‘ଆଶୀର୍ବାଦ’ ରାଜନୀତି । ମୁହାଁମୁହିଁ ହେଲେ ବିଜେପି-ବିଜେଡି, ପ୍ରଶ୍ନ କିଏ ପାଇବ ଜନତାଙ୍କ ଆଶୀର୍ବାଦ?

192

କନକ ବ୍ୟୁରୋ : ଗୋଟିଏ ପଟେ ସ୍ୱାସ୍ଥ୍ୟସେବାକୁ ନେଇ ଉଭୟ ବିଜେପି-ବିଜେଡି ନେତା ମୁହାଁମୁହିଁ ହେଉଥିବା ବେଳେ ଏବେ ଜନ ଆଶୀର୍ବାଦକୁ ନେଇ ସୋସିଆଲ ମିଡ଼ିଆରେ ପରସ୍ପରକୁ ଟାର୍ଗେଟ କରିଛନ୍ତି ଉଭୟ ଦଳର ନେତା । ଧର୍ମେନ୍ଦ୍ରଙ୍କ ଆୟୁଷ୍ମାନ ଯୋଜନା ଲାଗୁ କରିବା ଅନୁରୋଧକୁ କାଉଣ୍ଟର କରିବାକୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟ୍ୱିଟ୍ ବାଣ ମାରିଥିବା ବେଳେ ଏବେ ବିଜେପିର ଜନ ଆଶୀର୍ବାଦ ଯାତ୍ରାକୁ ନେଇ ପରୋକ୍ଷରେ ଟ୍ୱିଟ ବାଣ ଛାଡିଛନ୍ତି କୃଷି ତଥା ଶିକ୍ଷାମନ୍ତ୍ରୀ ତଥା ବିଜେଡି ନେତା ଅରୁଣ ସାହୁ । ବିନା ସେବାରେ ଆଶୀର୍ବାଦ ପାଇବାକୁ ବାଧ୍ୟ କରିବା ଓ ସେବା ଦେଇ ସ୍ୱତଃପ୍ରବୃତ୍ତ ଭାବେ ଆଶୀର୍ବାଦ ପାଇବା । ଏହା ଭିତରେ କଣ ଫରକ ରହିଛି ତାହା ଓଡ଼ିଶାବାସୀ ବେଶ ଭଲ ଭାବରେ ଜାଣିଛନ୍ତି ବୋଲି ଅରୁଣ ଟ୍ୱିଟ୍ କରିଛନ୍ତି । ଆଉ ଏହି ଟ୍ୱିଟ କରି ପରୋକ୍ଷରେ ବିଜେପିର ଜନ ଆଶୀର୍ବାଦ ଯାତ୍ରାକୁ ଟାର୍ଗେଟ କରିଛନ୍ତି ଅରୁଣ । କାରଣ ଓଡ଼ିଶାରେ ଗୁରୁବାର ଠାରୁ ବିଜେପି ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛି । ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ଅଞ୍ଚଳ ବୁଲିବା ସହ ମୋଦୀ ସରକାରଙ୍କ ଲୋକାଭିମୁଖୀ ଯୋଜନା ବାବଦରେ ଅବଗତ କରାଇ ଆଶୀର୍ବାଦ ନେଉଛନ୍ତି । ଯାହାକୁ ନେଇ ଅରୁଣ ପରୋକ୍ଷରେ ଏଭଳି ଟ୍ୱିଟ୍ କରିଥିବା କୁହାଯାଉଛି । ଆଉ ଏଭଳି ଟ୍ୱିଟ୍ କରି ବିନା ସେବାରେ ବିଜେପି ନେତା ଆଶୀର୍ବାଦ ପାଇବାକୁ ବାଧ୍ୟ କରୁଥିବା ଦିଗ ଆଡକୁ ପରୋକ୍ଷରେ ଇଙ୍ଗିତ କରିଛନ୍ତି ଅରୁଣ ।

