କନକ ବ୍ୟୁରୋ : ନବୀନ ନିବାସକୁ ଯିବା ପୂର୍ବରୁ ବିଜେଡି ନେତ୍ରୀ ସଂଯୁକ୍ତା ମହଲଙ୍କ ଗାଡିକୁ ଅଟକାଇଲା ପୋଲିସ । ଟ୍ରାଫିକ ଛକରେ ସଂଯୁକ୍ତାଙ୍କୁ ଅଟକାଇଲା ପୋଲିସ । ଅଭିଯୋଗ ପ୍ରକୋଷ୍ଠରେ ନିଜ ଅଭିଯୋଗ ରଖିବାକୁ କହିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ସଂଯୁକ୍ତା । ସେ କହିଛନ୍ତି, ସମାଜରେ ଅନେକ କୁନ୍ତି ଅଛନ୍ତି, କିନ୍ତୁ ଆକ୍ରମଣ ହେଉଛି ଦ୍ରୌପଦୀଙ୍କ ଉପରେ । କେହି ଜଣେ ତ କୁନ୍ତିଙ୍କୁ ପ୍ରଶ୍ନ କରୁନାହାନ୍ତି ସମସ୍ତେ ଦ୍ରୌପଦୀଙ୍କୁ ପ୍ରଶ୍ନ କରୁଛନ୍ତି ।

Advertisment

ସଂଯୁକ୍ତା କହିଛନ୍ତି, ମୁଁ ଏଫଆଇଆର ଦେଇଥିଲି । କିନ୍ତୁ ମୋ ଅଭିଯୋଗ ଅନୁସାରେ କେସ୍ ହୋଇନି । ଶାରୀରିକ ଓ ମାନସିକ ନିର୍ଯାତନା ନେଇ ୭ ପୃଷ୍ଠାର ଅଭିଯୋଗ ଦେଇଥିଲି । କିନ୍ତୁ ଦଫା ଲାଗିଛି ମାତ୍ର ୩ଟି । ଯେଉଁଥିରେ ଉଲ୍ଲେଖ ଅଛି ଯେ, ପୂର୍ବତନ ମନ୍ତ୍ରୀଙ୍କ ସହ ମୋର କେବଳ ଝଗଡା ହୋଇଛି ।

ମହିଳା ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ହେଲା ମୁଁ ଜାଣିପାରିଲାନି । ସେଥିପାଇଁ ମୁଁ ଦଳର ମୁଖିଆଙ୍କ ନିକଟକୁ ଆସିଛି । ମୁଁ ୮ ଦିନ ପୂର୍ବରୁ ଦେଖା କରିବାକୁ ଅନୁମତି ମାଗିଥିଲି ସେତେବେଳେ କୁହାଗଲା ଖୁବଶୀଘ୍ର ଦଳର ମୁଖିଆଙ୍କ ସହ ଭେଟ କରାଯିବ ବୋଲି କିନ୍ତୁ ସେମିତି ନହେବାରୁ ମୁଁ ଆସିଛି । ମୋର ମାନ ସମ୍ମାନ ସବୁ ଧ୍ୱଂସ ହୋଇଯାଇଛି । ସେନେଇ ମୁଁ ମୁଖିଆଙ୍କୁ ଜଣାଇବାକୁ ଆସିଛି । ଦଳର ମୁଖ୍ୟ ଏ ବାବଦରେ ଜାଣିଛନ୍ତି କି ନାହିଁ ଜାଣିନି । ଯଦି ମୁଖିଆ ଜାଣିଥାନ୍ତେ ତେବେ ମୋ ସହ ଅନ୍ୟାୟ ହୋଇନଥାନ୍ତା । ଧୀରେ ଧୀରେ ଦଳ ଠାରୁ ମୋତେ ଅଲଗା କରାଯାଉଛି ।  ଜୀବନର ଶେଷ ବିନ୍ଦୁ ଥିବା ଯାଏଁ ଲଢେଇ କରିବି ।