ବିପଦରେ ବିଜୁ ପଟ୍ଟନାୟକ ବିମାନବନ୍ଦର ! ନବୀନ ନିବାସର ସୁରକ୍ଷାକୁ ପ୍ରାଧାନ୍ୟ । ପ୍ରତିଶ୍ରୁତି ଦେଇ ଭୁଲିଗଲା ଗୃହ ବିଭାଗ

33

କନକ ବ୍ୟୁରୋ : ନବୀନ ନିବାସର ସୁରକ୍ଷା ବଢ଼ାଇବା ପାଇଁ ବିମାନବନ୍ଦରରୁ ଜମି ଅଧିଗ୍ରହଣ ହେଲା। ବିମାନବନ୍ଦର ପାଚେରି ଭାଙ୍ଗି ନୂଆ ରାସ୍ତା ବି ନିର୍ମାଣ ହେଲା। ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଗୃହ ବିଭାଗ କଥା ଦେଲା ଆମେ ଯେତିକି ଜମି ନେବୁ ସେତିକି ଜମି ଦେବୁ। ବିମାନବନ୍ଦର ଯେମିତି ଥିଲା ସେମିତି ହସ୍ତାନ୍ତର କରିବୁ। ଗୃହ ବିଭାଗର ଏହିଭଳି କଥାରେ ଭଳିଗଲେ ବିମାନବନ୍ଦର କର୍ତ୍ତୃପକ୍ଷ। ଆଉ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦେଇ ଜମି ଅଦଳବଦଳ କରିଦେଲେ। କିନ୍ତୁ ପଶ୍ଚାତାପ କରୁଛନ୍ତି। କାରଣ ନବୀନ ନିବାସ ସୁରକ୍ଷା ପାଇଁ ଏବେ ବିପଦରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର।

ନବୀନ ନିବାସର ସୁରକ୍ଷା ବଢ଼ାଇବା ପାଇଁ ପ୍ରାୟ ୪୫୫ମିଟରର ପାଚେରି ଭାଙ୍ଗି ଜମି ଅଧିଗ୍ରହଣ ହେଲା। ଏଥିପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ ୩.୨୦୦ଏକର ଜମି ହସ୍ତାନ୍ତର କଲେ। ଏଥିରେ ଭୀମପୁର ମୌଜାର ଜମି ନଂ-୬୫୯ର ଏକ ଏକର ୬୦୦ଡିସିମିଲ ଏବଂ ୦.୦୮୦ ଏକର ଜମି, ଖାତା ନଂ ୭୪୬ରେ ଥିବା ପ୍ଲଟ ନଂ-୧୦୩୫ରୁ ୧.୫୨୦ ଏକର ଜମିକୁ ସାଧାରଣ ପ୍ରଶାସନ ବିଭାଗ ଅଧିଗ୍ରହଣ କଲା। ଏଠାରେ ପୁରୁଣା ବିମାନବନ୍ଦର ଛକରୁ ପୁନାମା ଗେଟ ପର୍ଯ୍ୟନ୍ତ ଦୁଇ ଥାକିଆ ରାସ୍ତା ବି ନିର୍ମାଣ ହେଲା। ଏଥିପାଇଁ ବିମାନବନ୍ଦର ପାଚେରି ଭାଙ୍ଗିବା ସହ ଭିତର ପାର୍ଶ୍ୱରେ ଥିବା ଦୁଇ ଫୁଟ ଓସାରର ପରିସୀମା ରାସ୍ତାକୁ ବି ଖୋଳି ମାଟିରେ ମିଶାଇ ଦିଆଗଲା। ନବୀନ ନିବାସ ରାସ୍ତାକୁ ଓସାର କରିବା ପାଇଁ ଛକରେ ଥିବା ବିମାନବନ୍ଦର ଗେଟକୁ ବି ଭଙ୍ଗାଗଲା।

