ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳକୁ ନେଇ ବିଜେଡି ସାଂସଦ ଅମର ପଟ୍ଟନାୟକ ଟ୍ୱିଟ୍ । ଜାତିଭିତ୍ତିକ ପ୍ରତିନିଧିତ୍ୱ ଓ ବୃତ୍ତିଗତଙ୍କୁ ମନ୍ତ୍ରୀ ପଦ ମିଳିବା ନେଇ ଉଠାଇଲେ ପ୍ରଶ୍ନ ।

407

କନକ ବ୍ୟୁରୋ: ବିଜେଡି ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକଙ୍କ ଟ୍ୱିଟକୁ ନେଇ ଏବେ ଚର୍ଚ୍ଚା ବଢିଛି । ମୋଦୀଙ୍କ କ୍ୟାବିନେଟରେ ନୂଆ ମନ୍ତ୍ରୀଙ୍କୁ ନେଇ ଏକ ଟ୍ୱିଟ୍ କରିଛନ୍ତି ଅମର । ସେ ଲେଖିଛନ୍ତି, ୩୬ ଜଣ ନୂଆ ମନ୍ତ୍ରୀଙ୍କ ମଧ୍ୟରେ ୨୬ ଜଣ ପ୍ରଫେସନାଲ୍ ଅଛନ୍ତି । ୧୩ ଜଣ ଓକିଲ, ୬ ଜଣ ଡାକ୍ତର, ୫ ଜଣ ଇଂଜିନିୟର ଓ ୨ ଜଣ ପୂର୍ବତନ ବ୍ୟୁରୋକ୍ରାଟ୍ ରହିଛନ୍ତି । ଅମର ପଟ୍ଟନାୟକଙ୍କ ପ୍ରଶ୍ନ ହେଉଛି, କେବଳ କ’ଣ ବୃତ୍ତିଗତଙ୍କ ରାଜନୀତି ଓ ଶାସନ ଦକ୍ଷତା ବଢ଼ିବ? ଏଥିସହ ଦୀର୍ଘଦିନ ଧରି ଚାଲି ଆସିଥିବା ବିତର୍କକୁ ପୁଣି ଥରେ ସେ ଦେହାରାଇଛନ୍ତି । ପଚାରିଛନ୍ତି, ରାଜନୀତି ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା କ’ଣ ରହିବା ଉଚିତ?

ମୋଦୀ ସରକାରଙ୍କୁ ନୂଆ ମନ୍ତ୍ରୀଙ୍କୁ ନେଇ ତେରଚ୍ଛା ବାଣ ଛାଡିଛନ୍ତି ଅମର । ମନ୍ତ୍ରିମଣ୍ଡଳରେ ଜାତିଭିତ୍ତିକ ପ୍ରତିନିଧିତ୍ୱକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ଆଉ ଏପଟେ ଏହାର ଉତ୍ତର ରଖିଛନ୍ତି, ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ତେବେ ସବୁଠୁ ବଡ଼ କଥା ହେଉଛି, ଅମର ପଟ୍ଟନାୟକ ମଧ୍ୟ ଜଣେ ପୂର୍ବତନ ବ୍ୟୁରୋକ୍ରାଟ । ଜନ ଆନ୍ଦୋଳନରୁ ସେ ନେତା ହୋଇନାହାନ୍ତି, ଚାକିରି ପରେ ରାଜନୀତିରେ ପ୍ରବେଶ କରିଛନ୍ତି । ବିଜେଡିରେ ଯୋଗ ଦେବା ପରେ ଦଳ ତାଙ୍କୁ ରାଜସଭାକୁ ପଠାଇଛି । ପ୍ରଶାସନିକ କ୍ଷେତ୍ରରେ ତାଙ୍କର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଦଳୀୟ ରାଜନୀତିରେ ଗୂରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି ଅମର । ତେବେ ତାଙ୍କର ଯୁକ୍ତି ହେଉଛି, ଲୋକଙ୍କ ସେବା କରିବାର ମନବୃତ୍ତି ଶାସନର ଦକ୍ଷତାକୁ ବୃଦ୍ଧି କରିବ ।