ବିଜେଡି ସହ ବାଜପେୟୀଙ୍କ ନିବିଡତାକୁ ନେଇ ଆସିଲା ତଥ୍ୟ : ସାଂସଦ କହିଲେ, ୨୦୦୨ ବିପଦ ସମୟରେ ସଂକଟ ମୋଚକ ସାଜିଥିଲେ ବାଜପେୟୀ

57

କନକ ବ୍ୟୁରୋ : ବିଜୁ ବାବୁଙ୍କ ଘନିଷ୍ଠ ଓ ନବୀନଙ୍କୁ ଶ୍ରଦ୍ଧା କରୁଥିବା ବାଜପେୟୀ ବିଜୁ ଜନତା ଦଳ ଗଠନରେ ପ୍ରମୁଖ ଭୂମିକା ନିଭାଇ ଥିବା ତଥ୍ୟ ସାମ୍ନାକୁ ଆସିଛି । ତାଙ୍କ ଅବର୍ତ୍ତମାନରେ ବିଜେଡି ପ୍ରତି ତାଙ୍କ ଅବଦାନକୁ ମନେ ପକାଇଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । କହିଛନ୍ତି, ୨୦୦୨ରେ ବିଜେଡି ବିଭାଜନ ଭଳି ସ୍ଥିତି ସୃଷ୍ଟି ହୋଇଥିବା ବେଳେ ସଂକଟମୋଚକ ସାଜିଥିଲେ ବାଜପେୟୀ । ବାଜପେୟୀ ଓ ଆଡଭାନୀଙ୍କ ମାର୍ଗଦର୍ଶନ ବିଜେଡିକୁ ବଂଚାଇ ଦେଲା ବୋଲି ସେ ସୂଚନା ଦେଇଛନ୍ତି ।

ବିଜେଡି ଓ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦୁଇ ଦଶନ୍ଧିର ରାଜନୈତିକ କ୍ୟାରିୟରରେ ବୋଧହୁଏ ସବୁଠାରୁ ସଂକଟର ସମୟ ଥିଲା ୨୦୦୨ । ଯେତେବେଳେ ବିଦ୍ରୋହୀ ଭାବରେ ଦିଲ୍ଲୀପ ରାୟ ରାଜ୍ୟସଭାକୁ ନିର୍ବାଚିତ ହୋଇଥାନ୍ତି । ବିଜେଡି ସଂସଦୀୟ ଦଳରେ ଅସନ୍ତୋଷ ସୃଷ୍ଟି ହୋଇଥିଲା ଏବଂ ଏହାକୁ ନେଇ ବିଭାଜନର ଆଶଙ୍କା ବି ଦେଖାଦେଇଥିଲା । ଗୋଟିଏ ଗୋଷ୍ଠୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନେତା ନିର୍ବାଚିତ କରିସାରିଥାନ୍ତି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ କି ପରାମର୍ଶ ଦେଇଥିଲେ ବାଜପେୟୀ ଓ ଆଡଭାନୀ ? ୧୬ ବର୍ଷ ତଳେ କଣ ଘଟିଥିଲା ? ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ସେ ସମୟରେ ବାଜପେୟୀ ଭାରତ ଓଡ଼ିଶାର ରାଜନୀତିର ଏକ ପ୍ରାଞ୍ଜଳ ଚିତ୍ର ରଖିଥିଲେ । ବାଜପେୟୀ ବିଜେଡ଼ିର ସଙ୍କଟ ସମୟରେ ବୁଝାଇଥିଲେ ନୂଆ ଦଳକୁ ଅଭିଭାଜିତ ରଖି ଶକ୍ତିଶାଳୀ କର । ନହେଲେ ଯେଉଁ ଦୁରାଚାରୀ ଶାସନ ବିରୋଧରେ ଏତେ ଦିନ ଧରି ଲଢ଼େଇ ଜାରି ରଖିଥିଲା ତାହା ପୁଣି ଫେରିଆସିବାର ଆଶଙ୍କା ରହିଛି ।

କେବଳ ସେତିକି ନୁହେଁ ବିଜୁ ଜନତା ଦଳ ଗଠନରେ ଅଟଳ ବିହାରୀ ବାଜପେୟୀଙ୍କର ପ୍ରମୁଖ ଭୂମିକା ଥିବା କୁହାଯାଉଛି । ୧୯୯୭ରେ ବିଜେଡି ଗଠନ ହୋଇଥିବା ବେଳେ ବାଜପେୟୀଙ୍କ ଅତ୍ୟନ୍ତ ଅନୁଗାମୀ ପ୍ରମୋଦ ମହାଜନ ବାରମ୍ବାର ଓଡିଶା ଆସି ବିଜୁ ଅନୁଗାମୀ ମାନଙ୍କୁ ଦଳ ଗଠନ ଲାଗି ପ୍ରଭାବିତ କରୁଥିଲେ । ମୋରାର୍ଜୀ ଦେଶାଇଙ୍କ ମନ୍ତ୍ରୀମଣ୍ଡଳରେ ଅଟଳ ବିହାରୀ ବାଜପେୟୀ ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିବାବେଳେ ଇସ୍ପାତ ଓ ଖଣିମନ୍ତ୍ରୀ ଥାନ୍ତି ବିଜୁ ପଟ୍ଟନାୟକ । ଦୁହିଁଙ୍କ ଭିତରେ ଅତି ନିବିଡ ସଂପର୍କ ଥିବା କୁହାଯାଏ । ସେହି ଦୃଷ୍ଟିରୁ ବି ନବୀନଙ୍କୁ ଖୁବ ପସନ୍ଦ କରୁଥିଲେ ବାଜପେୟୀ । ପ୍ରମୋଦ ମହାଜନଙ୍କ ଜରିଆରେ ବିଜେଡି ଗଠନର ଟିକିନିଖି ଖବର ରଖୁଥିଲେ ବାଜପେୟୀ ।