ପ୍ରତିଶ୍ରୁତି ଅନୁଯାୟୀ ରାସ୍ତା ନିର୍ମାଣ ପରେ ନୂଆ ଗେଟ ନିର୍ମାଣ କରିବା, ପାଚେରି ଉପରେ ତାର ବାଡ଼ ଘେରି କରିବା, ପେରିମିଟର ରାସ୍ତା ନିର୍ମାଣ କାର୍ୟ୍ୟ କିଛି ହେଲାନି। କେବଳ ଇଟା ଯୋଡ଼େଇ କରି ପାଚେରି କରିଦେଲେ। ଆଉ ପୁରୁଣା ଡ୍ରେନ ବଦଳରେ ନୂଆ ଡ୍ରେନ କାମ ଆରମ୍ଭ କଲେ। ବାସ ଏତିକିରେ କାମ ଶେଷ।ନବୀନ ନିବାସ ସମ୍ମୁଖରେ ନିର୍ମାଣ ହୋଇଥିବା ପାଚେରି ପଲସ୍ତରା ହୋଇନଥିବାରୁ ଏହା କେତେବେଳେ ବି ଭୁଶୁଡ଼ି ପଡ଼ିବାର ସମ୍ଭାବନା ଅଛି। ଏପରିକି ଏହି ପାଚେରି ଉପରେ କଣ୍ଟା ତାର ବାଡ଼ ଗୁଡ଼ା ଯାଇନଥିବାରୁ ଅନୁପ୍ରବେଶ ସମ୍ଭାବନାକୁ ଏଡ଼ାଇ ହେଉନି। ତେଣୁ ବିପଦସଙ୍କୁଳ ଅବସ୍ଥାରେ ବିମାନବନ୍ଦର ଥିବା ଭୁବନେଶ୍ୱର ବିମାନବନ୍ଦରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆମେ ଜମି ହସ୍ତାନ୍ତର କରିବା ପୂର୍ବରୁ ରାଜ୍ୟ ସରକାର ଯେଉଁ ସର୍ତ୍ତ ରଖିଥିଲେ ତାହା ପୂରଣ କଲେନି। ତେଣୁ ଏବେ ଆମେ ଚିଠି ଲେଖିଛୁ। ଏଥିରେ ପାଚେରିକୁ ପଲସ୍ତରା କରିବା ସହ କଣ୍ଟା ତାର ବାଡ଼ ଦେବେ ଏବଂ ରଙ୍ଗ କରିବେ, ପାଚେରିକୁ ଲଗାଇ ଭିତର ପାର୍ଶ୍ୱରେ ଦୁଇ ଫୁଟ ଓସାରରେ ପେରିମିଟର ରାସ୍ତା ନିର୍ମାଣ କରିବେ, ବିମାନବନ୍ଦର ଭିତରେ ଓ ବାହାର ପାର୍ଶ୍ୱରେ ଲାଇଟ ଲଗାଇବେ, ଉକ୍ତ ଛକରେ ଥିବା ବିମାନବନ୍ଦର ଗେଟ ନୂଆ କରି ନିର୍ମାଣ କରିବେ, ଡ୍ରେନ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ କୁହାଯାଇଛି ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।

ସୂଚନାଯୋଗ୍ୟ ଯେ, ନବୀନ ନିବାସ ସମ୍ମୁଖରେ ନୂଆ ରାସ୍ତା ନିର୍ମାଣ ହେବା ପରେ ପୂର୍ବରୁ ଥିବା ରାସ୍ତାରେ ୧୪୪ଧାରା ଜାରି କରାଯାଇଛି। ସେହିପରି ରାଜ୍ୟ ସରକାର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ ଅଧିଗ୍ରହଣ କରିଥିବା ଜମି ବଦଳରେ ଭୀମପୁର ମୌଜାର ଖାତା ନଂ ୭୪୬ର ପ୍ଲଟ ନଂ ୪୯୫/୧୬୬୪ରୁ ୧.୬୦୦ଏକର, ୦.୩୦୭ଏକର ଏବଂ ପ୍ଲଟ ନଂ- ୪୯୩ରୁ ୧.୨୯୩ଏକର ଜମି ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଦେଇଛନ୍ତି। ଏଠାରେ ପାରାଲାଲ ଟ୍ୟାକ୍ସି ୱେ ନିର୍ମାଣ କରିବାକୁ ଯୋଜନା ଅଛି। ହେଲେ ବିଏମସି ଏ ପର୍ଯ୍ୟନ୍ତ ଏଠାରୁ ବସ୍ତି ଉଚ୍ଛେଦ କରିନଥିବାରୁ ଏହି କାମ ବି ଆରମ୍ଭ ହୋଇପାରୁନି।