ସୁନ୍ଦରଗଡବାସୀଙ୍କୁ  ବିଜୁ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ ନବୀନ । ଗରିବ ଲୋକଙ୍କୁ ମିଳିବ ମାଗଣା ଚିକିତ୍ସା । 

183

କନକ ବ୍ୟୁରୋ : ସୁନ୍ଦରଗଡ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ।  ଏହାସହ ସୁନ୍ଦରଗଡ ଜିଲ୍ଲାର ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ।  ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହାସହ ଜିଲ୍ଲାର କିଛି ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ପ୍ରାୟ ୬୦୦ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ନବୀନ ।

ନବୀନ ନିଜ ଅଭିଭାଷଣରେ କହିଛନ୍ତି,ସୁନ୍ଦରଗଡର ପିଲମାନେ ଓଡ଼ିଶା ଓ ଦେଶକୁ ଗର୍ବିତ କରିଛନ୍ତି । ଅଲିମ୍ପିକ୍ସ ବିଜେତାଙ୍କ ମାଟିକୁ ପ୍ରଣାମ ଜଣାଇବା ସହ ନବୀନ କହିଛନ୍ତି, ଅଗଷ୍ଟ ୧୫ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ସ୍ମାର୍ଟ ହେଲଥ କାର୍ଡର ଘୋଷଣା କରିଥିଲି । ଆଉ ଆଜି ମାଲକାନଗିରି ପରେ ଦ୍ୱିତୀୟ ଜିଲ୍ଲା ଭାବେ ସୁନ୍ଦରଗଡରେ ଏହି ଯୋଜନା ଆରମ୍ଭ କରି ମୁଁ ବେଶ ଖୁସି ।  ରାଜ୍ୟର୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଏହି କାର୍ଡରେ ସୁବିଧା ପାଇବେ । ରାଜ୍ୟ ଓ ଦେଶ ବାହାରର ପ୍ରାୟ ୨୦୦ରୁ ଅଧିକ  ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ପାଇପାରିବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀ ।  ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଏହି କାର୍ଡରେ ମିଳିବ । ଏହି ନୂଆ ବ୍ୟବସ୍ଥାରେ ଏହି ନୂଆ ବ୍ୟବସ୍ଥାରେ ହିତାଧିକାରୀଙ୍କୁ କୌଣସି କାଗଜପତ୍ର ଦେବାକୁ ପଡିବନି । କେବଳ କାର୍ଡ ଦେଖାଇଲେ ଚିକିତ୍ସା ସୁବିଧା ପାଇପାରିବେ ହିତାଧିକାରୀ ।  ଦେଶର ୨୦୦ରୁ ଅଧିକ ବଡ ବଡ ହସ୍ପିଟାଲରେ ଏହି କାର୍ଡ ଜରିଆରେ ଚିକିତ୍ସା ସୁବିଧା ମିଳିବ । ଏଭଳି ସୁବିଧା ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ । ଦେଶର ସ୍ୱାସ୍ଥ୍ୟକ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ ।

ସ୍ୱାସ୍ଥ୍ୟ ହିଁ ସମ୍ପଦ । ପରିବାରର କେହି ଅସୁସ୍ଥ ହୋଇ ରୋଗରେ ପଡିଗଲେ ଚିନ୍ତା ବଢିଯାଏ । କାରଣ ଚିକିତ୍ସା ପାଇଁ ଟଙ୍କା ଚିନ୍ତା ବଢାଇଥାଏ । ଏଥିପାଇଁ କିଏ ଜମି ବିକେ, କିଏ ପୁଣି ସୁନା ଗହଣା ବନ୍ଧା ପକାଏ । ଏପରିକି ଚିକିତ୍ସା ଖର୍ଚ୍ଚ  ପାଇଁ କେହି କେହି ପିଲାଙ୍କର ପାଠପଢା ମଧ୍ୟ କରିଥାନ୍ତି । ଆଉ ଏକଥା ଜାଣିବା ପରେ ମୋତେ ବହୁତ ଦୁଃଖ ଲାଗିଲା । କିନ୍ତୁ ଏବେ ଏହି ସ୍ମାର୍ଟ କାର୍ଡ ଦୁଃଖ ଲାଘବ କରିବ । ରାଜ୍ୟବାସୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଟଙ୍କା ଖର୍ଚ୍ଚ କରୁଛନ୍ତି  । ତେଣୁ ଚିକିତ୍ସା ବାବଦ ଟଙ୍କାକୁ ସଞ୍ଚୟ କରିବା ସହ ପିଲାଙ୍କ ପାଠପଢା ଓ ଘର ପିଛା ଖର୍ଚ୍ଚ କରିପାରିବେ । ମୋ ପାଇଁ ପ୍ରତି ଜୀବନ ମୂଲ୍ୟବାନ, ସେ ଚାଷୀ ହେଉ କି ମୂଲିଆ ହେଉ କି ଛୋଟ ଦୋକାନୀ, ସମସ୍ତଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ । ସମସ୍ତେ ସୁସ୍ଥ ରୁହନ୍ତୁ, ଚିକିତ୍ସା ପାଇଁ ଟଙ୍କା କେବେ  ବାଧକ ନହେଉ । ପ୍ରତି ପରିବାରର ଉନ୍ନତିରେ ରାଜ୍ୟର ଉନ୍ନତି ବୋଲି ନବୀନ କହିଛନ୍ତି ।

