କନକ ବ୍ୟୁରୋ : ଶଙ୍ଖ ଭବନରେ ଆରମ୍ଭ ହେଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଦଳର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସମେତ ସାଙ୍ଗଠନିକ ସଭାପତି ଏବଂ ନିମନ୍ତ୍ରିତ ଅତିଥି ଯୋଗ ଦେଇଛନ୍ତି । ବୈଠକରେ ସାମାଜିକ, ରାଜନୈତିକ ଓ ସାଙ୍ଗଠନିକ ପ୍ରସ୍ତାବ ପାରିତ ହେବ ।
ଯେହେତୁ ମୁଣ୍ଡ ଉପରେ ୨୦୨୪ ନିର୍ବାଚନ ରହିଛି ତେଣୁ କେଉଁ ରଣନୀତି ନେଇ ଲୋକମାନଙ୍କ ପାଖକୁ ଦଳ ଯିବ ତାର ଖସଡ଼ା ପ୍ରସ୍ତୁତ କରିବ ଦଳ । ଷଷ୍ଠ ଥର ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ସଂକଳ୍ପ ନେବେ ସମସ୍ତ ନେତା ଓ କର୍ମୀ । ୨୦୨୦ ମସିହାରେ ଶେଷ ଥର ପାଇଁ ବସିଥିଲା ଦଳର କାର୍ଯ୍ୟକରିଣୀ ବୈଠକ । ସେହିପରି ଡିସେମ୍ବର ୨୬ରେ ବିଜୁ ଜନତା ଦଳ ୨୭ ବର୍ଷରେ ପଦାର୍ପଣ କରୁଥିବା ବେଳେ ଏହାକୁ ପ୍ରଭାବୀ ଢଙ୍ଗରେ ପାଳନ କରାଯିବା ନେଇ ବ୍ୟାପକ ପ୍ରସ୍ତୁତି କରିଛି ଦଳ ।
ଦଳର ପ୍ରତିଷ୍ଠା ଦିବସ ଅବସରରେ ଲୋକଙ୍କ ନିକଟତର ହେବାକୁ ଦଳୀୟ କର୍ମକର୍ତାଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଦିନରେ ଗଣଦୌଡ, ରକ୍ତଦାନ, ବୃକ୍ଷରୋପଣ ଭଳି ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳତା ମଧ୍ୟ ଉପସ୍ଥାପନ କରାଯିବ । ଶ୍ରୀ ଜଗନ୍ନାଥ ଚେତନା ମୂଳାଧାରରେ ପୂର୍ଣ୍ଣ ବିକଶିତ ଓଡ଼ିଶା ଗଠନ କରିବା ପାଇଁ ଶପଥ ନେବାକୁ ଦଳୀୟ କର୍ମକର୍ତାଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/3-29.jpg)