ତେବେ ଅରୁଣଙ୍କ ଏହି ଟ୍ୱିଟର ଜବାବରେ ବିଜେପି ନେତା ଟଙ୍କଧର ତ୍ରିପାଠୀ କହିଛନ୍ତି, ଆଶୀର୍ବାଦ ପାଇଁ କାହାକୁ ବାଧ୍ୟ କରାଯାଏ ନାହିଁ ବୋଲି ମନ୍ତ୍ରୀ ଅରୁଣ ସାହୁ ଜାଣିନାହାନ୍ତି । ଜନସାଧାରଣଙ୍କ ସହ ମିଶି ସୁଖଦୁଃଖ ବାଣ୍ଟିଲେ ସ୍ନେହ, ଆଦର ସହ ଆଶୀର୍ବାଦ ସ୍ୱତଃ ମିଳେ, କିନ୍ତୁ ଗୋଟିଏ ନିବାସରେ ବନ୍ଦ ହୋଇ ରହିଲେ ଯାହା ମିଳେ ନାହିଁ । ସେହିଭଳି ଅରୁଣଙ୍କୁ ଟାର୍ଗେଟ କରି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ମିଛ କହିବାର ଯେଉଁମାନଙ୍କର ଅଭ୍ୟାସ ଥାଏ ସେମାନଙ୍କ ସହ ଯୁକ୍ତି ନ କରିବା ଭଲ । କୃଷକଙ୍କ କଣ ବିକାଶ ହେଇଛି ତାର ଉତ୍ତର କୃଷିମନ୍ତ୍ରୀଙ୍କ ପାଖରେ ନାହିଁ । ଖବରକାଗଜରେ ନିଜ ସପକ୍ଷରେ ବିଜ୍ଞାପନ ଚଲେଇ ବାହାବା ନେଉଛନ୍ତି । ଆଗକୁ ଆଶୀର୍ବାଦ ଲୋକ କାହାକୁ ଦେବେ ଅରୁଣ ସାହୁ ଦେଖିବେ । ବିଜେପିର ଜନ ଆଶୀର୍ବାଦ ଯାତ୍ରାର ସାମଗ୍ରିକ ଉଦେଶ୍ୟ କଣ ରାଜ୍ୟସରକାରଙ୍କ ବାବୁ ମାନେ ଜାଣିନାହାଁନ୍ତି । ରାଜ୍ୟ ସରକାର ଗୁମାସ୍ତା ଭାବେ ଭୂମିକା ଠିକ କରୁନାହାନ୍ତି ସେଥିପାଇଁ ଜମିଦାର ନିଜେ ଯାଇକି ଲୋକଙ୍କୁ ଯୋଜନା ଜଣାଉଛନ୍ତି ଓ ସେବା ଯୋଗାଉଛନ୍ତି । ରାଜ୍ୟବାସୀ ବିଜେପି ଉପରେ ଆଗକୁ ଆହୁରି ଆଶୀର୍ବାଦ ଦେବେ ବୋଲି କହିଛନ୍ତି ପୃଥ୍ୱୀରାଜ ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଉଭୟ ବିଜେପି-ବିଜେଡି ନେତା ମୁହାଁମୁହିଁ ହେବା ରାଜ୍ୟ ରାଜନୀତିକୁ ଗରମ କରିଛି । ବିଭିନ୍ନ ପ୍ରସଙ୍ଗକୁ ନେଇ ଉଭୟ ଦଳ ଏବେ ପରସ୍ପରକୁ ଟାର୍ଗେଟ କରିବାକୁ ଟିକିଏ ବି ସୁଯୋଗ ହାତଛଡା କରୁନାହାନ୍ତି । ଏଭଳିସ୍ଥିତିରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଜନତା କାହାକୁ ଆଶୀର୍ବାଦ କରିବେ ଓ କାହା ଯୋଜନା ଲୋକଙ୍କୁ ପ୍ରଭାବିତ କରିବ ତାହା ଦେଖିବା ବାକି ରହିଲା ।