ଭୋଟ ଦେଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ବିପୁଳ ମାତ୍ରାରେ ମତଦାନ ପାଇଁ କଲେ ଅପିଲ ।

140

କନକ ବ୍ୟୁରୋ: ଆଜି ପଦ୍ମପୁର ଉପନିର୍ବାଚନ ପରୀକ୍ଷା । ସକାଳ ୭ଟାରୁ ୩୧୯ଟି ବୁଥରେ ମତଦାନ ଚାଲିଛି । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଭୋଟ୍ ଦେବା ପୂର୍ବରୁ ବାପା ତଥା ଦିବଂଗତ ବିଜୟ ରଂଜନ ସିଂ ବରିହାଙ୍କୁ ଫଟୋ ସାମ୍ନାରେ ପ୍ରଣାମ କରି ଆଶୀର୍ବାଦ ନେଇଥିଲେ । ଏହା ପରେ ଭୋଟ ଦେବାକୁ ୨୧୩ ନମ୍ବର ବୁଥ୍ ଅଭିମୁଖେ ବାହାରିଥିଲେ ବର୍ଷା । ସେଠାରେ ପହଂଚିବା ପରେ ମହିଳା ଭୋଟରଙ୍କ ଧାଡ଼ିରେ ଠିଆ ହୋଇଥିଲେ ବର୍ଷା । ପରେ ମତଦାନ କେନ୍ଦ୍ରକୁ ଯାଇ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ବିଜେଡି ପ୍ରାର୍ଥୀ ।

ମୈଦାନରେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ୧୦ ଜଣଙ୍କ ପାଇଁ ପଦ୍ମପୁରବାସୀ ମତଦାନ କରୁଛନ୍ତି । ଅପରାହ୍ନ ୪ଟା ଯାଏଁ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ପୁଲିଂ ବୁଥ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପଦ୍ମପୁର ରାଜବୋଡ଼ା ସମ୍ବର ଗାଁର ୨୦୯ ବୁଥରେ ଇଭିଏମ୍ ଅଚଳ ହୋଇଥିଲା । ୮ ଖଣ୍ଡ ଭୋଟ୍ ପଡ଼ିବା ପରେ ଇଭିଏମ୍ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଏହା ପରେ କିଛି ସମୟ ପାଇଁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ପଦ୍ମପୁର ତହସିଲଦାର ୨୦୯ ନମ୍ବର ବୁଥରେ ପହଂଚିଥିଲେ । ତାଙ୍କ ଉପସ୍ଥିତିରେ ଇଭିଏମ୍ରେ ଥିବା ତ୍ରୁଟିକୁ ସଜାଡ଼ାଯିବା ପରେ ମତଦାନ ସ୍ୱାଭାବିକ ହୋଇଛି ।

ଅନ୍ୟପଟେ ପାଇକମାଳର ୧୨୮ ନମ୍ବର ବୁଥରେ ମଧ୍ୟ ଇଭିଏମ୍ ଅଚଳ ହୋଇଥିବା ସୂଚନା ରହିଛି । ପଦ୍ମପୁର ଉପନିର୍ବାଚନ ପାଇଁ ମୋଟ ୩୧୯ ବୁଥରେ ମତଦାନ ଚାଲିଛି । ସେଥିମଧ୍ୟରୁ ୧୨୦ଟି ବୁଥରେ ୱେବକାଷ୍ଟିଂ, ୬୬ଟି ବୁଥରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ୧୫ଟି ମଡେଲ ବୁଥ ଏବଂ ୬ଟି ପିଙ୍କ୍ ବୁଥରେ ଭୋଟିଂ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ପୁଲିସ ଫୋର୍ସ ସହ ୯ କମ୍ପାନୀ ସିଆରପିଏଫ ଫୋର୍ସ ମୃତୟନ ହୋଇଛନ୍ତି । ଉଜେତନାପୂର୍ଣ୍ଣ ଓ ସମ୍ବେଦନଶୀଳ ବୁଥ ଗୁଡ଼ିକ ଉପରେ ପୁଲିସ ଓ ପ୍ରଶାସନର ସ୍ୱତନ୍ତ୍ର ନଜର ରହିବ ।