source : NDTV.com

ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ଇସ୍ପାତ ଓ ଖଣିମନ୍ତ୍ରୀ ଥିଲେ ନବୀନ । ଓଡିଶା ରାଜନୀତିକୁ ପ୍ରବେଶ ପୂର୍ବରୁ ଦିଲ୍ଲୀରେ ବାଜପେୟୀଙ୍କ ନିକଟତର ହେବାର ସୁଯୋଗ ତାଙ୍କୁ ଜଣେ ପୋଖତ ରାଜନେତା ବନିବାରେ ବିଶେଷ ସହାୟକ ହେଲା । ୨୦୦୦ରେ ବିଜେପି-ବିଜେଡି ମେଂଟ କ୍ଷମତାକୁ ଆସିବା ପର୍ଯ୍ୟନ୍ତ ଏବଂ ଏହାପରେ ୨୦୦୪ ଯାଏଁ ମେଂଟକୁ ଅତୁଟ ରଖିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ ବାଜପେୟୀ । ୨୦୧୪ରେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ କଂଗ୍ରେସ ମୁକ୍ତ ଭାରତ ସ୍ଲୋଗାନ ଦେଲେ ନରେନ୍ଦ୍ର ମୋଦି । ହେଲେ ପ୍ରାୟ ଦେଢ ଦଶନ୍ଧି ପୂର୍ବରୁ ମେଂଟ ରାଜନୀତିର ଏକ ସୁସ୍ଥ ପରମ୍ପରା ଆରମ୍ଭ କରି ବିନା କୌଣସି ସ୍ଲୋଗାନରେ କଂଗ୍ରେସ ହଟାଅ ଅଭିଯାନର ମୂଳଦୁଆ କପାଇଥିଲେ ବାଜପେୟୀ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ଅବର୍ତମାନରେ ତାଙ୍କର ସ୍ମୃତି ଚାରଣ କରିଛନ୍ତି ଦଳ, ମତ ନିର୍ବିଶେଷରେ ସବୁ ବର୍ଗର ବ୍ୟକ୍ତି । ଏହା ହିଁ ପ୍ରମାଣ କରୁଛି ଅଟଳଙ୍କ ମହାନତା । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅଟଳ ବିହାରୀ ବାଜପେୟୀଙ୍କ ସହ ଅତିତର କିଛି ଅଭୁଲା ସ୍ମୃତିକୁ ମନେପକାଇଛନ୍ତି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି । ସମୀର କହିଛନ୍ତି ଯେ ଉପନିର୍ବାଚନ ପାଇଁ ପୁରୀରେ ଏକ ସାଧାରଣ ସଭାରେ ବାଜପେୟୀଙ୍କ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । ତେବେ ସେଦିନ ନଆସିପାରି ତା ପରଦିନ ଆସି ପହଂଚିଥିଲେ ବାଜପେୟୀ । ପୁରୀରେ ହୋଇଥିବା ସାଧାରଣ ସଭାରେ ଯୋଗ ଦେଇଥିଲେ ବାଜପେୟୀ । ତେବେ ଗାଡିରେ ଯିବା ସମୟରେ ସେ ସମୁଦ୍ରକୂଳ ବୁଲିଯିବେ ବୋଲି କହିଥିବା ସମୀର ସୂଚନା ଦେଇଛନ୍ତି । ମିଟିଂ ପରେ ସମୁଦ୍ରକୂଳରେ ତାଙ୍କୁ କିଛି ସମୟ ପାଇଁ ଏଳୁଟିଆ ଛାଡିଦେବାକୁ ବାଜପେୟୀ କହିଥିଲେ । ଆଉ ସମୁଦ୍ରକୂଳରେ ପହଂଚିବାପରେ ପ୍ରାୟ ୪୫ମିନିଟ ସମୟ ବିତାଇଥିଲେ । ତେବେ ପରେ ଯେଉଁ ଗାଡିରେ ଯାଇଥିଲେ ତାହା ନ ଚାଲିବାରୁ ବାଜପେୟୀ ନିଜେ ଗାଡିରୁ ଓହ୍ଲାଇ ଗାଡିକୁ ଠେଲିଥିଲେ ବୋଲି ସମୀର କହିଛନ୍ତି ।