ବିଦ୍ୟୁତ ଦରବୃଦ୍ଧି ପ୍ରସଙ୍ଗ ନେଇ ବିଜେପି ସଭାପତିଙ୍କ ପ୍ରେସମିଟ୍ ପରେ ଉତ୍ତର ରଖିଲା ବିଜେଡି । କହିଲେ ବିଜେପି ସଭାପତି ନିଜ ଦଳକୁ ହିଁ ଅଡୁଆରେ ପକାଇଦେଲେ ।

137

କନକ ବ୍ୟୁରୋ: ସାମ୍ବାଦିକ ସମ୍ମିଳନୀରେ ବିଦ୍ୟୁତ ଦରବୃଦ୍ଧି ପ୍ରସଙ୍ଗ ଉଠାଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତ ଆଜି ନିଜ ଦଳକୁ ହିଁ ଅଡୁଆରେ ପକାଇ ଦେଇଛନ୍ତି । ପେଟ୍ରୋଲ ଓ ଡିଜେଲ୍ ସମେତ ସାଧାରଣ ଖାଉଟି ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ହେତୁ ସାଧାରଣ ଲୋକେ ତାଙ୍କ ଦଳ ଉପରେ ଏବେ ରକ୍ତଚାଉଳ ଚୋବାଉଥିବା ସେ ଭୁଲିଯାଇଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।

ଅନ୍ୟପଟେ ରାଜ୍ୟ ବିଜେପି ସଭାପତିଙ୍କୁ ଜବାବ ଦେଇ ବିଜେଡି ମୁଖପାତ୍ର କହିଛନ୍ତି ଯେ, ଭଲ ହୋଇଥାନ୍ତା ଯଦି ଦରଦାମ ବୃଦ୍ଧି ଏବଂ ଇନ୍ଧନ ମୂଲ୍ୟ ବୃଦ୍ଧିରେ ନିୟନ୍ତ୍ରଣ କରିବାରେ ନିଜ ଦଳର ବିଫଳତା ପାଇଁ ସମୀର ମହାନ୍ତି ଦୁଃଖ ପ୍ରକାଶ କରିଥାନ୍ତେ ବୋଲି ସେ କହିଛନ୍ତି ।

ଚଳିତ ବର୍ଷ ଏପ୍ରିଲ ମାସରେ ବିଜେପି ଶାସିତ ରାଜ୍ୟମାନେ କିପରି ବିଦ୍ୟୁତ ଶୁଳ୍କ ବଢାଇଛନ୍ତି ତାହା ବିଜେଡି ଗଣମାଧ୍ୟମରେ ପ୍ରକାଶ କରିଥିଲା । ବିଜେପି ଶାସିତ ରାଜ୍ୟ ବିହାରରେ ୨୦୨୧ ମସିହା ମାର୍ଚ୍ଚ ୨୬ ତାରିଖରେ ବିଦ୍ୟୁତ୍ ୟୁନିଟ୍ ପିଛା ଦାମ ୩୫ ପଇସା ବୃଦ୍ଧି ହୋଇଛି । ସେହିପରି ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶରେ ଗତବର୍ଷ ୟୁନିଟ୍ ପିଛା ଦାମ ୬୪ ପଇସା ବୃଦ୍ଧି କରିଛି । ତା ସହିିତ ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ ମଧ୍ୟ ୟୁନିଟ୍ ପିଛା ଦରଦାମ ବୃଦ୍ଧି ଘଟିଛି । ତେଣେ ସତ କହିବା ପରିବର୍ତ୍ତେ ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗରେ ବିଜେପିି ଶସ୍ତା ରାଜନୀତି କରୁଥିବା ବିଜେଡି ମୁଖପାତ୍ର କହିଛନ୍ତି ।

ଓଡିଶାର ଲୋକ ଏବେ ବିଜେପିର କୁମ୍ଭୀର କାନ୍ଦଣା ବିଷୟରେ ଅଭ୍ୟସ୍ତ ହେବା ସହିତ ସେମାନଙ୍କ କଥାକୁ ଆଉ ଗୁରୁତ୍ୱର ସହ ନେଉନାହାନ୍ତି । ଗଣମାଧ୍ୟମ ଜରିଆରେ ବିଜେପି ସଭାପତି ସମୀର ମହାନ୍ତି ତାଙ୍କ ଦଳର ହତାଶ କର୍ମୀଙ୍କୁ ଉତ୍ସାହିତ କରିବାକୁ ଏବଂ ତାଙ୍କ ଦଳକୁ ରାଜନୈତିକ ଦୃଷ୍ଟିରୁ ପ୍ରାସଙ୍ଗିକ ରଖିବାକୁ ଚେଷ୍ଟା କରୁଛନ୍ତି । ଓଡିଶାର ଲୋକମାନେ ମଧ୍ୟ ଏହା ଭଲଭାବେ ଜାଣିଗଲେଣି ବୋଲି ଆଜି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ।