କୋଟିଆରେ ଆନ୍ଧ୍ରର ନିର୍ବାଚନ ପରେ ଧର୍ମେନ୍ଦ୍ରଙ୍କ ଟ୍ୱିଟର କଟାକ୍ଷ । କହିଲେ ବେଳ ଥାଉଥାଉ ପଦକ୍ଷେପ ନିଅନ୍ତୁ ରାଜ୍ୟ ସରକାର । ବିଜେଡି କହିଲା ନ୍ୟାୟାଳୟରେ ରହିଛି ମାମଲା ।

97

କନକ ବ୍ୟୁରୋ: ସଂଘୀୟ ବ୍ୟବସ୍ଥାରେ ଥାଇ ଓଡିଶାର ସ୍ୱାଭିମାନ ଓ ଅସ୍ମିତାକୁ ଚ୍ୟାଲେଞ୍ଜ କରି କୋରାପୁଟ କୋଟିଆରେ ନିର୍ବାଚନ କରିଛି ଆନ୍ଧ୍ରପ୍ରଦେଶ । ହେଲେ, ହଠାତ ଆସି ଆନ୍ଧ୍ର ପ୍ରଶାସନ ଏହି ନିର୍ବାଚନ କରିନାହିଁ । ଏଥିପାଇଁ ଦୀର୍ଘଦିନ ହେବ ସେଠାରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଜାରି ରଖିଥିଲା ଆନ୍ଧ୍ର ସରକାର । ଏପରିକି ନିର୍ବାଚନ ପାଇଁ ବିଜ୍ଞପ୍ତିି ଜାରି ପରେ ଏହି ଖବର ଗଣମାଧ୍ୟମରେ ବାରମ୍ବାର ପ୍ରସାରିତ ହୋଇଛି । ହେଲେ ନିର୍ବାଚନ ରୋକିବା ପାଇଁ ଯେଉଁଭଳି ତତ୍ପରତା ପ୍ରକାଶ ପାଇବା କଥା କୌଣସି ସ୍ତରରେ ସେଭଳି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି ବିରୋଧୀ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ଲେଖିଛନ୍ତି, ଆନ୍ଧ୍ର ଓଡିଶାର ଭୌଗଳିକ ସୀମାରେ ପଶି କୋରାପୁଟ, ଗଂଜାମ, ଗଜପତି ଜିଲ୍ଲାରେ ଓଡିଶାର ଗାଁକୁ ପଂଚାୟତ ନିର୍ବାଚନରେ ସାମିଲ କରିବା ପାଇଁ ଉଦ୍ୟମ କରିବା ଖବର ଚିନ୍ତାଜନକ । ଆନ୍ଧ୍ର ହେଉ ବା ଅନ୍ୟ ପଡୋଶୀ ରାଜ୍ୟମାନଙ୍କ ସହ ସୀମା ବିବାଦ ଅନେକ ସମୟରେ ତିକ୍ତତା ସୃଷ୍ଟି କରୁଛି । ସମୟ ଥାଉ ଥାଉ ପଦକ୍ଷେପ ନନେଲେ ଆଗକୁ ଆହୁରି ଖରାପ ସମୟକୁ ସାମ୍ନା କରିବାକୁ ପଡିପାରେ ।

ସେହିପରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ସେ ଟୁଇଟ୍ କରି ଲେଖିଛନ୍ତିି, ଆମ ସୀମାକୁ ସୁରକ୍ଷିତ ରଖିବାରେ ସରକାର ବିଫଳ ହୋଇଛନ୍ତି । ସାଢେ ୪ କୋଟି ଓଡିଆଙ୍କ ଭାବାବେଗକୁ ଆଘାତ କରିବାର ନୈତିକ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନିଅନ୍ତୁ  । ସେହିପରି ଏଥିପାଇଁ ସରକାରଙ୍କ ଅପରାଗତକୁ ଦାୟୀ କରିଛି କଂଗ୍ରେସ  ।

 ଅନ୍ୟପଟେ ଆନ୍ଧ୍ରର ନିର୍ବାଚନ ନେଇ ବିଜେପିର ଆଭିମୁଖ୍ୟକୁ ନିନ୍ଦା କରିଛନ୍ତି ବିଜେଡି ନେତା ଶଶିଭୂଷଣ ବେହେରା । କହିଛନ୍ତି, ସୁପ୍ରିମକୋର୍ଟ ଦୁଇ ଦୁଇ ଥର ଆନ୍ଧ୍ର-ଓଡିଶା ସୀମା ଉପରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରି ସମୟରେ ସବୁ ଓଡିଆ ଏକଜୁଟ ଏହାର ସମାଧାନ ପାଇଁ ଯତ୍ନବାନ ହେବା ଆବଶ୍ୟକ ବୋଲି ଶଶି ବେହେରା କହିଛନ୍ତି । ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି- ବିଜେପି । ସୁତରାଂ ଷଢ଼େଇକଳା ଓ ଖରସୁଆଁ ଦୁଃଖ ଓଡିଶାବାସୀଙ୍କ ମନରୁ ଯାଇନଥିବାବେଳେ କୋଟିଆ ହାତରୁ ଖସିଯିବା ଆଶଙ୍କା ପୁଣି ଦେଖାଦେଇଛି । ତେଣୁ ଆନ୍ଧ୍ରର ଏହି ଷଡଯନ୍ତ୍ରକୁ ପଣ୍ଡ କରିବା ପାଇଁ ସମସ୍ତେ ଏକଜୁଟ ହୋଇ ସ୍ୱର ଉତ୍ତୋଳନ କରିବା ଜରୁରୀ ।