କନକ ବ୍ୟୁରୋ : ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ୩୦ ଜିଲ୍ଲା ଗସ୍ତ ପରେ ଏବେ ବିଜେଡି ନେତାଙ୍କର ଭୂମିକା ଉପରେ ରହିଛି ସାରା ଓଡ଼ିଶାର ନଜର । ନବୀନ ନିବାସରେ ବିଜେଡି ପର୍ଯ୍ୟବେକ୍ଷକ ବୈଠକ ପରେ ପ୍ରସ୍ତୁତ ହୋଇଛି ଦଳୀୟ ରଣନୀତି । ପଦଯାତ୍ରା ଓ ପ୍ରଶିକ୍ଷଣ ପାଇଁ ପ୍ରସ୍ତୁତ ଅଛନ୍ତି ଦଳୀୟ ନେତା । ନିର୍ଦ୍ଧାରିତ ସମୟ ସୂଚୀ ଅନୁସାରେ, ନିର୍ବାଚନ ମଣ୍ଡଳ ଉପରେ ଫୋକସ କରିବେ ଦଳୀୟ ବିଧାୟକ । ତେବେ ପ୍ରଶ୍ନ ହେଉଛି, କେଉଁ ରୂପରେ ନଜର ଆସିବେ ବିଧାୟକ? କାରଣ ଫାଇଭ-ଟି ସଚିବଙ୍କ ଜିଲ୍ଲାୱାରୀ ଗସ୍ତ ସମୟରେ ଏକାଧିକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ଭିକେ ପାଣ୍ଡିଆନ୍ । ନିର୍ଦ୍ଧାରିତ ସମୟରେ ଲୋକଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ତେବେ ବର୍ତମାନ ଯେତେବେଳେ ବିଜେଡି ବିଧାୟକମାନେ ନିଜ ନିର୍ବାଚନ ମଣ୍ଡଳକୁ ଯିବେ, ଜନତାଙ୍କୁ କ’ଣ କହିବେ । ସଚିବ ରଖିଥିବା ପ୍ରତିଶ୍ରୁତି ସମ୍ପର୍କରେ ଲୋକଙ୍କୁ ବୁଝାଇବେ ନା ନିଜେ କ’ଣ କରିବେ, ତାହା ଲୋକଙ୍କୁ ଜଣାଇବେ, ତା’ଉପରେ ଲୋକଙ୍କ ନଜର । ଗତ ସୋମବାର ଦିନ ନବୀନ ନିବାସରେ ବିଜେଡି ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଥିଲେ ଦଳର ସୁପ୍ରିମୋ । ଯେଉଁଥିରେ ଦଳୀୟ ଭାବନାଠୁ ଉପରକୁ ଉଠି ଲୋକଙ୍କ ସେବା କରିବାକୁ ଆହ୍ୱାନ ଦେଇଥିଲେ । ସେହିପରି ଗାନ୍ଧୀ ଜୟନ୍ତୀରୁ ପ୍ରତି ଜିଲ୍ଲାପରିଷଦ ଜୋନରେ ପଦଯାତ୍ରା ପାଇଁ ନିଷ୍ପତି ନିଆଯାଇଛି । ୩୦ ହଜାର ସକ୍ରିୟ ସଭ୍ୟଙ୍କୁ ଦିଆଯିବ ପ୍ରଶିକ୍ଷଣ । ପ୍ରତି ନିର୍ବାଚନ ମଣ୍ଡଳିରୁ ୨୦୦ ଜଣ ଲେଖାଏଁ ନେବେ ତାଲିମ । ପ୍ରତ୍ୟେକ ଘରକୁ ଯାଇ ଲୋକଙ୍କ କଥା ବୁଝିବେ ବିଜେଡି କର୍ମୀ । ଏବେ ବିଜେଡିର ଏହି ରଣନୀତି ତୃଣମୂଳ ସ୍ତରରେ କିପରି କାର୍ଯ୍ୟକାରୀ ହେଉଛି ଏବଂ ଲୋକଙ୍କ ଉପରେ ଏହାର କ’ଣ ପ୍ରଭାବ ପଡ଼ୁଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।