ରାଷ୍ଟ୍ରପତି ନିର୍ବାଚନ ପାଇଁ କସରତ । ଏନଡିଏ ନା’ ବିରୋଧୀ, କାହାକୁ ସମର୍ଥନ କରିବ ବିଜେଡି ?

173

କନକ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନରେ କଣ ରହିବ ବିଜୁ ଜନତା ଦଳର ଆଭିମୁଖ୍ୟ? ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କୁ ନେଇ ବୈଠକ ଡାକିଥିବା ବେଳେ ବିଜେଡି ଏହି ବୈଠକରେ ସାମିଲ ନହୋଇପାରେ । ବିଜେଡିର ଅନ୍ଦରମହଲରୁ ଏଭଳି ଖବର ଆସୁଥିବା ବେଳେ ନବୀନଙ୍କ ପରବର୍ତ୍ତୀ ପଦକ୍ଷେପକୁ ରାଜନୈତିକ ମହଲରେ ଅପେକ୍ଷା କରାଯାଇଛି । ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ବିରୋଧରେ ମିଳିତ ପ୍ରାର୍ଥୀ ଦେବା ପାଇଁ ବୁଧବାର ଦିନ ବିରୋଧୀ ନେତାଙ୍କ ବୈଠକ ଡାକିଛନ୍ତି ମମତା ବାନାର୍ଜୀ । ନବୀନଙ୍କୁ ବି ବୈଠକରେ ଯୋଗଦେବାକୁ ସେ ଚିଠି ଲେଖିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ବିରୋଧୀଙ୍କ ଏହି ମେଳିରେ ସାମିଲ ହେବେ କି ନବୀନ?

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ଏବେ ସମସ୍ତଙ୍କ ନଜର । ଗତ ରାଷ୍ଟ୍ରପତି ନିର୍ବାଚନରେ ନବୀନ ଏନଡିଏକୁ ସମର୍ଥନ କରିଥିଲେ ବି ଏହି ଭେଟେରାନ ରାଜନେତା କେତେବେଳେ କେଉଁ ଗୋଟି ଚଳାଇବେ ତାହା ଦେଶର ବଡ ବଡ ରାଜନୈତିକ ପଣ୍ଡିତ ବି ଆକଳନ କରିପାରିବେ ନାହିଁ । ତେବେ ବର୍ତ୍ତମାନର ରାଜନୈତିକ ଆବଶ୍ୟକତା ଓ ସ୍ଥିତି ଦୃଷ୍ଟିରୁ ବିଜେଡି ଏନଡିଏକୁ ସମର୍ଥନ କରିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି ।

ବିଜେଡିର ସମ୍ଭାବ୍ୟ ପଦକ୍ଷେପ ନେଇ ଆମେ ବିଜେଡିର ରଣନୀତି ଉପରେ ବରିଷ୍ଠ ନେତାଙ୍କ ସହ କଥା ହୋଇଥିଲୁ । ନିଜ ନାଁ ଗୋପନ ରଖିବାକୁ ଅନୁରୋଧ କରି ସେମାନେ କହିଥିଲେ ମମତାଙ୍କ ଦ୍ୱାରା ଡକାଯାଇଥିବା ବିରୋଧୀଙ୍କ ମେଳିରେ ସାମିଲ ହେବ ନାହିଁ ବିଜେଡି । ସେପଟେ ରାଷ୍ଟ୍ରପତି ନିର୍ବାଚନରେ ନିଜ ପ୍ରାର୍ଥୀକୁ ବିଜୟୀ କରିବା ପାଇଁ ଏନଡିଏ ପକ୍ଷରୁ କସରତ ଆରମ୍ଭ ହୋଇଯାଇଛି । ଏଥିପାଇଁ ବିଜେପି ସଭାପତି ଜେ.ପି ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି । ରାଷ୍ଟ୍ରପତି ନିର୍ବାଚନ ଗଣିତରେ ଏନଡିଏ ଆଗରେ ଥିବାବେଳେ ବାହାରୁ ସମର୍ଥନର ବି ଆବଶ୍ୟକତା ରହିଛି । ସେଥିପାଇଁ ବିଜେଡି  ଓ ଜଗନ୍ନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ଉପରେ ଏନଡିଏର ନଜର ରହିଛି ।