କନକ ବ୍ୟୁରୋ : ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାଜଭବନ ସମ୍ମୁଖରେ ବିଜେଡିର ବିକ୍ଷୋଭ । ଦଳର ଅନେକ ବିଧାୟକ ଓ ନେତା ରାଜଭବନ ସାମ୍ନାରେ ଧାରଣା ଦେଇଛନ୍ତି । ଫାଙ୍କା ସିଲିଣ୍ଡର ଧରି ଦଳର ମହିଳା କର୍ମୀ ଓ ନେତ୍ରୀ କେନ୍ଦ୍ର ବିରୋଧରେ ନାରାବାଜି କରିଛନ୍ତି । ଏହାସହ ରାସ୍ତା ଉପରେ ଚୁଲି ଜାଳି ପ୍ରତିବାଦ କରିଛନ୍ତି । ଏହାସହ ଗ୍ୟାସ ଦର ହ୍ରାସ ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛି ବିଜେଡି ।

Advertisment

ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି, କେନ୍ଦ୍ର ସରକାର ମା’ମାନଙ୍କୁ ଅସମ୍ମାନିତ କରିଛି । ଆଖିରେ ଲୁହ ଭରିଦେଇଛି । ୨୦୧୪ରେ ଯେଉଁ ଗ୍ୟାସ ସିଲିଣ୍ଡର ୪୧୦ ଟଙ୍କା ଥିଲା ଏବେ ତାହା ୧୧୩୦ ଟଙ୍କାରେ ପହଞ୍ଚିଛି । ପାଖାପାଖି ୩ ଗୁଣା ବୃଦ୍ଧି ପାଇଛି ଗ୍ୟାସ ଦର । ଉଜ୍ଜ୍ୱଳା ଏବେ ଅନ୍ଧାରୀ ଯୋଜନା ପାଲଟିଛି । କାରଣ ହିତାଧିକାରୀ ଗ୍ୟାସ୍ ରିଫିଲିଂ କରିପାରୁନାହାନ୍ତି । ପୂର୍ବରୁ ଯେମିତି ଚୁଲିରେ ରୋଷେଇ କରୁଥିଲେ ଏବେ ମଧ୍ୟ ସେହିଭଳି ଚୁଲିରେ ରୋଷେଇ କରୁଛନ୍ତି । ଯେପର୍ଯ୍ୟନ୍ତ କେନ୍ଦ୍ର ସରକାର ଚେତି ନାହାନ୍ତି, ଦରଦାମକୁ ନିୟନ୍ତ୍ରଣ କରିନାହାନ୍ତି ଏବଂ ଗ୍ୟାସ ଦର କମାଇ ନାହାନ୍ତି । ସେତେବେଳ ଯାଏଁ ଏ ଆନ୍ଦୋଳନ ଜାରି ରହିବ । ପୁରପଲ୍ଲୀରେ ଏହି ଆନ୍ଦୋଳନ ପହଞ୍ଚିବ ।

ସେହିଭଳି ବିଜେଡି ବିଧାୟକ ସୁଶାନ୍ତ ରାଉତ କହିଛନ୍ତି, ଯେଉଁଭଳି ଗ୍ୟାସ ଦର ବଢିଛି ସେଥିପାଇଁ ମା’ମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଗ୍ୟାସ ଦର କମାଇବା ପାଇଁ ଏ ବିକ୍ଷୋଭ କରାଯାଉଛି । ଯେତେ ଦିନ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଗ୍ୟାସ ଦର କମାଇ ନାହାନ୍ତି ସେତେବେଳ ଯାଏଁ ଏ ଆନ୍ଦୋଳନ ଜାରି ରହିବ ।