ବିଜେପୁରରେ ବାଜିମାତ୍ ପରେ ବିଜେଡିର ବିଜୟ ଉତ୍ସବ : ବିଜେପି ଓ କଂଗ୍ରେସରେ ନିରାଶ

22

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ରାଜଧାନୀରେ ଆଜି ତାହାର ପ୍ରଭାବ ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ବିଜେଡି କାର୍ଯ୍ୟାଳୟରେ ବାଣ ଫୁଟିବା ସହ ନାଚ, ଗୀତ ଚାଲିଥିଲା । ଅନ୍ୟ ପଟେ ସବୁଦିନେ ଚଳଚଞ୍ଚଳ ଥିବା ବିଜେପି କାର୍ଯ୍ୟାଳୟ ଆଜି ଶୂନ୍‌ଶାନ୍‌ ଲାଗୁଥିଲା । କଂଗ୍ରେସ ଭବନ ବି ଫାଙ୍କା ଥିଲା ।

ପୂର୍ବାହ୍ନ ୧୧ଟା ବେଳକୁ ବିଜେଡିର ବିଜୟ ନେଇ ସ୍ପଷ୍ଟ ଚିତ୍ର ଆସିଯାଇଥିବାରୁ ଦଳୀୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା । କର୍ପୋରେଟର୍‌, ଦଳୀୟ କର୍ମକର୍ତ୍ତା ଓ କର୍ମୀମାନଙ୍କୁ କାର୍ଯ୍ୟାଳୟ ଆସିବାକୁ କୁହାଗଲା । ମିଠା, ବାଣ, ବାଜା ସଙ୍ଗେ ସଙ୍ଗେ ଆୟୋଜନ କରାଗଲା। ୧୧ଟା ୩୦ ବେଳକୁ ଆରମ୍ଭ ହୋଇଗଲା ନାଚ, ଗୀତ। ମହିଳା କର୍ପୋରେଟର୍‌ ଓ ନାରୀ ନେତ୍ରୀମାନଙ୍କ ନାଚରେ ଦୁଲୁକିଲା ବିଜେଡି କାର୍ଯ୍ୟାଳୟ । ବାଜା, ବାଣରେ ସମସ୍ତେ ଖୁସି ମନାଇଲେ । ମିଠା ବି ବଣ୍ଟାଗଲା । କିଛି ସମୟ ପରେ ନବୀନ ନିବାସରେ ବି ଗହଳି ଆରମ୍ଭ ହୋଇଗଲା। ଉପନିର୍ବାଚନ ଦାୟିତ୍ୱରେ ଥିବା ଯୁବ ନେତାମାନେ ସେମାନଙ୍କ ସମର୍ଥକମାନଙ୍କ ସହ ନବୀନ ନିବାସରେ ପହଞ୍ଚିଗଲେ । ଗଣମାଧ୍ୟମ ପ୍ରତିନିଧିଙ୍କର ମଧ୍ୟ ସେଠି ଭିଡ଼ ଲାଗିଲା । ବିଜୟ ନେଇ ବେଶ୍‌ ଖୁସି ଥିବା ସୁପ୍ରିମୋ ନବୀନ ପଟ୍ଟନାୟକ ହସ ହସ ମୁହଁରେ ସମସ୍ତଙ୍କୁ ହାତ ହଲାଇ ଅଭିନନ୍ଦନ ଜଣାଇଲେ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନିଜ ଖୁସି ଜାହିର କରିଥିଲେ ।

ବିଜେପି ଓ କଂଗ୍ରେସର ରାଜ୍ୟ କାର୍ଯ୍ୟାଳୟ ଦୃଶ୍ୟ ଆଜି ପୂରା ଦୟନୀୟ ଥିଲା । ଅଧିକାଂଶ ଦିନ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଉଥିଲେ ବି ଆଜି ସେପରି କିଛି କରାଯାଇ ନ ଥିଲା । ଦଳର ପ୍ରମୁଖ ନେତାମାନଙ୍କ ଦେଖା ମିଳି ନ ଥିଲା । ଉଭୟ ଦଳର କାର୍ଯ୍ୟାଳୟରେ କାଁ ଭାଁ କର୍ମୀଙ୍କୁ ଦେଖିବାକୁ ମିଳିଥିଲା ।