ପଦ୍ମପୁର ଉପ-ନିର୍ବାଚନ ପୂର୍ବରୁ ବିଜେଡି ବିଧାୟକଙ୍କୁ ଧମକ । ବନ୍ଧୁକଧାରୀ ଯୁବକଙ୍କ ଧମକ ପରେ ବିଜେଡି-ବିଜେପି ମୁହାଁମୁହିଁ ।

229

କନକ ବ୍ୟୁରୋ: ଗୁଳିର ଜବାବ ଗୁଳିରେ ଦିଆଯିବ । ପଦ୍ମପୁର ଉପ-ନିର୍ବାଚନ ପୂର୍ବରୁ ଫେସବୁକରେ ନେତାଙ୍କୁ ଧମକ । ବିଜେଡି ବିଧାୟକ ତଥା ପଦ୍ମପୁର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ସୁଶାନ୍ତ ସିଂଙ୍କୁ ଏଭଳି ଧମକ ଦିଆଯାଇଛି ।  ଧମକ ଦେଇଥିବା ଯୁବକଙ୍କ ନାଁ ହେଉଛି ପିଙ୍କୁ କାମ୍ପା । ପିଙ୍କୁ ନିଜ ଫେସବୁକ ଆକାଉଣ୍ଟରେ ଏକ ବନ୍ଧୁକର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଯୁବକ ଜଣକ ସମ୍ବଲପୁରର ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ସହ ଏକାଧିକ ଫଟୋ ମଧ୍ୟ ଉଠାଇଛନ୍ତି । ତେବେ ଏହି ପୋଷ୍ଟକୁ ନେଇ ଉଭୟ ବିଜେପି ଓ ବିଜେଡି ବିଧାୟକ ପ୍ରତିକ୍ରିୟା ରଖିଛନ୍ତି ।

ସୁଶାନ୍ତ ସିଂ କହିଛନ୍ତି, ସଂପୃକ୍ତ ଯୁବକ ଜୟନାରାୟଣ ମିଶ୍ରଙ୍କ ଡାହାଣ ହାତ ଏବଂ ଏହି ପୋଷ୍ଟ ଜରିଆରେ ହିଂସା ଭିଆଇବାକୁ ଉଦ୍ୟମ କରୁଛନ୍ତି । ବିଜେପୁର ଉପ-ନିର୍ବାଚନ ସମୟରେ ବି ଏଭଳି ହିଂସାକାଣ୍ଡ ଘଟିଥିବା ମଧ୍ୟ କହିଛନ୍ତି ସୁଶାନ୍ତ ସିଂ । ଏପଟେ ଏହି ଘଟଣାରେ ଜୟନାରାୟଣ ମିଶ୍ର କହିଛନ୍ତି, ଅନେକ ଯୁବକ ତାଙ୍କ ସହ ଫଟୋ ଉଠାଉଛନ୍ତି । ଏହି ଯୁବକଙ୍କୁ ସେ ଜାଣନ୍ତି ନାହିଁ । ବିଜେପି ହିଂସାର ରାଜନୀତିରେ ବିଶ୍ୱାସ କରେ ନାହିଁ ବୋଲି ଜୟନାରୟଣ ମିଶ୍ର କହିଛନ୍ତି ।