ପିଏମ୍ ଆବାସ ପ୍ରସଙ୍ଗରେ ବିଜେପିକୁ ଘେରିଲା ବିଜେଡି । ଦଳ କହିଲା, ୧୫ ଲକ୍ଷ ବଦଳରେ ୮ ଲକ୍ଷ ଘର ଦେଲେ କେନ୍ଦ୍ର ସରକାର । କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିଜେପି ସାଂସଦ ।

125

କନକ ବ୍ୟୁରୋ: ରାଜ୍ୟର ଦାବି ଅନୁସାରେ କେନ୍ଦ୍ର ସରକାର ଆବାସ ଦେଲେ ନାହିଁ । ହିତାଧିକାରୀଙ୍କ ପାଇଁ ୧୫ ଲକ୍ଷ ଘର ଆବଶ୍ୟକ ହେଉଥିବାବେଳେ, ମାତ୍ର ୮ ଲକ୍ଷ ଘର ଦେଲେ। ବିଜେପି ସାଂସଦ ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଆଉ ଡ୍ରାମା କରୁଛନ୍ତି । ତେବେ ବିଜେପି ରାଜ୍ୟ ନେତୃତ୍ୱ ମାନେ କେନ୍ଦ୍ରକୁ ଯାଆନ୍ତୁ ଏବଂ ଗାଇଡ଼ଲାଇନ ପରିବର୍ତ୍ତନ କରିବାକୁ କୁହନ୍ତୁ । ଯଦି ତାଲିକାରେ କେହି ଅଯୋଗ୍ୟ ବ୍ୟକ୍ତିମାନେ ଅଛନ୍ତି ତେବେ ବିଜେପି ନେତା ମାନେ ହିଁ ଲିଷ୍ଟ ପ୍ରସ୍ତୁତ କରନ୍ତୁ ବୋଲି କହିବା ସହ ବିଜେପି ଉପରେ ବର୍ଷିଛି ଶାସକ ବିଜେଡି ।

ବିଜେଡ଼ି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ୍ ପାତ୍ର ଓ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଆଜି ଆବାସ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରିବା ସହ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ବିଜେଡି କହିଛି ଯେ, ବିଜେପି ସାଂସଦ ମାନେ ଡାହାଣୀ ହୋଇ ଲାଗୁଛନ୍ତି ଏବଂ ଗୁଣିଆ ହୋଇ ଝାଡୁଛନ୍ତି ।

ଖାଲି ସେତିକି ନୁହେଁ, ବିଜେପି ସାଂସଦ ମାନେ ଷଡ଼ଯନ୍ତ୍ର କରି ଓଡିଶାବାସୀଙ୍କ ସ୍ୱାର୍ଥ ବିରୋଧରେ ଯାଇ ଆବାସ ଅଟକାଇ ଦେଲେ, ବିଜେଡି ଏହାକୁ ନିନ୍ଦା କରୁଛି । ଏହା ଓଡିଶାର ରାଜନୀତି ଇତିହାସରେ କଳା ଅଧ୍ୟାୟ ବୋଲି ବିଜେଡି କହିଛି । ଅନ୍ୟପଟେ ଓଡିଶା ଲୋକ ସବୁ ଜାଣିଛନ୍ତି, ଓଡିଶାର ସ୍ୱାର୍ଥ ପାଇଁ ବିଜେଡ଼ି ଲଢେଇ କରୁଛି ବୋଲି ଦଳର ନେତା କହିଛନ୍ତି । ତେବେ ଏ ଷଡ଼ଯନ୍ତ୍ର କେବଳ ୧୫ ଲକ୍ଷ ଘର ଅଟକାଇବା ପାଇଁ ନୁହେଁ ଆଗକୁ ଯୋଜନା ବନ୍ଦ କରିବେ ଏବଂ ଓଡିଶାକୁ ଆଉ ଘର ଦେବେ ନାହିଁ । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ନିଜ ଆଡୁ ଘର ଦେବେ । ଓଡିଶା ଲୋକଙ୍କ ପାଇଁ ବିଜେଡ଼ିର ସଂଗ୍ରାମ ଜାରି ରହିବ ବୋଲି ବିଜେଡି ନେତା ଆଜି ପ୍ରେସମିଟ୍ କରି କହିଛନ୍ତି ।