କୋଟିଆ ପ୍ରସଙ୍ଗ: ବିଜେଡି ବିଧାୟକ କହିଲେ ପ୍ରଶାସନିକ ସ୍ତରରେ ହୋଇଛି ଅବହେଳା, ଏପଟେ ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ସମସ୍ତ କାଗଜ ପତ୍ର ପ୍ରସ୍ତୁତ ରଖିବା ପାଇଁ କୋରାପୁଟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗର ନିର୍ଦ୍ଦେଶ

71

କନକ ବ୍ୟୁରୋ: କୋଟିଆ ପ୍ରସଙ୍ଗରେ ରାଜନୀତି ଜୋର ଧରୁଥିବାବେଳେ ମୁହଁ ଖୋଲିଛନ୍ତି ଖଣ୍ଡପଡ଼ା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । କୋଟିଆ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସୌମ୍ୟ କହିଛନ୍ତି କି, ପ୍ରଶାସନିକ ସ୍ତରରେ ଅବହେଳାକୁ ସେ ସ୍ୱୀକାର କରୁଛନ୍ତି । କୋଟିଆ ପ୍ରସଙ୍ଗରେ ଆଗରୁ ଚାହିଁଥିଲେ ସମାଧାନ ହୋଇପାରିଥାଆନ୍ତା । କିନ୍ତୁ ବିଳମ୍ବରେ ହେଲେ ମଧ୍ୟ ସରକାର ଲଢ଼େଇ ପାଇଁ ବାହାରିଛନ୍ତି । ତେଣୁ ସଭିଏଁ ମିଳିମିଶି ଏହି ପ୍ରସଙ୍ଗରେ ଛିଡ଼ା ହେବା ।

ସେପଟେ ଆଇନଗତ ଲଢ଼େଇ ଲଢ଼ିବା ପାଇଁ ଓଡ଼ିଶାର ସରକାରଙ୍କ ବଡ଼ ଧରଣର ପ୍ରସ୍ତୁତି କରୁଛନ୍ତି । କୋଟିଆରେ ଆନ୍ଧ୍ରର ନିର୍ବାଚନ କରିବା ପ୍ରସଙ୍ଗରେ ସମସ୍ତ କାଗଜ ପତ୍ର ପ୍ରସ୍ତୁତି ରଖିବା ପାଇଁ କୋରାପୁଟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗର ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟରେ ଶୁଣାଣୀ ପୂର୍ବରୁ ସମସ୍ତ ଦସ୍ତାବିଜ ନିର୍ଦ୍ଦେଶ ଦେଇଛନ୍ତି । ମାମଲା ଶୁଣାଣି ପୂର୍ବରୁ କାଲି ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ତଥ୍ୟ ସହ ମାମଲା ଲଢ଼ୁଥିବା ଓକିଲଙ୍କ ଉପସ୍ଥିତିରେ ଏହି ଆଲୋଚନା କରିବାକୁ ଏଥିରେ କୁହାଯାଇଛି । ଓଡ଼ିଶାରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଛନ୍ତି ଓଡ଼ିଶା ସରକାର । ଆସନ୍ତା ୧୯ ତାରିଖ ଶୁକ୍ରବାର ଦିନ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ହେବ ।