଖାଦ୍ୟ ନିଗମ । ବଳି ପଡ଼ିବ ୨୧ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ । ଯାହାର ମୂଲ୍ୟ ୭,୩୫୦ କୋଟି ଟଙ୍କା । ଯାହାର ବୋଝ ପଡ଼ିବ ଚାଷୀଙ୍କ ଉପରେ ।

ମଣ୍ଡିରେ ଧାନ କିଣା ନେଇ ଅବ୍ୟବସ୍ଥା ସଂପର୍କରେ ଅଭିଯୋଗ ଆସୁଥିବା ବେଳେ କେନ୍ଦ୍ରର ବିଜେପି ସରକାର ବିରୋଧରେ ଏପରି ଅଭିଯୋଗ କରିଛି ବିଜେଡି । ରାଜ୍ୟର ଚାହିଦା ବାଦ ବଳି ପଡ଼ୁଥିବା ସବୁ ଉଷନା ଚାଉଳ ଅର୍ଥାତ୍ ୩୧ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ, ଏଫସିଆଇ ନେଉ ବୋଲି ପ୍ରେସ୍ ମିଟ୍ କରି ଦାବି କରିଛି ଦଳ । ବିଜେଡିର ପ୍ରେସମିଟ୍ ପରେ ବିଜେପି ପ୍ରେସ୍ମିଟ୍ କରି ପାଲଟା ପ୍ରଶ୍ନ ପଚାରିଛି ।

ମଣ୍ଡି ଅବ୍ୟବସ୍ଥା ନେଇ ନିକଟରେ ଆରଡିସି ଅଫିସ ଘେରାଉ ପାଇଁ ବିଜେପି ଅଣ୍ଟା ଭିଡୁଥିବା ବେଳେ ଏହାକୁ କାଉଣ୍ଟର କରିବାକୁ ଜୋରଦାର କସରତ୍ ଆରମ୍ଭ କରିଛି ବିଜେଡି । ସବସିଡି ବାବଦରେ ବକେୟା ଥିବା ୬,୦୪୦ କୋଟି ଟଙ୍କା ତୁରନ୍ତ ରାଜ୍ୟକୁ ଦେବା ସହ ସ୍ୱାମୀନାଥନ୍ କମିଟି ରିପୋର୍ଟ ଅନୂୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇବାକୁ ଦାବି କରିଛି ଦଳ । ଦାବି ପୂରଣ ନକଲେ ଚାଷୀଙ୍କ ସହ ରାଜରାସ୍ତାକୁ ବିଜେଡି ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।