ପୋଲାଭରମ ପଲିଟିକ୍ସ ! ଆନ୍ଧ୍ରକୁ ଲାଭ, ଓଡିଶାକୁ କ୍ଷତି । ମୋଦି ସରକାରଙ୍କ ନୂଆ ଚାଲ୍ ।

46

କେନ୍ଦ୍ର ସରକାରଙ୍କୁ ପୁଣି ଘାରିଛି ଆନ୍ଧ୍ରପ୍ରଦେଶ ପୀରତି । ପ୍ରକଳ୍ପକୁ ପରୋକ୍ଷରେ ଆଉ ବର୍ଷକ ପାଇଁ ଚାଲୁ ରଖିବାକୁ ଅନୁମତି ଦେବା ପରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ପୋଲାଭରମ ପ୍ରକଳ୍ପର ରିଭିୟ୍ୟୁ କରିଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ଝଡ଼ । ଉଭୟ ବିଜେଡି ଓ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ।

ବିଜେଡି ସାଂସଦ କଳିକେଶ ସିଂହଦେଓ କହିଛନ୍ତି ଯେ, କେନ୍ଦ୍ର ସରକାର ସବୁବେଳେ ଓଡିଶା ବିରୋଧୀ । ଛତିଶଗଡ଼ର ମହାନଦୀ ଉପରେ ଦାଦାଗିରୀ କୁ ପ୍ରୋତ୍ସାହନ ଦେବା ଏବଂ ଆନ୍ଧ୍ରପ୍ରଦେଶର ମେଗା ପୋଲାଭରମର ପ୍ରକଳ୍ପ ବନ୍ଦ କାର୍ଯ୍ୟାଦେଶକୁ ପୁଣି ବର୍ଷକ ପାଇଁ ସ୍ଥଗିତ ରଖିବା କେନ୍ଦ୍ରର ଦୋ ମୁହାଁ ନୀତି ବୋଲି ସମାଲୋଚନା କରିଛନ୍ତି ବିଜେଡି ସାଂସଦ । ଏହି ପ୍ରକଳ୍ପ ହେଲେ ଓଡିଶାର ଆଦିବାସୀ ଞ୍ଚଳର ହଜାର ହଜାର ଏକର ଜମି ଜଳମଗ୍ନ ହୋଇଯିବ । ଏଭଳି କେନ୍ଦ୍ରର ବୈମାତ୍ରୁକ ନିଷ୍ପତିକୁ ପାର୍ଲ୍ୟାମେଣ୍ଟରେ ବିରୋଧ କରିବ ବିଜେଡି । ଏହାକୁ ନେଇ ବିଜେଡି ସଭାପତିଙ୍କ ନିର୍ଦ୍ଦେଶ ଅନୁସାରେ ଆଗାମୀ ଦିନରେ ଆନ୍ଦୋଳନ ମଧ୍ୟ କରାଯିବ ବୋଲି ପରୋକ୍ଷରେ ଚେତାବନୀ ଦେଇଛନ୍ତି ସାଂସଦ କଳିକେଶ ସିଂଦେଓ ।

ସେପଟେ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ କହିଛନ୍ତି ଯେ, ପୂର୍ବରୁ କେନ୍ଦ୍ର ସରକାର ଓଡିଶାକୁ ଉପେକ୍ଷିତ କରି ଆସୁଛନ୍ତି । ସେ ମହାନଦୀ ପ୍ରସଙ୍ଗ ହେଉ କିମ୍ବା ଚାଷୀ ଓ ବେରୋଜଗାରୀ ପ୍ରସଙ୍ଗକୁ ନେଇ ସର୍ବଦା ସ୍ୱର ଉତ୍ତୋଳନ କରିଛି କଂଗ୍ରେସ ବୋଲି କହିଛନ୍ତି ଚିରଞ୍ଜୀବ । ତେବେ ଗତକାଲି କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ନୀତିନ ଗଡକରୀ ପୋଲାଭରମ ପ୍ରକଳ୍ପକୁ ବୁଲି ଦେଖିବାପରେ ଏହି ପ୍ରକଳ୍ପକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ କହିଛନ୍ତି ।

କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ପକ୍ଷରୁ ପୋଲାଭରମ ଷ୍ଟପ ୱାର୍କ ଅର୍ଡରକୁ ବର୍ଷକ ପାଇଁ ସ୍ଥଗିତ ରଖାଯାଇଛି । ଆନ୍ଧ୍ରପ୍ରଦେଶର ଇନ୍ଦିରା ସାଗର ପୋଲାଭରମ ମଲ୍ଟି ପ୍ରପୋଜ ପ୍ରୋଜେକ୍ଟ ଉପରେ ଗତ ୨୦୧୧ ମସିହା ଫେବୃଆରୀ ୮ ତାରିଖରେ ଷ୍ଟପ ୱାର୍କ ଅର୍ଡର ଦିଯାଇଥିଲା । ୨୦୧୫ ଜୁନ ୨୩ ତାରିଖରେ ବର୍ଷକ ପାଇଁ ଏହି ଅର୍ଡରକୁ ସ୍ଥଗିତ ରଖିବା ପାଇଁ ନିଷ୍ପତି ମଧ୍ୟ କରିଥିଲା କେନ୍ଦ୍ର । ପରବର୍ତ୍ତୀ ସମୟରେ ଲଗାତାର ତିନି ବର୍ଷ ହେଲା ଏହି ସ୍ଥଗିତାଦେଶର ଅବଧିକୁ ବଢ଼ାଉଛି କେନ୍ଦ୍ର ବୋଲି ସ୍ପଷ୍ଟ ହୋଇଛି । ଏବେ ପୁଣି ବର୍ଷକ ପାଇଁ ପ୍ରକଳ୍ପ କାମ ବନ୍ଦ ଆଦେଶକୁ ସ୍ଥଗିତ ରଖିଛନ୍ତି । ଏହାର ଅର୍ଥ ଆସନ୍ତା ଫେବ୍ରୁଆରୀ ୨ ତାରିଖ ପର୍ଯ୍ୟନ୍ତ ପୋଲାଭରମ କାର୍ଯ୍ୟ ଚାଲୁ ରଖିବା ପାଇଁ ଆନ୍ଧ୍ରକୁ ଗ୍ରୀନ ସିଗନାଲ ଦେଇଛନ୍ତି କେନ୍ଦ୍ର ସରକାର । ଏସମ୍ପର୍କରେ ଆନ୍ଧ୍ରପ୍ରଦେଶ, ଓଡିଶା, ଛତିଶଗଡ ଓ କେନ୍ଦ୍ର ଜଳ ସମ୍ପଦ ବିଭାଗକୁ ଚିଠି ଲେଖି ଜଣାଇଛି କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ।