ବିଜେଡି ବନାମ ବିଜେଡି! ନୟାଗଡରୁ ଝାରସୁଗୁଡା ଯାଏଁ ସବୁଠି ବିରୋଧର ସ୍ୱର, ଅସନ୍ତୁଷ୍ଟଙ୍କୁ କେମିତି ମନେଇବେ ନବୀନ ?

80

କନକ ବ୍ୟୁରୋ : ବିଜେଡି ବିରୋଧରେ ବିଜେଡି । ଦଳ ଭିତରେ କୁହୁଳୁଛି ଗୋଷ୍ଠୀକନ୍ଦଳ ନିଆଁ । ପଦାରେ ପଡିଛି ଦଳର ଅନ୍ତଃକନ୍ଦଳ । ନିଜ ଅଞ୍ଚଳର ବିଧାୟକଙ୍କ ବିରୋଧରେ ମେଳି ବାନ୍ଧୁଛନ୍ତି ଅସନ୍ତୁଷ୍ଟ କର୍ମୀ ଓ ଛାମୁଆ ନେତା । ଗତ କିଛି ଦିନ ହେବ ବିଜେଡିରେ ଏଭଳି ଚାଲିଛି । କେଉଁଠି ଦଳୀୟ ବିଧାୟକଙ୍କ ବିରୋଧୀରେ କର୍ମୀଙ୍କ ବାଇକ୍ ରାଲି ତ କେଉଁଠି ମହାସମାବେଶ । ଆଉ କେଉଁଠି ବିଧାୟକଙ୍କ ବିରୋଧରେ ସହର ଯାକ ଛାଇଗଲାଣି ପୋଷ୍ଟର । ଦଳର ଅସନ୍ତୁଷ୍ଟ କର୍ମୀ ନିଜର ପ୍ରତିବାଦ ସୁପ୍ରିମୋଙ୍କୁ ଜଣାଇବା ଉଦେଶ୍ୟରେ ଏଭଳି କାର୍ଯ୍ୟକ୍ରମମାନ କରୁଛନ୍ତି ।

BJD QUARELL UPବିଜେଡି ବିଧାୟକଙ୍କ ବିରୋଧରେ ବାଇକ୍ ରାଲି । ରାଜରାସ୍ତାରେ ଜୋର ଧରିଥିଲା ବିଧାୟକ ହଟାଅ ଅଭିଯାନ । ଗଂଜାମ ଜିଲ୍ଲା ଖଲ୍ଲିକୋଟ ବିଧାୟକ ପୂଣ୍ଣଚନ୍ଦ୍ର ସେଠୀଙ୍କ ବିରୋଧରେ ଗତ ୨୭ ତାରିଖରେ ବିଶାଳ ବାଇକ୍ ରାଲି ଅନୁଷ୍ଠିତ ହୋଇଥିଲା । ବିଧାୟକ ବିଭିନ୍ନ ଅଂଚଳରେ ପିସି କାରବାରରେ ଲିପ୍ତ ଥିବା ଅଭିଯୋଗ କରି ବାହାରିଥିଲା ବାଇକ୍ ରାଲି । ହଜାରରୁ ଅଧିକ କର୍ମୀ ବାଇକ୍ ରାଲିରେ ଭାଗ ନେଇଥିଲେ । ଏଥିରେ ଥିଲେ ବ୍ଲକ୍ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଖଲିକୋଟ ଏନ୍ଏସି ଅଧକ୍ଷ, ଉପାଧକ୍ଷ ଓ ବିଜେଡ଼ିର ନଗର ସଭାପତି । ଏହି ବିଧାୟକ ହଟାଅ ଅଭିଯାନ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ଚାଲିବ ବୋଲି ଚେତାବନୀ ଦେଇଛନ୍ତି ଅସନ୍ତୁଷ୍ଟ ବିଜେଡି କର୍ମୀ ।

