କେନ୍ଦ୍ରମନ୍ତ୍ରୀଙ୍କ ଟାର୍ଗେଟ ପରେ ଜବାବ ରଖିଲା ବିଜେଡି । ପ୍ରସନ୍ନ କହିଲେ, ‘ଗୋଦରୀ ଲୋ ତୋ ଗୋଡକୁ ଅନା’ ।

157

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମପୁରରୁ ତେରେଛା ତୀର ମାରିବା ପରେ, ସାମ୍ବାଦିକ ସମ୍ମିଳନୀ କରି ଏହାର ଜବାବ ଦେଇଛି ବିଜେଡି । ସିଧାସଳଖ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଟାର୍ଗେଟ କରିବା ସହ ‘ଗୋଦରୀ ଲୋ ତୋ ଗୋଡକୁ ଅନା’ ଭଳି ଓଡିଆ ରୁଢିର ପ୍ରୟୋଗ କରିଛନ୍ତି । ଖାଲି ସେତିକି ନୁହେଁ ‘କହି ଦେଉଥାଏ ପରକୁ, ବୁଦ୍ଧି ନଦିଶଇ ଘରକୁ’ ଭଳି ଲୋକକଥାର ବ୍ୟବହାର କରିବା ସହିତ କେନ୍ଦ୍ରମନ୍ତ୍ରୀଙ୍କୁ ଓଲଟା ପ୍ରଶ୍ନ କରିଛି ଶାସକ ବିଜୁ ଜନତା ଦଳ ।

ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି , ସତ୍ୟକୁ ବିକ୍ରୁତ କରି ଲୋକଙ୍କ ସାମ୍ନାରେ ଉପସ୍ଥାପନ କରାଯାଉଛି । ତଥ୍ୟକୁ ଭୁଲ ଢଙ୍ଗରେ ଲୋକଙ୍କୁ କୁହାଯାଉଛି । ଯାହାକୁ ଶୁଣିବା ପରେ ପଦ୍ମପୁରବାସୀ ଏବେ କହିବା ଆରମ୍ଭ କରିଛନ୍ତି, ଗୋଦରୀ ଲୋ ତୋ ଗୋଡକୁ ଅନା । ତେବେ ଗତକାଲି ଓ ଆଜି ପଦ୍ମପୁରରେ ନିର୍ବାଚନୀ ଭାଷଣ ଦେଇ କେନ୍ଦ୍ରମନ୍ତ୍ରୀ ଯାହା ଯାହା କହିଛନ୍ତି, ସେ ପ୍ରସଙ୍ଗରେ ଜବାବ ରଖିଛି ବିଜେଡି । କେନ୍ଦ୍ରମନ୍ତ୍ରୀ କହିଥିଲେ ବିଜୁ ଜନତା ଦଳ ଓଡିଶାକୁ ଋଣ ଭାରରେ ବୁଡାଇ ଦେଲାଣି । ଓଡିଆ ଲୋକଙ୍କୁ ଋଣ ବୋଝରେ ବୁଡାଇ ଦେଲାଣି । ହେଲେ ଭାରତ ସରକାର ବିଭିନ୍ନ ଯୋଜନା ପାଇଁ କେତେ ଟଙ୍କା ଋଣ ଆଣିଛନ୍ତି । କେତେ ଟଙ୍କା ଏବେ ଲୋକଙ୍କ ମୁଣ୍ଡରେ ଋଣ ଅଛି ସେ କିନ୍ତୁ କେନ୍ଦ୍ରମନ୍ତ୍ରୀ କହୁନାହାଁନ୍ତି । ଖାଲି ସେତିକି ନୁହେଁ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ ଋଣ ଫଣ୍ଡ ମାମଲାରେ ଓଡିଶା, ବିଜେପି ଶାସିତ ଅନ୍ୟ ରାଜ୍ୟଙ୍କ ଅପେକ୍ଷା ଭଲ ସ୍ଥିତିରେ ଅଛି ବୋଲି ପ୍ରସନ୍ନ କହିଛନ୍ତି ।

ସେହିପରି ଦେଶର ଅନ୍ୟ ବିଜେପି ଶାସିତ ରାଜ୍ୟରେ ନାରୀ ନିର୍ଯ୍ୟାତନା ସୀମା ଟପୁଛି । ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଆସାମ ଓ ମହାରାଷ୍ଟ୍ର ଭଳି ବିଜେପି ଶାସିତ ରାଜ୍ୟରେ ଅପରାଧ ସଂଖ୍ୟା ଓଡିଶାଠାରୁ ଢେର ଗୁଣ ଅଧିକ । ହେଲେ କେନ୍ଦ୍ରମନ୍ତ୍ରୀ ଓଡିଶା ସରକାରଙ୍କୁ ଏ ବାବଦରେ ମିଛରେ ବଦନାମ କରୁଛନ୍ତି । ତେଣୁ ଏ କ୍ଷେତ୍ରରେ କହି ଦେଉଥାଏ ପରକୁ, ବୁଦ୍ଧି ନଦିଶଇ ଘରକୁ ଲୋକକଥାର ବ୍ୟବହାର କରିଥିଲେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ।

ଅନ୍ୟପଟେ ଚାଷୀଙ୍କୁ କେନ୍ଦ୍ର ସରକାର ଟଙ୍କା ଦେଉଥିବାବେଳେ, ରାଜ୍ୟ ସରକାର ଚାଷୀଙ୍କ କଥା ବୁଝୁନାହାଁନ୍ତି ବୋଲି ବିଜେପି ଦାବି କରୁଛି । ହେଲେ ଏବେ ବି ଭାରତ ସରକାରଙ୍କ ଉପରେ ଓଡିଶା ସରକାରଙ୍କ ୯ ହଜାର କୋଟି ଟଙ୍କା ବକେୟା ରହିଛି । ଯାହାକୁ ଓଡିଶା ସରକାରକୁ କେନ୍ଦ୍ର ସରକାର ଦେଇନାହାଁନ୍ତି । ସେହିପରି ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ମିଛ କହିଛନ୍ତି, ଖୋଦ୍ କେନ୍ଦ୍ର କୃଷିମନ୍ତ୍ରୀ ସଂସଦରେ ଏନେଇ ଉତ୍ତର ରଖି, ଓଡିଶାରେ ୨୦୧୭ ପରେ କୌଣସି ଚାଷୀ ଆତ୍ମହତ୍ୟା କରିନଥିଲେ ବୋଲି କହିଥିଲେ । ତେଣୁ କେନ୍ଦ୍ରମନ୍ତ୍ରୀ ମିଛ ଓ ଭୁଲ ତଥ୍ୟ ଲୋକଙ୍କ ସାମ୍ନାରେ ନରଖନ୍ତୁ ବୋଲି କହିଛି ବିଜେଡି ।