 

ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି, ସୁନ୍ଦରଗଡକୁ ନୂଆ ପରିଚୟ ଦେଇଛନ୍ତି ନବୀନ । ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରି ସୁନ୍ଦରଗଡକୁ ବିକାଶ ପଥରେ ଆଗେଇ ନେଇଛନ୍ତି । ଏପରିକି ସାଧାରଣ ଲୋକଙ୍କୁ  ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ନବୀନ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ଯୋଜନା ଆଣିଛନ୍ତି  ।ଯାହାଦ୍ୱାରା ଗରିବ ଲୋକମାନେ ମଧ୍ୟ ଚିକିତ୍ସିତ ହୋଇପାରିବେ । ଆଉ ଏଭଳି କରି ଗରିବ ଲୋକଙ୍କ ଚିନ୍ତାକୁ ଦୂର କରିଛନ୍ତି ନବୀନ ।

ସୁନ୍ଦରଗଡ ଜିଲ୍ଲାର ମୋଟ ୪ ଲକ୍ଷ ୩୭ ହଜାର ୩୩୩ ରାସନକାର୍ଡ ଧାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କରାଯିବ । ଏହି କାର୍ଡରୁ ଜିଲ୍ଲାର ମୋଟ ୧୫ ଲକ୍ଷ ୯ ହଜାର ୬୩୧ ଲୋକ ମାଗଣା ସ୍ୱାସ୍ଥ୍ୟ ସେବା ପାଇବେ । ରାଉରକେଲା ମୋଟ ୬୮ ହଜାର୫୭୫ ରାସନ କାର୍ଡଧାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ମିଳିବ । ଏହା ଦ୍ବାରା ୨ ଲକ୍ଷ ୨୩ ହଜାର ୪୧୮ ଜଣ ଉପକୃତ ହେବ । ସୁନ୍ଦରଗଡ ପୌରପାଳିକାରେ ୫, ୪୦୭, ରାଜଗାଙ୍ଗପୁର ପୌରପାଳିକାରେ୮,୭୯୧, ବୀରମିତ୍ରପୁର ପୌରପାଳିକାରେ ୬, ୫୧୪ ଜଣଙ୍କୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ମିଳିବ ।

ସେହିଭଳି ବାଲିଶଙ୍କରା ବ୍ଲକରେ ୨୩, ୧୪୯, ବଡଗାଁରେ ୧୮,୨୪୦, ବିଶ୍ରାରେ ୧୬,୭୦୫, ବଣାଇରେ୧୫,୯୮୯, ଗୁରୁଣ୍ଡିଆରେ ୧୭,୩୬, ହେମଗିରିରେ ୨୧,୫୯୮, କୋଇଡାରେ୧୮,୭୯୦, କୁଆରମୁଣ୍ଡାରେ୨୪,୬୫୮, କୁତ୍ରାରେ୧୯,୫୭୬ କାର୍ଡଧାରୀଙ୍କୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ମିଳିବ । ଅନୁରୂପ ଭାବେ ଲହୁଣୀପଡା ବ୍ଲକରେ ୨୩,୪୭୩, ଲାଠିକଟାରେ୨୬,୩୩୭୮, ଲେଫ୍ରିପଡାରେ ୨୦,୪୬୪, ନୂଆଗାଁରେ୨୬,୩୩୭, ରାଜଗାଙ୍ଗପୁରରେ ୨୪,୭୦, ସବଡେଗାରେ ୧୬,୪୮୫, ସୁନ୍ଦରଗଡ ସଦର ବ୍ଲକରେ୧୭,୭୫୦, ଟାଙ୍ଗରପାଲି ବ୍ଲକରେ୧୭,୩୮୯ ରାସନ କାର୍ଡଧାରୀଙ୍କୁ ଏହି ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯିବ ।