୨୫ ବର୍ଷ ପରେ ଜନ୍ମମାଟିକୁ ଫେରିବେ ବିରଜୁ : ଅମୃତସରରୁ ବିରଜୁ ସାଙ୍ଗରେ ଧରି ବାହାରିଲେ ସୁନ୍ଦରଗଡ଼ ପ୍ରଶାସନିର ଟିମ୍; ଭୁଲରେ ଚାଲି ଯାଇଥିଲେ ପାକିସ୍ତାନ

ଲାହୋର ଜେଲରେ ଥିଲେ ୨୦ବର୍ଷରୁ ଅଧିକ ସମୟ

169

କନକ ବ୍ୟୁରୋ : ବିଦେଶ ମାଟିରୁ ଜନ୍ମମାଟିକୁ ଫେରୁଛନ୍ତି ବିରଜୁ । ପାକିସ୍ତାନର କାଳ କୋଠରୀରେ ଅନିଶ୍ଚିତତା ଭିତରେ ଦିନ କାଟୁଥିବା ସୁନ୍ଦରଗଡର ବିରଜୁ ଶେଷରେ ୨୫ ବର୍ଷ ପରେ ଭାରତ ଫେରୁଛନ୍ତି । ଲାହୋର ଜେଲରୁ ପଞ୍ଜାବ ଅମୃତସରରେ ପହଞ୍ଚିବା ପରେ ତାଙ୍କ ଓଡିଶା ଆଣିବା ପାଇଁ ସେଠି ପହଞ୍ଚିଲା ସୁନ୍ଦରଗଡ ଜିଲ୍ଲା ପ୍ରଶାସନ । ଆଉ ଆଜି ଅମୃତସରରୁ ବିରଜୁ ସାଙ୍ଗରେ ଧରି ବାହାରିଛନ୍ତି ସୁନ୍ଦରଗଡ଼ ପ୍ରଶାସନିର ଟିମ୍ । ଏବେ ବିରଜୁଙ୍କ ଫେରିବା ବାଟକୁ ଚାହିଁ ରହିଛି ପୁରା ପରିବାର ।

ତେବେ ଏଇ ୨୫ ବର୍ଷ ଭିତରେ ସେ ନିଜର ମାତୃଭାଷା ଓଡିଆ ଓ ନିଜର ଆଦିବାସୀ ଭାଷା ଭୁଲିଯାଇଛନ୍ତି । ଯଦିଓ ସେ ନିଜର ଭାଷା ଭୁଲିଯାଇଛନ୍ତି ତଥାପି ନିଜର ଜିଲ୍ଲା, ରାଜ୍ୟ, ନିଜର ଜନ୍ମ ସ୍ଥାନ, ପିତାମାତାଙ୍କ ନାମ ତାଙ୍କର ଟିକେ ଟିକେ ମନେ ଅଛି । ତାଙ୍କ ପାଖରେ ପ୍ରଶାସନ ପହଞ୍ଚିବା ପରେ ବିରଜୁ ବର୍ତ୍ତମାନ ଗାଁ ମୁହାଁ ହୋଇଥିବାରୁ ପରିବାର ବର୍ଗରେ ଖୁସିର ଲହରୀ ଖେଳିଯାଇଛି। ୨୫ ବର୍ଷର ସ୍ମୃତି ତାଜା ହୋଇ ଉଠିଛି ।

ଖବର ଅନୁସାରେ, ନଙ୍ଗାଟୋଲି ଗାଁର ବିରଜୁ ପିଲାଟି ଦିନରୁ ମାନସିକ ଅନଗ୍ରସର ଥିଲେ । ତାଙ୍କୁ ୨୪-୨୫ ବର୍ଷ ହୋଇଥିବାବେଳେ ସେ ଘରୁ କୁଆଡେ ଚାଲିଯାଇଥିଲେ । ପରିବାର ଲୋକେ ଅନେକ ଖୋଜଖବର ପରେ ବି କୌଣସି ସନ୍ଧାନ ପାଇନଥିଲେ । ହେଲେ ଗତବର୍ଷ ପରିଚୟ ଓ ତାଙ୍କ ଠିକଣା ଯାଂଚ ପାଇଁ କୁତ୍ରା ପୁଲିସ ବିରଜୁଙ୍କ ଘରେ ପଂହଚିଥିଲା । ଭୁଲରେ ସେ ପାକିସ୍ତାନ ସୀମା ଭିତରକୁ ପଶିଯାଇଥିବାରୁ ଲାହୋର ଜେଲରେ ୨୫ ବର୍ଷ ବନ୍ଦୀ ଜୀବନ ବିତାଇଥିଲେ ।