ଟ୍ୱିଟ୍ କରି ହଟହଟା ହେଲା କ୍ରୁଟ୍ : ମୋ’ ବସ୍ ଦୁର୍ଘଟଣାରେ ସପ୍ତମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇନଥିବା କ୍ରୁଟ୍ ରଖିଲା ସ୍ପଷ୍ଟୀକରଣ; ଜବାବ ରଖି ଘେରିଲେ ଲୋକେ

199

କନକ ବ୍ୟୁରୋ : ଟ୍ୱିଟ୍ କରି ହଟହଟା ହେଲା କ୍ରୁଟ୍ । ମୋ’ ବସ୍ ଦୁର୍ଘଟଣାରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଥିବା ଖବର ଉପରେ କ୍ରୁଟ୍ ସ୍ପଷ୍ଟୀକରଣ ରଖିଛି । ଆଉ କହିଛି ମୋ’ ବସ୍ ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁ ହୋଇନି ବରଂ ବାଇକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ମୋ ବସ୍ ଦୁର୍ଘଟଣାର ଶିକାର ଛାତ୍ରକୁ ହସ୍ପିଟାଲ ନେବାରେ ସହଯୋଗ କରିଛି । ଏପରି କରି ନିଜ ଉପରେ ଆସିଥିବା ଦୋଷ ଛଡାଇବାକୁ ପ୍ରୟାସ କରିଛି କ୍ରୁଟ୍ ।

ହେଲେ ସୋଶିଆଲ ମିଡିଆରେ ଓଲଟା କ୍ରୁଟର ଏପରି ସ୍ପଷ୍ଟୀକରଣକୁ ନେଇ ଘେରିଛନ୍ତି ଲୋକେ । ପୂର୍ବରୁ ଜଟଣିରେ ପାଣି ଭିତରେ ମୋ ବସ୍ ପଶିଯାଇଥିଲା, ଏହାଦ୍ୱାରା ୫୦ରୁ ଅଧିକ ଯାତ୍ରୀ ପାଣି ଭିତରେ ଫଶିଯାଇଥିଲେ, ୨୦୧୯ରେ ସହର ଭିତରେ ରେଡକ୍ରସ୍ ଭବନ ସାମ୍ନାରେ ମୋ’ ବସ୍ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିଲା । ସେତେବେଳେ କ୍ରୁଟ୍ କାହିଁକି ସ୍ପଷ୍ଟୀକରଣ ରଖିନଥିଲା ଏବଂ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛି ତାର ଜବାବ ରଖୁ । ଦୁର୍ଘଟଣାସ୍ଥଳରେ ଥିବା ସିସିଟିଭିରେ ଡ୍ରାଇଭରଙ୍କ କାରନାମା ଦେଖିବା ଦରକାର । ଏହାପରେ ଯାଇ କ୍ରୁଟ୍ ସ୍ପଷ୍ଟୀକରଣ ରଖିବା ଦରକାର ବୋଲି ମତ ପ୍ରକାଶ ପାଇଛି ।

ସେହିପରି ରାସ୍ତାରେ ଯିବା ବେଳେ ମୋ ବସ ଚାଳକ ଦାୟିତ୍ୱହୀନ ଭାବେ ଗାଡ଼ି ଚଳାଉଥିବାରୁ ଅନେକ ସମୟରେ ଏଭଳି ଦୁର୍ଘଟଣା ଘଟୁଛି ବୋଲି କ୍ରୁଟର ସ୍ପଷ୍ଟୀକରଣ ଉପରେ ଲୋକେ ପ୍ରଶ୍ନ କରିଛନ୍ତି । ଏଭଳି ସ୍ପଷ୍ଟୀକରଣ ନ ଦେଇ ବରଂ ସେବାରେ କିଭଳି ଶୃଙ୍ଖଳା ଆସିପାରିବ, ସେଥିପ୍ରତି ଧ୍ୟାନ ଦିଅନ୍ତୁ ବୋଲି କିଛି ସଚେତନ ନାଗରିକ ପରାମର୍ଶ ଦେଇଛନ୍ତି । ଗତ ଶୁକ୍ରବାର ୟୁନିଟ-୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ର ସନ୍ଦୀପ ନାୟକଙ୍କ ଉପରେ ମୋ ବସ୍ ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ସ୍କୁଲ ଛକରେ ଏହି ଅଘଟଣ ଘଟିଥିଲା ।