ସେହିଭଳି ଅନୁରୁପ ଦୃଶ୍ୟ ଦେଖିବାକୁ ମିଳିଥିଲା ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳିରେ । ସେଠାରେ ବି ତୀବ୍ର ହୋଇଛି ବିଜେଡିର ଭି୍ତିରି ବିବାଦ । ଗତ ୨୫ ତାରିଖରେ ଦଶପଲ୍ଲା ବିଧାୟକଙ୍କ ବିରୋଧରେ ଆୟୋଜିତ ହୋଇଥିଲା ବିଶାଳ ସମାବେଶ । ଦଶପଲ୍ଲା ବଂଚାଅ ମହାସମାବେଶ ନାଁରେ ହୋଇଥିବା ସମାବେଶେରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ହଟାଇବା ପାଇଁ ଦାବି ଜୋରଧରିଥିଲା । ପୂର୍ବ ପ୍ରସ୍ତୁତି ମୁତାବକ ପୂର୍ବତନ ବ୍ଳକ ଚେୟାରମ୍ୟାନ ଉପେନ୍ଦ୍ର ସାହୁଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ମହାବୀର ମନ୍ଦିର ନିକଟରୁ ର୍ୟାଲିରେ ବାହାରି ହାଟ ପଡିଆ ଠାରେ ଏକାଠି ହୋଇଥିଲେ । ବିଧାୟକଙ୍କ ମନମୁଖୀ ଶାସନ, ସଂଗଠନକୁ ବିଗାଡିବା, ଦଳର ଛାମୁଆ କର୍ମୀଙ୍କୁ ସାଙ୍ଗରେ ନ ନେବା ପ୍ରସଙ୍ଗରେ କଟୁ ସମାଲୋଚନା ସହ ତୁରନ୍ତ ବିଧାୟକଙ୍କୁ ବହିସ୍କାର ପାଇଁ ଦାବି କରିଥିଲେ ବିଜେଡିର ଅସନ୍ତୁଷ୍ଟ କର୍ମୀ ଓ ନେତା । ଏ ନେଇ ବିଜେଡି ସୁପ୍ରିମୋ ନବୀନ ପଟନାୟକଙ୍କ ନିକଟକୁ ଏକ ଦାବି ପତ୍ର ମଧ୍ୟ ପଠାଯାଇଛି ।

bjd inଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ନିର୍ବାଚନ ମଣ୍ଡଳି ବିଜେଡିରେ ବି ଫାଟ ଜଳଜଳ ହୋଇ ଦେଖାଯାଉଛି । ସ୍ଥାନୀୟ ନେତା ତଥା ବିଜେଡିର ପୂର୍ବତନ ବିଧାୟକଙ୍କ ବିରୋଧରେ ଏକାଠି ହୋଇଛନ୍ତି ଦଳର ଅସନ୍ତୁଷ୍ଟ କର୍ମୀ । ଯାହା ସହରରେ ଲାଗିଥିବା ପୋଷ୍ଟରରୁ ଜଣାପଡିଛି । ବ୍ରଜରାଜନଗରରେ ଲାଗିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି ଅନୁପ ହଟାଅ, ବିଜେଡି ବଂଚାଅ । ଯାହା ବିରୋଧୀଙ୍କୁ ରାଜନୀତର ଖୋରାକ ଯୋଗଇଛି । କୁହାଯାଉଛି ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଅନୁପ ସାଏଙ୍କ କାର୍ଯ୍ୟକ୍ରମରେ ଅତିଷ୍ଠ ବିଜେଡି ନେତା ଓ କର୍ମୀ ସେମାନଙ୍କ ପ୍ରତିବାଦ ସୁପ୍ରିମୋଙ୍କୁ ଜଣାଇବା ପାଇଁ ଏଭଳି ପୋଷ୍ଟର ଲଗାଇଛନ୍ତି ।

ଗୋଟିଏ ପଟେ ଲୋକଙ୍କ ନିକଟତର ହେବା ପାଇଁ ନବୀନ ନେତାଙ୍କୁ ନିର୍ଦ୍ଦେଶ ଦେଉଥିବା ବେଳେ କର୍ମୀ କିନ୍ତୁ ନେତାଙ୍କ କଥା ଶୁଣିବାକୁ ନାରାଜ । ନେତାଙ୍କୁ ବିରୋଧ କରୁଛନ୍ତି ଅସନ୍ତୁଷ୍ଟ କର୍ମୀ । ଯାହା ନବୀନଙ୍କ ପାଇଁ ଚିନ୍ତା ବଢାଇଛି । ଗୋଟିଏ ପଟେ ବିଜେଡି ଉପରେ ବିଜେପି ଘନଘନ ଆକ୍ରମଣ କରୁଥିବା ବେଳେ ଅନ୍ୟପଟେ ନେତାଙ୍କ ବିରୋଧରେ ମେଳି ବାନ୍ଧୁଛନ୍ତି ଅସନ୍ତୁଷ୍ଟ କର୍ମୀ । ତେବେ ବିଜେଡି ବନାମ ବିଜେଡି ଲଢେଇ ପରେ ଦଳର ସୁପ୍ରିମୋ କଣ ନିଷ୍ପତି ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।