ବନ୍ଦ ହୋଇଗଲା ବିଜୁ ଯୁବ ବାହିନୀ । ବିଧାନସଭାରେ ଉତ୍ତର ରଖି ସୂଚନା ଦେଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା ।

141

କନକ ବ୍ୟୁରୋ: ବିଜୁ ଯୁବ ବାହିନୀକୁ ୨୦୧୮ରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ଆନୁକୁଲ୍ୟରେ ରାଜ୍ୟ କ୍ୟାବିନେଟ୍ ମଂଜୁରୀ ଦେଇଥିଲା । ବେଶ ଧୁମଧାମରେ ଆରମ୍ଭ ହୋଇଥିଲା ଏହି ଯୋଜନା । ଲକ୍ଷ୍ୟ ଥିଲା, ରାଜ୍ୟର ବିକାଶରେ ଯୁବପିଢ଼ିର ଯୋଗଦାନକୁ ତ୍ୱରାନ୍ୱିତ କରିବ ବିଜୁ ଯୁବ ବାହିନୀ । ୬୮୨୯ ଗ୍ରାମ ପଂଚାୟତରେ ୭୪୮୯ ଗ୍ରୁପ୍ ଗଠନ କରାଯାଇଥିଲା । ଏଥିରେ ସଦସ୍ୟ ଥିଲେ ୨ଲକ୍ଷ ୬୪ ହଜାରରୁ ଅଧିକ । ହେଲେ ଏବେ ବନ୍ଦ ହୋଇଯାଇଛି ସରକାରଙ୍କ ଏହି ଯୋଜନା ।

ବିଜୁ ଯୁବ ବାହିନୀର ସ୍ଥିତି କ’ଣ ଏବଂ ଏଥିଲାଗି କେତେ ଖର୍ଚ୍ଚ ହେଉଛି, ଏ ନେଇ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି -୨୦୨୦-୨୧ ଆର୍ଥିକ ବର୍ଷରେ ବିଜୁ ଯୁବ ବାହିନୀ ପାଇଁ ଅର୍ଥବ୍ୟବସ୍ଥା ହୋଇନାହିଁ। ବିଜୁ ଯୁବ ବାହିନୀ ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ । ରାଜ୍ୟର କୌଣସି ଅଂଚଳରେ କାର୍ଯ୍ୟକ୍ରମ କରାଯାଉନାହିଁ । ତେଣୁ ଖର୍ଚ୍ଚର କୌଣସି ଅବକାଶ ନାହିଁ ।

ବିଜୁ ଯୁବ ବାହିନୀ ପାଇଁ ୪୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତି ନେଇଥିଲେ ସରକାର । ୨୦୧୮-୧୯ରେ ବିଜୁ ଯୁବ ବାହିନୀର କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ ହୋଇଥିଲା ୧୦୦ କୋଟିରୁ ଅଧିକ । ସେଥିରୁ ଖେଳ ଉପକରଣ ପାଇଁ ୩୯ କୋଟି, ‘ମୋ ହିରୋ’ କାର୍ଯ୍ୟକ୍ରମ ପାଇଁ ୧୯ କୋଟି, ସମାବେଶ ପାଇଁ ୧୮ କୋଟି ଏବଂ ବିଭିନ୍ନ ସାମାଜିକ କାର୍ଯ୍ୟ ପାଇଁ ଖର୍ଚ୍ଚ ହୋଇଥିଲା ୨୩ କୋଟି ଟଙ୍କା । ଏବେ ପ୍ରଶ୍ନ ଉଠୁଛି – ଏତେ ଆଡମ୍ବରରେ ଗଢ଼ାଯାଇଥିବା ବିଜୁ ଯୁବ ବାହିନୀକୁ କାହିଁକି ବନ୍ଦ କଲେ ସରକାର? ଯଦି ବନ୍ଦ କରିବାର ଥିଲା, କାହିଁକି ବରବାଦ କଲେ ଏତେ ଟଙ୍କା?