ବିଜେପୁର ପାଇଁ କଂଗ୍ରେସ କଲା ପ୍ରାର୍ଥୀ ଘୋଷଣା । ବିଜେପି କହିଲା, ଆଜି ପ୍ରାର୍ଥୀ ଘୋଷଣା, ସେପଟେ ଗୋଟିଏ ଆସନ ପାଇଁ ବିଜେଡିର ଅନେକ ଆଶାୟୀ

522

କନକ ବ୍ୟୁରୋ : ବିଜେପୁରରେ କିଏ ହେବେ ବିଜେଡି ପ୍ରାର୍ଥୀ ତାହା ଏଯାଏଁ ଚୁଡ଼ାନ୍ତ ହୋଇପାରିନି । ବିଜେଡି ସମନ୍ୱୟ କମିଟି ରିପୋର୍ଟ ପ୍ରଦାନ କରିସାରିଛି । ନବୀନ ନିବାସରେ ବଡ଼ଧରଣର ମାନସମନ୍ଥନ ବି ସରିଛି । ହେଲେ ଘୋଷଣା ହୋଇନାହିଁ ପ୍ରାର୍ଥୀ । କାରଣ ଗୋଟିଏ ଆସନ ପାଇଁ ଏବେ ଅନେକ ଆଶାୟୀ । ଟିକେଟ୍ ଦୌଡ଼ରେ ରୀତା ସାହୁ ଆଗରେ ଅଛନ୍ତି । କିନ୍ତୁ ଆଉ କିଛି ନେତା ନିଜ ଆଡୁ ରେସରେ ଥିବା କହିଛନ୍ତି । ତେବେ ଆସନ୍ତା ୩୦ ତାରିଖରେ ଦଳ ପ୍ରାର୍ଥୀପତ୍ର ଦାଖଲ କରିବ ବୋଲି କହିସାରିଛି । ଏପଟେ ବରଗଡ଼ ଜିଲ୍ଲା ଅତାବିରାରେ ବିଜେପୁର ଉପ-ନିର୍ବାଚନ ପାଇଁ ଏକ ବଡ଼ଧରଣର ପ୍ରସ୍ତୁତ ବୈଠକ କରିଛି ବିଜେପି । ଯେଉଁଥିରେ ବସନ୍ତ ପଣ୍ଡା, ସୁରେଶ ପୂଜାରୀ, କେ.ଭି ସିଂଦେଓ, ପ୍ରଦୀପ ପୁରୋହିତ ପ୍ରମୁଖ ସାମିଲ ହୋଇ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଛନ୍ତି ।

କୁହଯାଉଛି ଦିନେ କିମ୍ବା ଦୁଇ ଦିନ ଭିତରେ ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କରିବ ବିଜେପି । ସେପଟେ, ବରଗଡ ଜିଲ୍ଲା କଂଗ୍ରେସ ଉପସଭାପତି ଦିଲ୍ଲୀପ ପଣ୍ଡା ହେବେ କଂଗ୍ରେସର ବିଜେପୁର ପ୍ରାର୍ଥୀ । ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଘନଘନ ବୈଠକ ପରେ ଗତକାଲି ୫ଜଣ ସଂଭାବ୍ୟ ପ୍ରାର୍ଥୀଙ୍କ ନାଁ ଚୁଡାନ୍ତ ହୋଇଥିଲା । ଏହି ତାଲିକାରେ ବରିଷ୍ଠ କଂଗ୍ରେସ ନେତା ରିପୁନାଥ ସେଠଙ୍କ ପୁଅ ଅଭିଶେକ ସେଠ, ଦିଲ୍ଲୀପ ପଣ୍ଡା, ସୁରେନ୍ଦ୍ର ପାତ୍ର, ସ୍ୱାଧିସ୍ମିତା ସୁଆର ଏବଂ ରବୀନ୍ଦ୍ର ପଣ୍ଡାଙ୍କ ନାଁ ରହିଥିଲା । ଏହି ୫ ଜଣଙ୍କ ନାଁକୁ ଏଆଇସିସି ପାଖକୁ ପଠାଯାଇଥିଲା । ଯେଉଁଥିରୁ ଦିଲ୍ଲୀପ ପଣ୍ଡାଙ୍କ ନାଁରେ ମୋହର ମାରିଛନ୍ତି ହାଇକମାଣ୍ଡ । ବିଜେପୁରରେ ବିଜେଡି ଓ ବିଜେପିର ପ୍ରାର୍ଥୀଙ୍କୁ ଟକ୍କର ଦେବେ ଦୀଲ୍ଲିପ । ବର୍ତମାନ ସେ ବରଗଡ ଜିଲ୍ଲା କଂଗ୍ରେସର ଉପସଭାପତି ଅଛନ୍ତି ।