ପିପିଲି ଘଟଣାରେ ଧର୍ମେନ୍ଦ୍ରଙ୍କ ସିବିଆଇ ତଦନ୍ତ ଦାବିକୁ ବିଜେଡିର କାଉଣ୍ଟର । ଦଳ କହିଲା, ସିବିଆଇର ବିଶ୍ୱସନୀୟତା ଉପରେ ଆଉ ଲୋକଙ୍କର ଭରସା ନାହିଁ

223

କନକ ବ୍ୟୁରୋ : ପିପିଲି ଘଟଣାରେ ଧର୍ମେନ୍ଦ୍ରଙ୍କ ସିବିଆଇ ତଦନ୍ତ ଦାବିକୁ କାଉଣ୍ଟର କରିଛି ବିଜେଡି । ପିପିଲି ଘଟଣାରେ କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ ଉପରେ ପ୍ରେସ୍ ବିଜ୍ଞପ୍ତି ଜରିଆରେ ବିଜେଡି ପକ୍ଷରୁ ଜବାବ୍ ରଖାଯାଇଛି । ଏଥିରେ କୁହାଯାଇଛି-ଅପରାଧୀଙ୍କ ସହିତ ଧର୍ମେନ୍ଦ୍ରଙ୍କ କୋଳାକୋଳିକୁ ସମଗ୍ର ରାଜ୍ୟ ଦେଖିଛି । ବିଜେପୁର ଉପନିର୍ବାଚନ ସମୟରେ ସୁଶାନ୍ତ ସିଂଙ୍କ ଭାଇଙ୍କ ଉପରେ ଆକ୍ରମଣ, ଛତ୍ରପୁରରେରେ ବିଜେଡି କାଉନସିିଲରଙ୍କୁ ହତ୍ୟା, ଗ୍ୟାଙ୍ଗଷ୍ଟାର ଟିଟୋକୁ ଆଇଓସିଏଲ୍ ପେଟ୍ରୋଲ ପମ୍ପ ପ୍ରଦାନ ଭଳି ଉଦାହରଣ ରଖି ଅପରାଧୀଙ୍କ ପ୍ରତି ସମର୍ଥନ ଓ ଅପରାଧିକ କାର୍ଯ୍ୟକୁ କେନ୍ଦ୍ରମନ୍ତ୍ରୀ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ କରିଛି ବିଜେଡି ।

ସେହିପରି ଅନ୍ୟକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ପୂର୍ବରୁ ଯଦି ନିଜର ନୈତିକତା ଥାଏ, ତେବେ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବା ଦରକାର ବୋଲି ବିଜେଡି ପକ୍ଷରୁ ପ୍ରେସ୍ ରିଲିଜରେ ଲେଖାଯାଇଛି । ଏପରିକି ସିବିଆଇର ବିଶ୍ୱସନୀୟତାକୁ ନେଇ ଏବେ ଲୋକେ ପ୍ରଶ୍ନ ଉଠାଇଲେଣି । ଏପରିକି ଇତିଶ୍ରୀ ହତ୍ୟା ମାମଲାରେ ସିବିଆଇ ତଦନ୍ତରେ କଣ ସୁଫଳ ମିଳିଲା ବୋଲି ପ୍ରଶ୍ନ କରିଛି ବିଜେଡି । ଏପରିକି ଯେତେବେଳେ ସିବିଆଇ କ୍ଲୋଜର ରିପୋର୍ଟ ଦାଖଲ କରି ତଦନ୍ତ ବନ୍ଦ କରିଦେଲା ସେତେବେଳେ କେନ୍ଦ୍ରମନ୍ତ୍ରୀ କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛି ବିଜେଡି ।

ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପୂର୍ବରୁ ଗୋଦରୀଲୋ ନିଜ ଗୋଡକୁ ଅନା ନ୍ୟାୟରେ କେନ୍ଦ୍ରମନ୍ତ୍ରୀ ନିଜ ଚାଳିଚଳନ ଉପରେ ଦୃଷ୍ଟି ଦେବା ଆବଶ୍ୟକ ବୋଲି କହିଛି ବିଜେଡି । ମହିଳା ସୁରକ୍ଷା ନେଇ ବିଜେପି ଡିଣ୍ଡିମ ପିଟୁଥିଲେ ମଧ୍ୟ ଅନେକ ବିଜେପି ନେତା ଓ କର୍ମୀ ମାନଙ୍କ ନାଁରେ ମହିଳାଙ୍କ ପ୍ରତି ଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସିଛି । ତେଣୁ ସେ ସବୁ ଘଟଣାରେ କେନ୍ଦ୍ରମନ୍ତ୍ରୀ ନିଜର ସ୍ପଷ୍ଟୀକରଣ ରଖନ୍ତୁ ବୋଲି କହିଛି ବିଜେଡି ।

Dharmendra-Pradhanଏହାପୂର୍ବରୁ ଆଜି ପିପିଲି ମାମଲାରେ ପ୍ରେସମିଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, କେବଳ ମହାରଥୀ ଇସ୍ତଫା ଦେଲେ କାମ ସରିଯିବନି । ଏହି ମାମଲାର ସଠିକ ତଦନ୍ତ ଏବଂ ପିପିଲି ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ସିବିଆଇକୁ ହସ୍ତାନ୍ତର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଥିଲେ ଧର୍ମେନ୍ଦ୍ର । କେବଳ ଏତିକି ନୁହେଁ ରାଜ୍ୟ ସରକାରଙ୍କ ଅଧିନରେ ପୋଲିସ ପ୍ରଶାସନ ପରିଚାଳନା ହେଉଛି, ଯେଉଁଥି ପାଇଁ ପୋଲିସ ଲୋକଙ୍କ ରକ୍ଷକ ହେବା ବଦଳରେ ଭକ୍ଷକ ସାଜିଛନ୍ତି ବୋଲି ବିଷୋଦଗାର କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ତେଣୁ ପିପିଲି ଗଣଦୁଷ୍କର୍ମ ମାମଲାର ସିବିଆଇ ତଦନ୍ତ କରିବାକୁ ଦାବି କରିବା ସହ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଏହାଛଡା ପିପିଲି ଘଟଣା ନେଇ ସାଂଘାତିକ୍ ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପିପିଲି ପୀଡ଼ିତାଙ୍କ ପରିବାର ପ୍ରତି ମରଣାନ୍ତକ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରିଛନ୍ତି ଧର୍ମେନ୍ଦ୍ର । ପୁଲିସର ଉପସ୍ଥିତିରେ ପୀଡ଼ିତାଙ୍କ ପରିବାରକୁ ଧମକ୍ ଦିଆଯାଉଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିପରି ଫେରୁଥିବା ବାଟରେ ଦୟାନଦୀ ନିକଟରେ ଶାସକ ଦଳର କିଛି କର୍ମୀ ତାଙ୍କୁ ଧମକ୍ ଦେବା ମଧ୍ୟ ଅଭିଯୋଗ କରିଛନ୍ତି । କେତେ ଦିନ ତୁମେ ପିପିଲି ପୀଡ଼ିତାଙ୍କ ପରିବାରଙ୍କୁ ସୁରକ୍ଷା ଦେବ ଆମେ ଦେଖି ନେବୁ ବୋଲି ଶାସକ ଦଳର କିଛି କର୍ମୀ ଧମକ୍ ଦେଇଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର । ଏହି ଘଟଣା ପରେ ସେ ଡରିଯାଇଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।