ଶ୍ରୀମନ୍ଦିର ପାଇଁ ଜାତୀୟ କିର୍ତୀରାଜି କର୍ତୃପକ୍ଷଙ୍କ ଡ୍ରାଫ୍ଟ ଅଧିନିୟମ ପ୍ରସଙ୍ଗ : ପ୍ରତିକ୍ରିୟା ରଖିଲା ବିଜେଡି; ସାଂସଦ ପିନାକୀ ମିଶ୍ର କହିଲେ, ଓଡିଆଙ୍କ ଭାବାବେଗକୁ ପହଂଚାଇଛି ଆଘାତ

77

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ଓ ଅନ୍ୟ କିଛି ମନ୍ଦିରର ସଂରକ୍ଷଣ ନେଇ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ବାଇ-ଲ ବା  ଉପନିୟମ ଜାରି କରିବା ପରେ ବିଜେଡି ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି । ବରିଷ୍ଠ ସାଂସଦ ପିନାକୀ ମିଶ୍ର ଟ୍ୱିଟ କରି ଲେଖିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶ୍ରୀମନ୍ଦିର ପାଇଁ ଅସାଧାରଣ କାମକୁ କେନ୍ଦ୍ର ସରକାର ବାଧା ପଂହଚାଇବାକୁ ଚେଷ୍ଟା କରୁଛନ୍ତି । ମୁଖ୍ୟମନ୍ତ୍ରୀ ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପାଇଁ ଦିନ ରାତି କାମ କରୁଥିବାବେଳେ କେନ୍ଦ୍ର ସରକାରଙ୍କ ଏଭଳି ବାଇ-ଲ କୁ ସେ ବିରୋଧ କରିଛନ୍ତି ।

ଏଥିସହ ସେ ଲେଖିଛନ୍ତି, ଓଡିଶା ଜୀବନ୍ତ ଭଗବାନଙ୍କୁ ‘ମସୌଲିୟମ’ ଶ୍ରେଣୀଭୁକ୍ତ କରାଯାଇଛି । ମସୌଲିୟମର ଓଡିଆ ଅର୍ଥ ହେଉଛି  ଏକ ଗମ୍ଭୁଜ ଆକୃତିର ନିର୍ମିତ କୋଠା ଭିତରେ ବଡ ବଡ ମହାପୁରୁଷଙ୍କୁ କବର ଦିଆଯାଏ । ପିନାକୀ ଏହି ଟ୍ୱିଟରେ ଲେଖିଛନ୍ତି, ଓଡିଆ ଜାତିର ଭାବାବେଗକୁ ଆଘାତ ପହଂଚାଯାଇଛି ଏବଂ ଏହା ଠାକୁରଙ୍କ ପ୍ରତି ଅପମାନ ବୋଲି କୁହାଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କ ଅପମାନ କେବେ ସହ୍ୟ କରିହେବନାହିଁ ବୋଲି ଟ୍ୱିଟ କରି ସେ ସଙ୍କେତ ଦେଇଛନ୍ତି ।

ଜାଣନ୍ତୁ ପ୍ରସ୍ତାବିତ ବାଇ-ଲରେ କଣ ରହିଛି –

  • ଶ୍ରୀମନ୍ଦିର ଚାରିପଟରେ ବିକାଶ ଉପରେ କଟକଣା
  • ମନ୍ଦିର ଚାରିପାଖର ୧୦୦ ମିଟର ବ୍ୟାସାର୍ଦ୍ଧ ଅଂଚଳ ନିଷିଦ୍ଧ ଅଂଚଳ ଘୋଷଣା
  • ଏହି ଅଂଚଳରେ କୌଣସି ନିର୍ମାଣ ହୋଇପାରିବ ନାହିଁ
  • ସରକାରୀ କିମ୍ବା ବେସରକାରୀ ସଂସ୍ଥା ଦ୍ୱାରା ନିର୍ମାଣକୁ ବାରଣ
  • ସବୁ ଦିଗରେ ଆହୁରି ୨୦୦ ମିଟର ପର୍ଯ୍ୟନ୍ତ ଅର୍ଥାତ ମୋଟ୍ ୩୦୦ ମିଟର ଅଂଚଳକୁ ନିୟନ୍ତ୍ରିତ ଅଂଚଳ
  • ଯେଉଁଠାରେ ନିର୍ମାଣ ନିଷେଧ ନୁହେଁ, ଏଥିପାଇଁ ଜାତୀୟ କୀର୍ତିରାଜି କର୍ତୃପକ୍ଷଙ୍କ ଅନୁମତି ନେବାକୁ ପଡ଼ିବ